Posted inଫୁରସତ

ଅତି ସ୍ନେହେ….

 

ସନାତନ ବାବୁ ଓ ପତ୍ନୀ ସୁଶୀଳାଙ୍କ ପରି ସହନଶୀଳତା-ଧୈର୍ଯ୍ୟ ଏବଂ ତ୍ୟାଗଗୁଣ ଯୁକ୍ତ ମଣିଷ ଆଜିକାଲି ଦୁନିଆରେ କମ୍‌ ମିଳିବେ l ସେ ନିଜପୁଅ ପାଇଁ କ’ଣ କମ୍‌ ତ୍ୟାଗ କରିଛନ୍ତି କି ! ଏଇଗୁଣ ତାଙ୍କର ବଢିଲା.. ଯେବେ ତାଙ୍କ ରୋଗୀଣା ପୁଅ ସୁକୁଟାକୁ ସହରରେ ଥିବା ଜଣେ ଶିଶୁ -ବିଶେଷଜ୍ଞଙ୍କୁ ଦେଖେଇବାକୁ ଯାଇଥିଲେ l ସେଇଠି ପୁଅର ଜିଦି ଓ କାନ୍ଦଦେଖି ମା-ସୁଶୀଳା, ତାକୁ ଗାଳିଦେଇ ଆକଟ କରିବାରୁ, ଡାକ୍ତର ସାର୍‌ କହିଲେ… ଉହୁଁ, ପିଲାକୁ ଆକଟିବନି… ଗାଳି ଦେବନି କି କେବେ ପିଟିବନି l ତା’ ମାଇଣ୍ଡି ଉପରେ ପ୍ରେସର ପଡ଼ିବ l ସେବେଠୁ ବାପ -ମା ଦି’ଜଣ କର୍ଣ୍ଣ -ମନ୍ତ୍ର ନେଲାପରି ସେଇ କଥାକୁ ଘୋଷି ହେଉଥିଲେ l ତାଙ୍କ ପଡ଼ା -ପଡ଼ୋଶୀଏ ତାଙ୍କ ପିଲାଙ୍କୁ ଦୁଷ୍ଟାମି କରିବା ଦେଖି ଗାଳିଦେଲେ କି ପିଟିଲେ, ଏମାନେ କହୁଥିଲେ.. ଉହୁଁ.. ମାଇଣ୍ଡି ଉପରେ ପିଲାର ପ୍ରେସର ପଡ଼ିବ l ପିଲାକୁ ସ୍ନେହ ଦିଅ… ଶାସନ ନୁହଁ l
ସେବେଠୁ ସନାତନ ଓ ସୁଶୀଳା ଦେବୀ, ପୁଅ -ସୁକୁଟାକୁ ଶାସନ ନ କରି, ମଧୁର ସ୍ନେହ -ରସରେ ବଡ଼ କଲେ l ବେଳକୁ ବେଳ ପୁଅର ଯାବତୀୟ ଦୁଷ୍ଟାମି, ମିଛୁଆ ପ୍ରକୃତି, ଅଯଥା ଜିଦି ଆଦିକୁ ଦେଖିବି ଆକଟ ନ କରି ସବୁ ବରଦାସ୍ତ କରିଯାଉଥିଲେ l
ଯେତେବେଳେ ଯେତେ ଟଙ୍କା ମାଗିଲେ, ତାକୁ ଦେଇ, ସ୍ନେହ-ସାର ପିଡ଼ିଆ ଦେଇ ଏତେ ଉପରମୁହାଁ କରି ବଡ଼ କରି ଦେଲେ ଯେ, ଅନ୍ୟମାନେ କହୁଥିଲେ.. ଧନ୍ୟ କହିବ ତା’ ବୋପା -ମା’ ଙ୍କୁ… ଧନ୍ୟ ତାଙ୍କ ଧୈର୍ଯ୍ୟକୁ l
ପିଲାଟା ମାଇନରରୁ ମାଟ୍ରିକ ପଢ଼ିବା ଭିତରେ ସାଙ୍ଗମାନଙ୍କ ସାଙ୍ଗରେ ପଡ଼ି ଯୋଉଠି ଯାହା କଲେ ବି ବାରଣ ନ କରି ବରଂ କୁଢ଼କୁଢ଼ ଟଙ୍କା କୁଢ଼େଇ ଦେଉଥିଲେ l କେଇଥର ପର ବୋଲରେ ପଡ଼ି କାହା ବାଡ଼ିରେ ପଶି ପନିପରିବା ଠୁ କୁକୁଡ଼ା ଚୋରିକରି ଭୋଜିକରି ଧରା ପଡ଼ିଲେ ବି, ପଞ୍ଚଶହ ଜାଗାରେ ସାତଶ’ ଟଙ୍କା ଗଣି, କହୁଥିଲେ.. ମୋ ପୁଅକୁ କିଛି କୁହନି, ତା’ ମାଇଣ୍ଡି ଉପରେ ପ୍ରେସର ପଡ଼ିବ! ପିଲାଟା ଭେଣ୍ଡିଆ ହେଲା, ହେଲେ ପାଠ କମ୍‌ ଶାଠରେ ବେଶି ଆଗେଇଲା l କେତେ କାହା ବୁଦ୍ଧିରେ ପଡ଼ି ନାହିଁ ନ ଥିବା ଯାବତୀୟ କେଳେଙ୍କାରୀ ଅସାମାଜିକ କର୍ମ କରିଚାଲିଲା l କୋଉ ପଡ଼ୋଶୀ ଯଦି କହୁଥିଲେ.. ଲାଳୟତେ ପଞ୍ଚ ବର୍ଷାଣି ଦଶ ବର୍ଷାଣି ତାଡୟେତ୍‌.., ମାନେ ପିଲାକୁ ସାନବେଳୁ କାହିଁକି ଶାସନ କଲନି, ତେବେ ସନାତନ ଓ ପତ୍ନୀ ଓଲଟା ରାଗି ଜବାବ ଦେଉଥିଲେ… ରଖ ହୋ ତମ ଶାସ୍ତ୍ର ଉପଦେଶ। ସେ ନୀତି ପୁରୁଣା ହେଲାଣି.. ଯୁଗ ବଦଳିଗଲାଣି l ବିଚରା ପଡ଼ୋଶୀ, ଅଯଥା ଝଗଡ଼ାକୁ ଏଡ଼େଇ, ଯିଏ ଯେଝା ବାଟରେ ରହୁଥିଲେ l
କେତେଥର ଗୁଣମଣି ପୁତ୍ରର କାଣ୍ଡକାରଖାନା ଯୋଗୁ ଥାନା ଭିତରେ ପଶିଲେ ବି, ଥାନା ବାବୁଙ୍କ ଗୋଡ଼ହାତ ଧରି ମୋଟା ଅର୍ଥ-ଦଣ୍ଡ ଦେଇ, ପୁଅକୁ କିଛି ଶାସନ ନ କରନ୍ତୁ କି ଗାଳି ନ ଦିଅନ୍ତୁ ଅନୁରୋଧ କରି କହନ୍ତି… ତା’ ମାଇଣ୍ଡି ଉପରେ ପ୍ରେସର ନ ପଡୁ l ହେଲେ ତା’ର ବହୁବାର ଅନେକ କେଳେଙ୍କାରୀ କର୍ମ ଓ ଚାରିତ୍ରିକ ଦୋଷରେ ଥରେ ଥାନାରୁ ଜେଲଖାନାକୁ ପ୍ରମୋଶନ ହୋଇଗଲା l ସେଇଠି ସୁକୁଟା ଚାରିବର୍ଷ ବିତେଇବା ପରେ ଗୋଟେ ବଡ଼ ଲକ୍ଷ୍ୟ ହାସଲ କଲା l ଜେଲ ଭିତରେ ତା’ର ସମଧର୍ମୀ, ସୁନ୍ଦରୀ ଅଲିଅଳୀ ଓଠକୁ ଦେଢ଼େଇ ମଡର୍ଣ୍ଣ ଷ୍ଟାଇଲିଆ କଥା କହୁଥିବା ଜୀବନ ସାଥୀଟିଏ ଆବିଷ୍କାର କଲା l ନିଷ୍ଠାର ସହ ନିଶା କାରବାର ତଥା ଉତ୍ତମ ଚୋରଣୀ ଗୁଣଯୁକ୍ତା ଏଇ କନ୍ୟା-ରତ୍ନଟି ତା’ ପାଇଁ ପୂରା ଫିଟିଙ୍ଗ ବୋଲି, ସୁକୁଟାକୁ ଜଳଜଳ ଦିଶିବାରୁ ବିଚାରାଳୟରୁ ସିଧା ବରଣମାଳା ବିନିମୟରେ ସିଧା ଶଶୁରାଳୟକୁ ଘେନି ଆସିଲା l ସୁକୁଟା ବାପା ମା’ ଏଭଳି ଅନାମଧେୟ ଅତିଭଦ୍ରା ଅଲିଅଳୀକୁ ବଧୂ ଭାବରେ ଗ୍ରହଣ କରିବାକୁ ଅମଙ୍ଗ, ଅନିଚ୍ଛୁକ ଥିଲେ ବି, ପୁଅ ମାଇଣ୍ଡି ଉପରେ ପ୍ରେସର ନ ପଡୁ ବୋଲି, ତାକୁ ଘରକୁ ଆଦରରେ ନେଇଗଲେ l ସୁନ୍ଦରୀ ଆଗରୁ ସୁକୁଟାଠାରୁ ଶଶୁରଙ୍କ ଅମାପ ସମ୍ପତ୍ତି ଥିବାର ଜାଣି ସୁକୁଟାକୁ ସ୍ବାମୀରୂପେ ଗ୍ରହଣ କରିଥିଲା l ତେଣୁ ଆଳସ୍ୟ -ଅୟସରେ ଦୁଇବର୍ଷ ବେଶ୍‌ ଫୁର୍ତ୍ତିବାଜି କରି ସମୟ ବିତେଇଲା ବେଳେ, ଶାଶୁଙ୍କ ହାତରନ୍ଧା ଗନ୍ଧାଏ ବୋଲି ଅନ୍‌ଲାଇନରେ ଅର୍ଡର ଦେଇ ମଗେଇ ଖାଏ l ସେବା କରିବା ପରିବର୍ତ୍ତେ ଶାଶୁଙ୍କ ଦ୍ୱାରା ଭଲ ସେବା ପାଉଥିଲା। ହଠାତ୍‌ ଦିନେ ସବୁ ସମ୍ପତ୍ତି ହାତେଇ ବିକ୍ରି କରିବା ଉଦ୍ଦେଶ୍ୟରେ, ସୁନ୍ଦରୀ ଓ ସୁକୁଟା, ବୁଢ଼ା-ବୁଢ଼ୀଙ୍କୁ ପିଟି ଘରୁ ତଡ଼ିଦେଲେ l ଚୋର ମା’ କାନ୍ଦେନି, ଯଦି କାନ୍ଦେ ଦୁଆର ଦେଇ.. ନ୍ୟାୟରେ ଲୁହକୁ ପଣତକାନିରେ ଲୁଚେଇ ଉଭୟେ ଘରୁ ବାହାରି ଚାଲି ଚାଲି ଆସୁଥିଲେ l ଏତିକିବେଳେ ସନାତନଙ୍କ ବାଲ୍ୟ ବନ୍ଧୁ ପ୍ରିୟନାଥ, ଯିଏ ସହରରେ ରୁହନ୍ତି, ଦେଖାହୋଇ କୁଆଡ଼େ ଯାଉଛ ପଚାରିବାରୁ, ବନ୍ଧୁ ସନାତନ ସହରରେ ଥିବା ଜରାଶ୍ରମର ଠିକଣା କହିବାକୁ ଅନୁରୋଧ କଲେ l ମନରେ କୋହ-ଆଖିରେ ଲୁହ ଦେଖି ତାଙ୍କଠୁ ସବୁକଥା ଶୁଣୁଥିଲା ବେଳେ ପ୍ରିୟନାଥଙ୍କ ପାଖରେ ଗାଁର ଆଉ କେତେଜଣ ପଡ଼ୋଶୀ ପହଞ୍ଚି ସାରିଥାନ୍ତି l ପ୍ରିୟ ବାବୁ, ବନ୍ଧୁ ଓ ତାଙ୍କ ପତ୍ନୀଙ୍କୁ ଧୈର୍ଯ୍ୟଦେଇ କହିଲେ.. ମୋ ସହ ଗାଁକୁ ଫେରିଚାଲନ୍ତୁ, ସେ ପୁଅ-ବୋହୂଙ୍କ କଥା ମୁଁ ବୁଝୁଚି l ଆଇନ ଅନୁସାରେ ତାଙ୍କର ଉଚିତ ଦଣ୍ଡ ବିଧାନ କରାଇ, ତୁମ ଅଧିକାର ପାଇବା ବ୍ୟବସ୍ଥା କରିବି l ଏତିକିବେଳେ ଜଣେ ପଡ଼ୋଶୀ କହିଲେ… ହେ ହେ ପ୍ରିୟନାଥ ! ତାଙ୍କ ପୁଅ ବୋହୂକୁ ତମେ କିଛି କହିବନାହିଁ l
ତାଙ୍କ ମାଇଣ୍ଡି ଉପରେ ପରା ପ୍ରେସର ପଡ଼ିବ! ଆଉ କେଇଜଣ ଫେଁ ଫେଁ ହେଇ ହସି ପାଳି ଧରି କହିଲେ.. ହଁ ହଁ ପ୍ରେସର ପଡ଼ିବ ରେ…!
