Categories: ଜାତୀୟ

ପାଙ୍ଗୋଙ୍ଗ୍‌ରୁ ସେନା ପ୍ରତ୍ୟାହାର ଆରମ୍ଭ

ନୂଆଦିଲ୍ଲୀ, ୧୧।୨(ପି.ଟି.): ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୀମା ବିବାଦକୁ ନେଇ ୯ ମାସ ହେଲା ଅଚଳାବସ୍ଥା ଲାଗି ରହିଥିବା ବେଳେ ବୁଧବାର ପାଙ୍ଗୋଙ୍ଗ୍‌ ହ୍ରଦ ଉଭୟ ପାର୍ଶ୍ୱରୁ ଭାରତ ଓ ଚାଇନା ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ଦୁଇ ସେନା ମଧ୍ୟରେ ସଂଘର୍ଷର ଫୋକସ୍‌ ଥିଲା ଏହି ହ୍ରଦ। ସେନା କମାଣ୍ଡର ସ୍ତରୀୟ ନବମ ପର୍ଯ୍ୟାୟ ଆଲୋଚନାର ସହମତି କ୍ରମେ ପାଙ୍ଗୋଙ୍ଗର ଉତ୍ତର ପାର୍ଶ୍ୱରେ ଥିବା ଫିଙ୍ଗର ୪ ଅଞ୍ଚଳରୁ ସେନା ହଟାଯାଉଛି। ଉଭୟ ପାର୍ଶ୍ୱରୁ ଆଗଧାଡ଼ିର ସୈନ୍ୟଙ୍କୁ ହଟାଯାଉଥିବା ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ୟୁ କିଆନ୍‌ କହିଛନ୍ତି। ଯୋଜନା ଅନୁଯାୟୀ ଚାଇନା ଫିଙ୍ଗର ୮ ଅଞ୍ଚଳକୁ ହଟିବା ସହ ଭାରତୀୟ ଯବାନ ଫିଙ୍ଗର ୨ ଓ ୩ ଅନ୍ତର୍ଗତ ଧାନ ସିଂ ଥାପା ଘାଟିକୁ ହଟିଯିବେ। ଫିଙ୍ଗର ୪ ପର୍ଯ୍ୟନ୍ତ କେହି ପାଟ୍ରୋଲିଂ କରିବେ ନାହିଁ।

Share