Posted inଫୁରସତ

ଅତି ସ୍ନେହେ….

 

ସନାତନ ବାବୁ ଓ ପତ୍ନୀ ସୁଶୀଳାଙ୍କ ପରି ସହନଶୀଳତା-ଧୈର୍ଯ୍ୟ ଏବଂ ତ୍ୟାଗଗୁଣ ଯୁକ୍ତ ମଣିଷ ଆଜିକାଲି ଦୁନିଆରେ କମ୍‌ ମିଳିବେ l ସେ ନିଜପୁଅ ପାଇଁ କ’ଣ କମ୍‌ ତ୍ୟାଗ କରିଛନ୍ତି କି ! ଏଇଗୁଣ ତାଙ୍କର ବଢିଲା.. ଯେବେ ତାଙ୍କ ରୋଗୀଣା ପୁଅ ସୁକୁଟାକୁ ସହରରେ ଥିବା ଜଣେ ଶିଶୁ -ବିଶେଷଜ୍ଞଙ୍କୁ ଦେଖେଇବାକୁ ଯାଇଥିଲେ l ସେଇଠି ପୁଅର ଜିଦି ଓ କାନ୍ଦଦେଖି ମା-ସୁଶୀଳା, ତାକୁ ଗାଳିଦେଇ ଆକଟ କରିବାରୁ, ଡାକ୍ତର ସାର୍‌ କହିଲେ… ଉହୁଁ, ପିଲାକୁ ଆକଟିବନି… ଗାଳି ଦେବନି କି କେବେ ପିଟିବନି l ତା’ ମାଇଣ୍ଡି ଉପରେ ପ୍ରେସର ପଡ଼ିବ l ସେବେଠୁ ବାପ -ମା ଦି’ଜଣ କର୍ଣ୍ଣ -ମନ୍ତ୍ର ନେଲାପରି ସେଇ କଥାକୁ ଘୋଷି ହେଉଥିଲେ l ତାଙ୍କ ପଡ଼ା -ପଡ଼ୋଶୀଏ ତାଙ୍କ ପିଲାଙ୍କୁ ଦୁଷ୍ଟାମି କରିବା ଦେଖି ଗାଳିଦେଲେ କି ପିଟିଲେ, ଏମାନେ କହୁଥିଲେ.. ଉହୁଁ.. ମାଇଣ୍ଡି ଉପରେ ପିଲାର ପ୍ରେସର ପଡ଼ିବ l ପିଲାକୁ ସ୍ନେହ ଦିଅ… ଶାସନ ନୁହଁ l
ସେବେଠୁ ସନାତନ ଓ ସୁଶୀଳା ଦେବୀ, ପୁଅ -ସୁକୁଟାକୁ ଶାସନ ନ କରି, ମଧୁର ସ୍ନେହ -ରସରେ ବଡ଼ କଲେ l ବେଳକୁ ବେଳ ପୁଅର ଯାବତୀୟ ଦୁଷ୍ଟାମି, ମିଛୁଆ ପ୍ରକୃତି, ଅଯଥା ଜିଦି ଆଦିକୁ ଦେଖିବି ଆକଟ ନ କରି ସବୁ ବରଦାସ୍ତ କରିଯାଉଥିଲେ l
ଯେତେବେଳେ ଯେତେ ଟଙ୍କା ମାଗିଲେ, ତାକୁ ଦେଇ, ସ୍ନେହ-ସାର ପିଡ଼ିଆ ଦେଇ ଏତେ ଉପରମୁହାଁ କରି ବଡ଼ କରି ଦେଲେ ଯେ, ଅନ୍ୟମାନେ କହୁଥିଲେ.. ଧନ୍ୟ କହିବ ତା’ ବୋପା -ମା’ ଙ୍କୁ… ଧନ୍ୟ ତାଙ୍କ ଧୈର୍ଯ୍ୟକୁ l
ପିଲାଟା ମାଇନରରୁ ମାଟ୍ରିକ ପଢ଼ିବା ଭିତରେ ସାଙ୍ଗମାନଙ୍କ ସାଙ୍ଗରେ ପଡ଼ି ଯୋଉଠି ଯାହା କଲେ ବି ବାରଣ ନ କରି ବରଂ କୁଢ଼କୁଢ଼ ଟଙ୍କା କୁଢ଼େଇ ଦେଉଥିଲେ l କେଇଥର ପର ବୋଲରେ ପଡ଼ି କାହା ବାଡ଼ିରେ ପଶି ପନିପରିବା ଠୁ କୁକୁଡ଼ା ଚୋରିକରି