ଆଜ୍ଞା! ଏମିତି ଘଟଣା ଆମ ସମାଜରେ ଆଉ ନୂଆହୋଇ ନାହିଁ l ଅତି ସ୍ନେହ ଆଦରରେ ବଢ଼ି, ପଢ଼ି, ଜୀବନ ଗଢ଼ିଥିବା ଅଧିକାଂଶ ପିଲା, ଆପଣା ଫିଉଚରକୁ ଚରି ରାଇଜ ବାହାରେ ରହି ଲାକ୍ଷେ ଲାକ୍ଷେ ଟଙ୍କା କମେଇ, ନିଜ ସ୍ତ୍ରୀ ପିଲା ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ, ବୃଦ୍ଧ ମାତା-ପିତାଙ୍କ ରୋଗଶଯ୍ୟା କି ମୃତ୍ୟୁଶଯ୍ୟା ପାଖରେ ଏରୋପ୍ଲେନରେ ଚଢ଼ି ପହଞ୍ଚତ୍ବା ସିନା ସମ୍ଭବ ହୁଏନି, ମାତ୍ର ଅନେକ ମାଡ଼ ଗାଳି ଖାଇ ଦୁଃଖ ସହି ବଢ଼ିଥିବା ଗରିବ ପିଲାଏ ଶ୍ରମିକ ଭାବରେ ବାହାରେ ରହି, ପେଟରୁ କାଟି ବାପ -ମା’ଙ୍କ ପାଖକୁ ଟଙ୍କା ଖାଲି ପଠାନ୍ତିନି, ବରଂ କରୋନା ଭଳିଆ ମାରାତ୍ମକ ମହାମାରୀ ସମୟରେ, ହଜାର ହଜାର କିଲୋମିଟର ଦୂରରୁ ପୁରୁଣା ସାଇକେଲ ଚଢ଼ି, ନିଜ ଜନ୍ମ-ମାଟି, ଜନ୍ମଦାତାଙ୍କ ପାଖକୁ ଫେରି ଆସିବା.. ଏ ଦୁନିଆ ଦେଖିଛି l ଏଇ ଅତି ସ୍ନେହରେ ବଢ଼ିଥିବା ଅଧିକାଂଶ ପିଲା ପରୀକ୍ଷାରେ କମ ନମ୍ବର ରଖିଲେ କି ଫେଲ ହେବା କଥା ପଚାରିଲେ, ଧୈର୍ଯ୍ୟ ହରେଇ ଆତ୍ମହତ୍ୟା କରି ଆପଣା ବଂଶ ବୁଡ଼େଇବାକୁ ପଛାଉ ନାହାନ୍ତି l ଆଉ ସେ ଆଗର ‘କାଳବତ୍‌ ଭୟ.. ପୁତ୍ରବତ୍‌ ସ୍ନେହ’ ର ସ୍ନେହ ମିଶା ଶାସନ.. ନା ଅଛି ଘରେ, ନା ଅଛି ଶିକ୍ଷାନୁଷ୍ଠାନରେ l
ବରଂ ଗୁରୁ ଗୁରୁଜନ ପିଲାଙ୍କୁ ଡରି ମରି ଚଳୁଛନ୍ତି l ମୋର ଜଣେ ବନ୍ଧୁ, ଜ୍ୱରରେ କମ୍ପୁଥିଲା ବେଳେ, ତାଙ୍କ ବାରବର୍ଷର ପୁଅକୁ ଔଷଧ ଆଣିବାକୁ ପଠେଇବାରୁ, ପିଲାଟି ସାଙ୍ଗମାନଙ୍କ ସହ କ୍ରିକେଟ ଖେଳିବାକୁ ସମ୍ମାନ ଦେଇ କହିଲା.. ଡ୍ୟାଡି! ତମର କ’ଣ ଜେଲ ଯିବାକୁ ଇଚ୍ଛା ହେଲାଣି କି? ତମେ କ’ଣ ଜାଣିନ.. ଚଉଦ ବର୍ଷରୁ କମ୍‌ ବୟସ ପିଲାଙ୍କୁ କାମରେ ଖଟେଇବା ଆଇନଗତ ଅପରାଧ ବୋଲି? ବାସ୍‌, ଏଇ କେଇପଦ କଥାରେ, ଜ୍ୱର-କମ୍ପ ହୃତ୍‌-କମ୍ପରେ ବଦଳି ଏକବାରେ ଜର ଛାଡ଼ି ପଳେଇଲା l
କଥାରେ ଅଛି.. ଅତି ସ୍ନେହେ ଝିଅ ଦାଣ୍ଡରେ ଠିଆ, ଅତି ସ୍ନେହେ ପୁଅ ମନ ମୋଟିଆ l
ତେବେ ଆତ୍ମସମୀକ୍ଷା କରନ୍ତୁ.. ପିଲା ମାଇଣ୍ଡି ଉପରେ ପ୍ରେସର ପଡ଼ିବ ବୋଲି ଆକଟ ନ କରି ଖାଲି ସ୍ନେହର ମହତ୍ତ୍ୱ କେତେ.. ଶାସନର ମହାନତା କ’ଣ !!
-ମଙ୍ଗରାଜ ପୁର, ପୁରୀ
ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri