Categories: ଜାତୀୟ

ଭାଜପା ପ୍ରାର୍ଥୀ ପ୍ରତ୍ୟାହାର ନେଇ ରାଜନୀତି ସରଗରମ…

ମୁମ୍ବାଇ,୧୮।୧୦ : ମୁମ୍ବାଇର ଅନ୍ଧେରୀ ଇଷ୍ଟ ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ନେଇ ରାଜନୈତିକ ମହଲରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏହା କରି ଏକ ସୁଚିନ୍ତିତ ପଦକ୍ଷେପ ନେଇଛି। ପରବର୍ତ୍ତୀ ସମୟରେ ଭାଜପା ଏହା ଦ୍ୱାରା ଲାଭାନ୍ବିତ ହେବାର ଆଶା ରହିଛି। ଅନୁମାନ କରାଯାଉଛି ଯେ ମୁମ୍ବାଇରେ ହେବାକୁ ଥିବା ମ୍ୟୁନିସିପାଲିଟି ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏଭଳି ନିଷ୍ପତ୍ତି ନେଇଛି। କାରଣ ଯଦି ଏହି ଉପ-ନିର୍ବାଚନର ଫଳାଫଳ ଭାଜପା ସପକ୍ଷରେ ନ ଆସେ, ତେବେ ଆଗାମୀ ମ୍ୟୁନିସିପାଲିଟି ନିର୍ବାଚନରେ ଏହାର ପ୍ରଭାବ ପଡିବ।

ଭାଜପା ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ପଛରେ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ସେମାନଙ୍କ ଅନୁସାରେ ଭାଜପା ଏହି ଆସନରୁ ମୁର୍ଜି ପଟେଲଙ୍କୁ ପ୍ରାର୍ଥୀ କରିଥିଲା। ବରିଷ୍ଠ ଖବରଦାତା ତଥା ରାଜନୈତିକ ବିଶ୍ଳେଷକ ପୁରନ ପାଟିଲ କହିଛନ୍ତି ଯେ ବାସ୍ତବରେ ବିଜେପି ଏଠାରେ ମୁର୍ଜି ପଟେଲଙ୍କୁ ପ୍ରାର୍ଥୀ କରି ଏକ ଭୁଲ କରିଥିଲା। ପାଟିଲ କହିଛନ୍ତି ଯେ ପଟେଲ ଜଣେ ଗୁଜୁରାଟୀ ଏବଂ ଏହି ବିଧାନସଭାରେ ଅଧିକ ଗୁଜୁରାଟୀ ଭୋଟର ନାହାଁନ୍ତି। ଫଳରେ ସହାନୁଭୂତି ଯୋଗୁ ପୂର୍ବତନ ବିଧାୟକ ରମେଶ ଲଟକେଙ୍କ ସ୍ତ୍ରୀ ଋତୁଜା ଲଟକେଙ୍କ ସ୍ଥିତି ସୁଦୃଢ଼଼ ରହିଥିଲା। ଉପରୁ ଭୟ ଥିଲା ଯେ ମରାଠୀ ଭୋଟର ପୋଲାରାଇଜେଶନ ଏହି ଆସନକୁ ଭାଜପା ପାଇଁ ଅସୁବିଧାରେ ପକାଇପାରେ। ଏହି କାରଣରୁ ଭାଜପା ଏହି ଆସନରୁ ହାରିବାର ଯଥେଷ୍ଟ ଆଶଙ୍କା ରହିଥିଲା।

Share