ଭୋଜିକରି ଧରା ପଡ଼ିଲେ ବି, ପଞ୍ଚଶହ ଜାଗାରେ ସାତଶ’ ଟଙ୍କା ଗଣି, କହୁଥିଲେ.. ମୋ ପୁଅକୁ କିଛି କୁହନି, ତା’ ମାଇଣ୍ଡି ଉପରେ ପ୍ରେସର ପଡ଼ିବ! ପିଲାଟା ଭେଣ୍ଡିଆ ହେଲା, ହେଲେ ପାଠ କମ୍‌ ଶାଠରେ ବେଶି ଆଗେଇଲା l କେତେ କାହା ବୁଦ୍ଧିରେ ପଡ଼ି ନାହିଁ ନ ଥିବା ଯାବତୀୟ କେଳେଙ୍କାରୀ ଅସାମାଜିକ କର୍ମ କରିଚାଲିଲା l କୋଉ ପଡ଼ୋଶୀ ଯଦି କହୁଥିଲେ.. ଲାଳୟତେ ପଞ୍ଚ ବର୍ଷାଣି ଦଶ ବର୍ଷାଣି ତାଡୟେତ୍‌.., ମାନେ ପିଲାକୁ ସାନବେଳୁ କାହିଁକି ଶାସନ କଲନି, ତେବେ ସନାତନ ଓ ପତ୍ନୀ ଓଲଟା ରାଗି ଜବାବ ଦେଉଥିଲେ… ରଖ ହୋ ତମ ଶାସ୍ତ୍ର ଉପଦେଶ। ସେ ନୀତି ପୁରୁଣା ହେଲାଣି.. ଯୁଗ ବଦଳିଗଲାଣି l ବିଚରା ପଡ଼ୋଶୀ, ଅଯଥା ଝଗଡ଼ାକୁ ଏଡ଼େଇ, ଯିଏ ଯେଝା ବାଟରେ ରହୁଥିଲେ l
କେତେଥର ଗୁଣମଣି ପୁତ୍ରର କାଣ୍ଡକାରଖାନା ଯୋଗୁ ଥାନା ଭିତରେ ପଶିଲେ ବି, ଥାନା ବାବୁଙ୍କ ଗୋଡ଼ହାତ ଧରି ମୋଟା ଅର୍ଥ-ଦଣ୍ଡ ଦେଇ, ପୁଅକୁ କିଛି ଶାସନ ନ କରନ୍ତୁ କି ଗାଳି ନ ଦିଅନ୍ତୁ ଅନୁରୋଧ କରି କହନ୍ତି… ତା’ ମାଇଣ୍ଡି ଉପରେ ପ୍ରେସର ନ ପଡୁ l ହେଲେ ତା’ର ବହୁବାର ଅନେକ କେଳେଙ୍କାରୀ କର୍ମ ଓ ଚାରିତ୍ରିକ ଦୋଷରେ ଥରେ ଥାନାରୁ ଜେଲଖାନାକୁ ପ୍ରମୋଶନ ହୋଇଗଲା l ସେଇଠି ସୁକୁଟା ଚାରିବର୍ଷ ବିତେଇବା ପରେ ଗୋଟେ ବଡ଼ ଲକ୍ଷ୍ୟ ହାସଲ କଲା l ଜେଲ ଭିତରେ ତା’ର ସମଧର୍ମୀ, ସୁନ୍ଦରୀ ଅଲିଅଳୀ ଓଠକୁ ଦେଢ଼େଇ ମଡର୍ଣ୍ଣ ଷ୍ଟାଇଲିଆ କଥା କହୁଥିବା ଜୀବନ ସାଥୀଟିଏ ଆବିଷ୍କାର କଲା l ନିଷ୍ଠାର ସହ ନିଶା କାରବାର ତଥା ଉତ୍ତମ ଚୋରଣୀ ଗୁଣଯୁକ୍ତା ଏଇ କନ୍ୟା-ରତ୍ନଟି ତା’ ପାଇଁ ପୂରା ଫିଟିଙ୍ଗ ବୋଲି, ସୁକୁଟାକୁ ଜଳଜଳ ଦିଶିବାରୁ ବିଚାରାଳୟରୁ ସିଧା ବରଣମାଳା ବିନିମୟରେ ସିଧା ଶଶୁରାଳୟକୁ ଘେନି ଆସିଲା l ସୁକୁଟା ବାପା ମା’ ଏଭଳି ଅନାମଧେୟ ଅତିଭଦ୍ରା ଅଲିଅଳୀକୁ ବଧୂ ଭାବରେ ଗ୍ରହଣ କରିବାକୁ ଅମଙ୍ଗ, ଅନିଚ୍ଛୁକ ଥିଲେ ବି, ପୁଅ ମାଇଣ୍ଡି ଉପରେ ପ୍ରେସର ନ ପଡୁ ବୋଲି, ତାକୁ ଘରକୁ ଆଦରରେ ନେଇଗଲେ l ସୁନ୍ଦରୀ ଆଗରୁ ସୁକୁଟାଠାରୁ ଶଶୁରଙ୍କ ଅମାପ ସମ୍ପତ୍ତି ଥିବାର ଜାଣି ସୁକୁଟାକୁ ସ୍ବାମୀରୂପେ ଗ୍ରହଣ କରିଥିଲା l ତେଣୁ ଆଳସ୍ୟ -ଅୟସରେ ଦୁଇବର୍ଷ ବେଶ୍‌ ଫୁର୍ତ୍ତିବାଜି କରି ସମୟ ବିତେଇଲା ବେଳେ, ଶାଶୁଙ୍କ ହାତରନ୍ଧା ଗନ୍ଧାଏ ବୋଲି ଅନ୍‌ଲାଇନରେ ଅର୍ଡର ଦେଇ ମଗେଇ ଖାଏ l ସେବା କରିବା ପରିବର୍ତ୍ତେ ଶାଶୁଙ୍କ ଦ୍ୱାରା ଭଲ ସେବା ପାଉଥିଲା। ହଠାତ୍‌ ଦିନେ ସବୁ ସମ୍ପତ୍ତି ହାତେଇ ବିକ୍ରି କରିବା ଉଦ୍ଦେଶ୍ୟରେ, ସୁନ୍ଦରୀ ଓ ସୁକୁଟା, ବୁଢ଼ା-ବୁଢ଼ୀଙ୍କୁ ପିଟି ଘରୁ ତଡ଼ିଦେଲେ l ଚୋର ମା’ କାନ୍ଦେନି, ଯଦି କାନ୍ଦେ ଦୁଆର ଦେଇ.. ନ୍ୟାୟରେ ଲୁହକୁ ପଣତକାନିରେ ଲୁଚେଇ ଉଭୟେ ଘରୁ ବାହାରି ଚାଲି ଚାଲି ଆସୁଥିଲେ l ଏତିକିବେଳେ ସନାତନଙ୍କ ବାଲ୍ୟ ବନ୍ଧୁ ପ୍ରିୟନାଥ, ଯିଏ ସହରରେ ରୁହନ୍ତି, ଦେଖାହୋଇ କୁଆଡ଼େ ଯାଉଛ ପଚାରିବାରୁ, ବନ୍ଧୁ ସନାତନ ସହରରେ ଥିବା ଜରାଶ୍ରମର ଠିକଣା କହିବାକୁ ଅନୁରୋଧ କଲେ l ମନରେ କୋହ-ଆଖିରେ ଲୁହ ଦେଖି ତାଙ୍କଠୁ ସବୁକଥା ଶୁଣୁଥିଲା ବେଳେ ପ୍ରିୟନାଥଙ୍କ ପାଖରେ ଗାଁର ଆଉ କେତେଜଣ ପଡ଼ୋଶୀ ପହଞ୍ଚି ସାରିଥାନ୍ତି l ପ୍ରିୟ ବାବୁ, ବନ୍ଧୁ ଓ ତାଙ୍କ ପତ୍ନୀଙ୍କୁ ଧୈର୍ଯ୍ୟଦେଇ କହିଲେ.. ମୋ ସହ ଗାଁକୁ ଫେରିଚାଲନ୍ତୁ, ସେ ପୁଅ-ବୋହୂଙ୍କ କଥା ମୁଁ ବୁଝୁଚି l ଆଇନ ଅନୁସାରେ ତାଙ୍କର ଉଚିତ ଦଣ୍ଡ ବିଧାନ କରାଇ, ତୁମ ଅଧିକାର ପାଇବା ବ୍ୟବସ୍ଥା କରିବି l ଏତିକିବେଳେ ଜଣେ ପଡ଼ୋଶୀ କହିଲେ… ହେ ହେ ପ୍ରିୟନାଥ ! ତାଙ୍କ ପୁଅ ବୋହୂକୁ ତମେ କିଛି କହିବନାହିଁ l
ତାଙ୍କ ମାଇଣ୍ଡି ଉପରେ ପରା ପ୍ରେସର ପଡ଼ିବ! ଆଉ କେଇଜଣ ଫେଁ ଫେଁ ହେଇ ହସି ପାଳି ଧରି କହିଲେ.. ହଁ ହଁ ପ୍ରେସର ପଡ଼ିବ ରେ…!
