ବିନା ଫିଟ୍‌ନେସ୍‌ରେ ଗଡ଼ୁଛି ୪ ଓଏସ୍‌ଆର୍‌ଟିସି ଗାଡ଼ି

ରାୟଗଡ଼ା,୧୩।୮(ଭାଗ୍ୟଶ୍ରୀ ମିଶ୍ର)ରାଜ୍ୟ ସରକାର ପରିବହନ କ୍ଷେତ୍ରରେ ଯାତ୍ରୀଙ୍କୁ ରିହାତି ମୂଲ୍ୟରେ ସୁବିଧା ଦେବା ପାଇଁ ସରକାରୀ ବସ୍‌ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) କରିଛନ୍ତି। ହେଲେ ଏହାର ରାୟଗଡ଼ା କାର୍ଯ୍ୟାଳୟ ଅବହେଳିତ ଅବସ୍ଥାରେ ରହିଛି। ପରିଚାଳନାଗତ ତ୍ରୁଟି ଯୋଗୁ ଘରୋଇ ବସ୍‌ର ଚାହିଦା ବଢୁଛି ଏବଂ ସରକାରୀ ବସ୍‌କୁ ଯାତ୍ରୀମାନେ କମ ପସନ୍ଦ କରୁଛନ୍ତି। ରାୟଗଡ଼ାରେ ଓଏସ୍‌ଆର୍‌ଟିସିର ନିଜସ୍ବ କାର୍ଯ୍ୟାଳୟ, ସ୍ବତନ୍ତ୍ର ଗ୍ୟାରେଜ ନାହିଁ। ଗୋଟିଏ ଭଡ଼ା ଘରେ ଷ୍ଟେଶନ ଅଫିସ, କାଉଣ୍ଟର, ଡିପୋ ଅଫିସ ୩ ଚାଲିଛି। ରାୟଗଡ଼ାର ଓଏସ୍‌ଆର୍‌ଟିସି କାର୍ଯ୍ୟାଳୟ ଭିତ୍ତିଭୂମି ବିକାଶ କଲେ ରାଜସ୍ବ ବଢ଼ିବା ସହ ସରକାରୀ ବସକୁ ଲୋକେ ବହୁଳ ବ୍ୟବହାର କରିବେ ବୋଲି ବୁଦ୍ଧିଜୀବୀ କହିଛନ୍ତି।
ରାୟଗଡ଼ା ଡିପୋରେ ଲାଭ ହେଉ ନଥିବାରୁ ଏଠାରେ କାର୍ଯ୍ୟାଳୟ ପ୍ରତି ବିଭଗୀୟ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି। ୨୦୦୨ରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଏସ୍‌ଆର୍‌ଟିସି କାର୍ଯ୍ୟାଳୟ ଥିଲା। ଘରୋଇ ବସ୍‌ଗୁଡିକ ସେହି ସମୟରେ ଲାଭରେ ଚାଲିଥିବାବେଳେ ଓଏସ୍‌ଆର୍‌ଟିସି ଅନେକ କ୍ଷତି ସହିବା ପରେ ଉକ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା। ୨୦୧୫ରୁ ରାୟଗଡ଼ା ବସ୍‌ଷ୍ଟାଣ୍ଡର ଏକ ଭଡ଼ାଘରେ ଉକ୍ତ କାର୍ଯ୍ୟାଳୟ ଚାଲିଛି। ଓଏସ୍‌ଆର୍‌ଟିସି ରାୟଗଡ଼ା (ଡିପୋ)ରେ ବର୍ତ୍ତମାନ ୧୨ଟି ସରକାରୀ ବସ ଚାଲୁଥିବା କାଗଜପତ୍ରରେ ଦର୍ଶାଯାଇଛି। ମାତ୍ର କେବଳ ୪ଟି ନିୟମିତ ଭାବରେ ଚାଲୁଛି। ୮ଟି ଗାଡ଼ି ଖରାପ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଗାଡ଼ି ଖରାପ ହୋଇଗଲାଣି। ୪ଟି ଗାଡିର ଫିଟ୍‌ନେସ ମଧ୍ୟ ସରିଯାଇଛି। ଉକ୍ତ ଗାଡ଼ିକୁ କିନ୍ତୁ ଦୂର ଯାତ୍ରାରେ ବ୍ୟବହାର କରାଯାଉଛି। ତେଣୁ ସରକାରୀ ଗାଡ଼ିରେ ଯିବାକୁ ଡର ଲାଗୁଛି ବୋଲି ଅନେକ ଯାତ୍ରୀ କହିଛନ୍ତି। ଗ୍ୟାରେଜ ନ ଥିବାରୁ ଗାଡ଼ି ଧୋଇବା ରଖିବାରେ ଅସୁବିଧା ହେଉଛି ବୋଲି ଡ୍ରାଇଭରମାନେ କହିଛନ୍ତି। ଗାଡ଼ି ଖରାପ ହେଲେ ସେଗୁଡିକର ମରାମତି, ପାର୍ଟସ୍‌ ଲଗାଇବା ଏସବୁ କରାଯାଇ ପାରୁ ନ ଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଗୋଟିଏ ଗାଡ଼ିର ୧୫ ବର୍ଷ ଭ୍ୟାଲିଡ୍‌ ପୂର୍ବରୁ ହିଁ ଅଯୋଗ୍ୟ ହୋଇଯାଉଛି। ରାୟଗଡ଼ା ଡିପୋ ସହାୟକ ମ୍ୟାନେଜର ସଂଗ୍ରାମ ଜେନାଙ୍କୁ ପଚାରିବାରୁ, ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ। ଗ୍ୟାରେଜ ନ ଥିବାରୁ ଗାଡ଼ି ରକ୍ଷଣାବେକ୍ଷଣା ନ ହେବା ଯଥାର୍ଥ। ଉନ୍ନୟନ କାର୍ଯ୍ୟ ଆଗକୁ କରାଯିବ ବୋଲି ସେ କହିଛନ୍ତି।