Categories: ଖେଳ

ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ

ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍‌ର ବିଜେତା ତଥା ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଙ୍କୁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ସହ ପୁରୁସ୍କାର ବାବଦକୁ ୧.୬ ନିୟୁତ ଡଲାର (୧୧.୭୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ପ୍ରଦାନ କରାଯିବ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ୨ ବର୍ଷ ଧରି ୯ଟି ଦଳ ମଧ୍ୟରେ ଖେଳାଯାଇଥିବା ପ୍ରତିଯୋଗିତାରେ ଦ୍ୱିତୀୟ ତଥା ରନର୍ସଅପ୍‌ ଦଳକୁ ୮ ଲକ୍ଷ ଡଲାର ପ୍ରଦାନ କରାଯିବ। ଯଦି ଡବ୍ଲ୍ୟୁଟିସି ଫାଇନାଲ ଡ୍ର’ ହୁଏ, ତେବେ ଚାମ୍ପିୟନ ଓ ରନର୍ସଅପ୍‌ ପାଇଁ ରଖାଯାଇଥିବା ପୁରସ୍କାର ରାଶିକୁ ମିଶାଇ ଅଧା ଅଧା ଭାଗ କରାଯିବ।

ସେହିଭଳି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ତାଲିକାର ୩ୟ ସ୍ଥାନରେ ଥିବା ଦଳକୁ ୪.୫ ଲକ୍ଷ, ଚତୁର୍ଥ ଦଳକୁ ୩.୫ ଲକ୍ଷ ଓ ୫ମ ଦଳକୁ ୨ ଲକ୍ଷ ଡଲାର ପୁରସ୍କାର ବାବଦକୁ ଦିଆଯିବ। ପ୍ରତିଯୋଗିତାର ଅନ୍ୟ ୪ ଦଳକୁ ୧ ଲକ୍ଷ ଲେଖାଏ ଡଲାର ଦିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଆଇସିସି ଟେଷ୍ଟ ଦଳଗତ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ଥିବା ଦଳକୁ ଟେଷ୍ଟ ଗଦା ପ୍ରଦାନ କରାଯାଉଥିଲା। ଏବେ ଡବ୍ଲ୍ୟୁଟିସି ଚାମ୍ପିୟନକୁ ଏହି ଟ୍ରଫି ହସ୍ତାନ୍ତର କରାଯିବ।

Share