ଦାରିଙ୍ଗବାଡ଼ିରେ ଶୀତ ଗାଏବ

ଦାରିଙ୍ଗବାଡି,୨୭।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବ ହୋଇଛି। ଦିନରେ ଖରା ଏବଂ ଗରମ ବଢୁଛି। ମଙ୍ଗଳବାର ପ୍ରାୟ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇ ଦାରିଙ୍ଗବାଡିରେ ସର୍ବନିମ୍ମ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବିଡ଼ିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ବଡ଼ ଦିନ ଛୁଟି ଥିବା ବେଳେ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ହେଲେ ହଠାତ ଶୀତ କମିଯିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ନିରାଶ ଦେଖାଦେଇଛି। ଏଭଳି ପାଣିପାଗ ରହିଲେ ନୂଆ ବର୍ଷ ଫିକା ପଡ଼ିବା ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବି ମହଲରେ କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ନୂଆ ବର୍ଷ ପାଇଁ ବଙ୍ଗଳା, ହୋଟେଲ ଆଦି ବୁକିଂ ଶେଷ ହୋଇଛି। ଏପରିକି ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ନୂତନ ଜଳପ୍ରପାତ ପାଟାବାନ୍ଧା ସମେତ ମିଡିୟୁାନ୍ଦା, ହିଲଭିୟୁ, ନେଚର ପାର୍କ, ଲଭର୍ସ ପଏଣ୍ଟ, କଫି ବଗିଚା ଆଦି କ୍ଷେତ୍ରରେ ଭିଡ଼ ଦେଖିବାକୁ ମିଳୁଛି।