ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ କୁହାଯାଇଛି। ଏହା ଦେଶର ବର୍ଷା ଓ ତାପମାତ୍ରା ଉପରେ ଗଭୀର ପ୍ରଭାବ ପକାଇବା ସହ ବନ୍ୟା, ଅନାବୃଷ୍ଟି ଏବଂ ଭୀଷଣ ପାଗ ସୃଷ୍ଟି କରିବ ବୋଲି ଡବ୍ଲ୍ୟୁଏମ୍ଓ ପକ୍ଷରୁ ସତର୍କ କରିଦିଆଯାଇଛି। ଡବ୍ଲ୍ୟୁଏମ୍ଓ ମହାସଚିବ ସେଲେଷ୍ଟ ସାଉଲୋ ଏକ ବିବୃତିରେ କହିଛନ୍ତି, ସାରା ବିଶ୍ୱର ବିଭିନ୍ନ ସମାଜ ଓ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବା ସାମର୍ଥ୍ୟ ଏଲ୍ ନିନୋର ରହିଛି। ଏହାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଅନାବୃଷ୍ଟି ଓ ବନ୍ୟା ବିପର୍ଯ୍ୟୟ ଦେଖାଦେଲାଣି। ଆଗାମୀ ଦିନରେ ଏଲ୍ ନିନୋ ଆହୁରି ସକ୍ରିୟ ହୋଇ ବ୍ୟାପକ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି ବୋଲି ସାଉଲୋ କହିଛନ୍ତି।
ଆସନ୍ତାବର୍ଷ ଫେବୃଆରୀ ପର୍ଯ୍ୟନ୍ତ ଏଲ୍ ନିନୋ ସ୍ଥିତି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସେପ୍ଟେମ୍ବର ମାସ ପାଇଁ କରିଥିବା ପୂର୍ବାନୁମାନରେ କହିବାର ଦିନକ ପରେ ଡବ୍ଲ୍ୟୁଏମ୍ଓ ଉପରୋକ୍ତ ପୂର୍ବାନୁମାନ କରିଛି।
ଏଲ୍ ନିନୋ ହେଉଛି ଏଲ୍ ନିନୋ ସଦର୍ନ ଓସ୍କିଲେଶନ (ଇଏନ୍ଏସ୍ଓ)ର ୩ଟି ପର୍ଯ୍ୟାୟ ମଧ୍ୟରୁ ଗୋଟିଏ। ସମୁଦ୍ର ତାପମାତ୍ରାରେ ପରିବର୍ତ୍ତନ ସହ କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗର ଅଞ୍ଚଳ ବାୟୁମଣ୍ଡଳ ତାପମାତ୍ରାରେ ଅସ୍ଥିରତା ଯୋଗୁ ଏହା ସୃଷ୍ଟି ହୋଇଥାଏ। ପୃଥିବୀରେ ଉଷ୍ମତାର ପ୍ରଭାବକୁ ଏଲ୍ ନିନୋ କୁହାଯାଉଥିବାବେଳେ ଏହାର ବିପରୀତ ହେଉଛି ଲା ନିନା, ଯାହା ଶୀତଳୀକରଣ ପ୍ରଭାବରୁ ହୋଇଥାଏ।
ଏଲ୍ ନିନୋ ସ୍ଥିତି ଯୋଗୁ ଭାରତରେ ସାଧାରଣତଃ କମ୍ ବର୍ଷା ହୋଇଥାଏ। ଏବର୍ଷ ଭାରତରେ ମୋଟାମୋଟି ଭାବେ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ଗତ ୩୧ରେ ପାଣିପାଗ ବିଭାଗ ସ୍ପଷ୍ଟ କରିଥିଲା। ଅଗଷ୍ଟରେ ୧୬ ପ୍ରତିଶତ କମ୍ ବର୍ଷା ହୋଇଥିବା ଆଇଏମ୍ଡି କହିଥିଲା। ୧୯୦୧ ପରେ ଗତ ଅଗଷ୍ଟ ସବୁଠୁ ଉତ୍ତପ୍ତ ମାସ ଥିଲା ଓ ଏହାର ଏକମାତ୍ର କାରଣ ଏଲ୍ ନିନୋ ବୋଲି କୁହାଯାଇଛି। ସେହିପରି ସେପ୍ଟେମ୍ବରରେ ବୃଷ୍ଟିପାତ ହାର ୯୧ ପ୍ରତିଶତରୁ କମ୍ ରହିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି।