ନୂଆଦିଲ୍ଲୀ,୨୦।୮: ଜନ୍ତର-ମନ୍ତରରେ ନିକଟରେ ହୋଇଥିବା ପ୍ରତିବାଦ ପରେ ଜେନ ଜି ଓ ଜେନ ଆଲ୍ଫା ପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏକ ବିଶେଷ ରଣନୀତି ଉପରେ କାମ କରୁଥିବା ଜଣାପଡ଼ିଛି। ଏଥିପାଇଁ ସରକାର ଦୁଇଟି ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି , ସେଗୁଡିକ ହେଉଛି ମନ୍ତ୍ରୀମାନଙ୍କ ଡିଜିଟାଲ କମ୍ୟୁନିକେସନକୁ ଆହୁରି ମଜବୁତ କରିବା ଏବଂ ବିଶ୍ୱବିଦ୍ୟାଳୟ ଓ ସ୍କୁଲ ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ସହ ସିଧାସଳଖ ଯୋଗାଯୋଗ ବଢ଼ାଇବା।
ଏହି ରଣନୀତିର ଅଂଶ ଭାବେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ସେମାନଙ୍କ ସୋସିଆଲ ମିଡିଆ ପ୍ରଦର୍ଶନର ବିସ୍ତୃତ ରିପୋର୍ଟ କାର୍ଡ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଏହି ରିପୋର୍ଟରେ ମେ’ ୧ରୁ ଅଗଷ୍ଟ ୧୫ ମଧ୍ୟରେ ମନ୍ତ୍ରୀମାନଙ୍କ ସୋସିଆଲ ମିଡିଆ କାର୍ଯ୍ୟକଳାପର ମୂଲ୍ୟାଙ୍କନ କରାଯାଇଥିଲା। ଏହି ସମୟରେ NEETକୁ ନେଇ ବିରୋଧ ପ୍ରଦର୍ଶନ ସହ ଯୁବପିଢ଼ିଙ୍କ ସୋସିଆଲ ମିଡିଆ ସକ୍ରିୟତା ମଧ୍ୟ ବଢ଼ିଥିଲା। ସୂଚନା ଅନୁସାରେ, LinkedIn, Instagram, X ଓ Facebook ଭଳି ପ୍ଲାଟଫର୍ମରେ ମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ବିଭିନ୍ନ ମାପଦଣ୍ଡରେ ପରଖାଯାଇଥିଲା। ଏଥିରେ ଦୈନିକ ହାରାହାରି ପୋଷ୍ଟ, ମୋଟ ଏନଗେଜ୍ମେଣ୍ଟ, ପ୍ରତି ପୋଷ୍ଟରେ ହାରାହାରି ଏନଗେଜ୍ମେଣ୍ଟ, ମୋଟ ଓ ହାରାହାରି ଲାଇକ, ଫଲୋଅର୍ସ ସଂଖ୍ୟା ଏବଂ ମୋଟ ଇଣ୍ଟରାକ୍ସନକୁ ଆଧାର କରାଯାଇଥିଲା।
କେବଳ ଫଲୋଅର୍ସ ସଂଖ୍ୟା ନୁହେଁ, ମନ୍ତ୍ରୀମାନଙ୍କ ଡିଜିଟାଲ ପହଞ୍ଚ କେତେ ପ୍ରଭାବଶାଳୀ, ତାହା ଜାଣିବା ଏହି ମୂଲ୍ୟାଙ୍କନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଓଭରଅଲ ରାଙ୍କିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ ରହିଥିବା ସୂଚନା ମିଳିଛି। ଭଲ ପ୍ରଦର୍ଶନ କରିଥିବା କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ମଧ୍ୟରେ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡକରୀ, ଶିବରାଜ ସିଂହ ଚୌହାନ, ପୀୟୂଷ ଗୋୟଲ, ଅଶ୍ୱିନୀ ବୈଷ୍ଣବ ଏବଂ ସିଆର ପାଟିଲଙ୍କ ନାମ ରହିଛି। ଅନ୍ୟପଟେ NDAର କିଛି ସହଯୋଗୀ ଦଳର ମନ୍ତ୍ରୀମାନଙ୍କୁ ନିଜ ଡିଜିଟାଲ ଏନ୍ଗେଜମେଣ୍ଟ ଆହୁରି ମଜବୁତ କରିବାର ଆବଶ୍ୟକତା ଥିବା କୁହାଯାଇଛି।
ସରକାରଙ୍କ ଏହି ପ୍ରୟାସ କେବଳ ସୋସିଆଲ ମିଡିଆରେ ସୀମିତ ରହିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ ନିଜ ନିଜ ଜିଲାର ସରକାରୀ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରୀଛାତ୍ରଙ୍କ ସହ ସିଧାସଳଖ ଆଲୋଚନା କରିବାକୁ କହିଥିବା ଜଣାପଡ଼ିଛି।
କିଛି ରାଜ୍ୟରେ ଜେନ ଆଲ୍ଫା ପିଢ଼ିର ଛାତ୍ରୀଛାତ୍ରମାନେ ଅପର୍ଯ୍ୟାପ୍ତ ଭିତ୍ତିଭୂମି ଓ ସୁବିଧାକୁ ନେଇ ପ୍ରତିବାଦ କରୁଥିବା ଖବର ମଧ୍ୟରେ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ମନ୍ତ୍ରୀମାନଙ୍କୁ ଅନଲାଇନରେ ଅର୍ଥପୂର୍ଣ୍ଣ ଏନ୍ଗେଜମେଣ୍ଟ ବଢ଼ାଇବା ସହ ଲୋକଙ୍କ ସମସ୍ୟା ଓ ଚିନ୍ତା ଉପରେ ଅଧିକ ସକ୍ରିୟ ଭାବେ ପ୍ରତିକ୍ରିୟା ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିବା ସୂଚନା ରହିଛି।