ଆଜ୍ଞା! ଏମିତି ଘଟଣା ଆମ ସମାଜରେ ଆଉ ନୂଆହୋଇ ନାହିଁ l ଅତି ସ୍ନେହ ଆଦରରେ ବଢ଼ି, ପଢ଼ି, ଜୀବନ ଗଢ଼ିଥିବା ଅଧିକାଂଶ ପିଲା, ଆପଣା ଫିଉଚରକୁ ଚରି ରାଇଜ ବାହାରେ ରହି ଲାକ୍ଷେ ଲାକ୍ଷେ ଟଙ୍କା କମେଇ, ନିଜ ସ୍ତ୍ରୀ ପିଲା ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ, ବୃଦ୍ଧ ମାତା-ପିତାଙ୍କ ରୋଗଶଯ୍ୟା କି ମୃତ୍ୟୁଶଯ୍ୟା ପାଖରେ ଏରୋପ୍ଲେନରେ ଚଢ଼ି ପହଞ୍ଚତ୍ବା ସିନା ସମ୍ଭବ ହୁଏନି, ମାତ୍ର ଅନେକ ମାଡ଼ ଗାଳି ଖାଇ ଦୁଃଖ ସହି ବଢ଼ିଥିବା ଗରିବ ପିଲାଏ ଶ୍ରମିକ ଭାବରେ ବାହାରେ ରହି, ପେଟରୁ କାଟି ବାପ -ମା’ଙ୍କ ପାଖକୁ ଟଙ୍କା ଖାଲି ପଠାନ୍ତିନି, ବରଂ କରୋନା ଭଳିଆ ମାରାତ୍ମକ ମହାମାରୀ ସମୟରେ, ହଜାର ହଜାର କିଲୋମିଟର ଦୂରରୁ ପୁରୁଣା ସାଇକେଲ ଚଢ଼ି, ନିଜ ଜନ୍ମ-ମାଟି, ଜନ୍ମଦାତାଙ୍କ ପାଖକୁ ଫେରି ଆସିବା.. ଏ ଦୁନିଆ ଦେଖିଛି l ଏଇ ଅତି ସ୍ନେହରେ ବଢ଼ିଥିବା ଅଧିକାଂଶ ପିଲା ପରୀକ୍ଷାରେ କମ ନମ୍ବର ରଖିଲେ କି ଫେଲ ହେବା କଥା ପଚାରିଲେ, ଧୈର୍ଯ୍ୟ ହରେଇ ଆତ୍ମହତ୍ୟା କରି ଆପଣା ବଂଶ ବୁଡ଼େଇବାକୁ ପଛାଉ ନାହାନ୍ତି l ଆଉ ସେ ଆଗର ‘କାଳବତ୍‌ ଭୟ.. ପୁତ୍ରବତ୍‌ ସ୍ନେହ’ ର ସ୍ନେହ ମିଶା ଶାସନ.. ନା ଅଛି ଘରେ, ନା ଅଛି ଶିକ୍ଷାନୁଷ୍ଠାନରେ l
ବରଂ ଗୁରୁ ଗୁରୁଜନ ପିଲାଙ୍କୁ ଡରି ମରି ଚଳୁଛନ୍ତି l ମୋର ଜଣେ ବନ୍ଧୁ, ଜ୍ୱରରେ କମ୍ପୁଥିଲା ବେଳେ, ତାଙ୍କ ବାରବର୍ଷର ପୁଅକୁ ଔଷଧ ଆଣିବାକୁ ପଠେଇବାରୁ, ପିଲାଟି ସାଙ୍ଗମାନଙ୍କ ସହ କ୍ରିକେଟ ଖେଳିବାକୁ ସମ୍ମାନ ଦେଇ କହିଲା.. ଡ୍ୟାଡି! ତମର କ’ଣ ଜେଲ ଯିବାକୁ ଇଚ୍ଛା ହେଲାଣି କି? ତମେ କ’ଣ ଜାଣିନ.. ଚଉଦ ବର୍ଷରୁ କମ୍‌ ବୟସ ପିଲାଙ୍କୁ କାମରେ ଖଟେଇବା ଆଇନଗତ ଅପରାଧ ବୋଲି? ବାସ୍‌, ଏଇ କେଇପଦ କଥାରେ, ଜ୍ୱର-କମ୍ପ ହୃତ୍‌-କମ୍ପରେ ବଦଳି ଏକବାରେ ଜର ଛାଡ଼ି ପଳେଇଲା l
କଥାରେ ଅଛି.. ଅତି ସ୍ନେହେ ଝିଅ ଦାଣ୍ଡରେ ଠିଆ, ଅତି ସ୍ନେହେ ପୁଅ ମନ ମୋଟିଆ l
ତେବେ ଆତ୍ମସମୀକ୍ଷା କରନ୍ତୁ.. ପିଲା ମାଇଣ୍ଡି ଉପରେ ପ୍ରେସର ପଡ଼ିବ ବୋଲି ଆକଟ ନ କରି ଖାଲି ସ୍ନେହର ମହତ୍ତ୍ୱ କେତେ.. ଶାସନର ମହାନତା କ’ଣ !!
-ମଙ୍ଗରାଜ ପୁର, ପୁରୀ
ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri