Categories: ଖେଳ

ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ…

ମେଲବୋର୍ନ,୧୭।୧୦ : ଟି -୨୦ ବିଶ୍ୱକପ ସୁପର -୧୨ ରାଉଣ୍ଡ ପୂର୍ବରୁ, ସୁପର -୧୨ ରେ ପହଞ୍ଚିଥିବା ଦଳମାନଙ୍କୁ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳିବାକୁ ପଡିବ। ଏହି ଧାରାରେ ସୋମବାର ଭାରତ ଅଷ୍ଟ୍ରେଲିଆ ସହିତ ବ୍ରିସବେନର ଦ ଗାବା ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୬ ରନ କରିଛି। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ ରହିଛି।

କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟତୀତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନଥିଲେ। ରାହୁଲ ୩୩ ବଲରେ ୫୭ ରନ ଏବଂ ସୂର୍ଯ୍ୟକୁମାର ୩୩ ବଲରେ ୫୦ ରନ ସଂଗ୍ରହ କରିଥିଲେ।

ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ ପାଇଁ ରୋହିତ ଶର୍ମା ଏବଂ ରାହୁଲ ୪୫ ବଲରେ ୭୮ ରନ କରିଥିଲେ। ପ୍ରଥମ ଚାରି ଓଭରରେ ରୋହିତ ଷ୍ଟ୍ରାଇକ ପାଇ ନ ଥିବାରୁ ଖାତା ଖୋଲିପାରି ନ ଥିଲେ। ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଏହା ପରେ ସେ ଅଧିକ ସମୟ ପଡ଼ିଆରେ ରହିପାରି ନ ଥିଲେ। ସେ ୬ ଟି ଚୌକା ଓ ୩ ଛକା ସହାୟତାରେ ୩୩ ବଲରେ ୫୭ ରନ ପରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ।

୧୪ ବଲରେ ୧୫ ରନ ସ୍କୋର କରିବା ପରେ ରୋହିତ ଆଉଟ ହୋଇଥିଲେ। ବିରାଟ କୋହଲି ୧୩ ବଲରେ ୧୯ ରନ ସ୍କୋର କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବିଫଳ ହୋଇଥିଲେ ଏବଂ ମାତ୍ର ଦୁଇଟି ରନ ସ୍କୋର କରିବା ପରେ ପାଭିଲିୟନ ଫେରିଥିଲେ। ଦୀନେଶ କାର୍ତ୍ତିକ ଏବଂ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଇନିଂସ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ତେବେ କାର୍ତ୍ତିକ ୧୪ ବଲରେ ୨୦ ରନ କରି ଆଉଟ ହୋଇଯାଇଥିଲେ। ସୂର୍ଯ୍ୟକୁମାର ୫୦ ସ୍କୋର କରିଥିଲେ। ସେ ଏକ ଫୁଲଟସ ବଲରେ ଛକା ମାରିବାକୁ ଯାଇ କ୍ୟାଚ୍‌ ଆଉଟ ହୋଇଥିଲେ।

ସୂର୍ଯ୍ୟକୁମାର ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଦୁଇଟି ବଲରେ ୬ ରନ ସଂଗ୍ରହ ପରେ ଅଶ୍ୱିନ ଆଉଟ ହୋଇଥିଲେ। ଏଥି ସହ ଅକ୍ଷର ପଟେଲ ୬ ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପାଇଁ କେନ ରିଚାର୍ଡସନ ଚାରିଟି ୱିକେଟ ନେଇଥିଲେ। ଏଥି ସହିତ ଷ୍ଟାର୍କ, ଗ୍ଲେନ ମ୍ୟାକ୍ସୱେଲ ଏବଂ ଆଷ୍ଟନ ଅଗର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Share