Categories: ଜାତୀୟ

ଆଖିରେ ଇଙ୍ଗିତ-ଫ୍ଲାଇଙ୍ଗ୍‌ କିସ୍‌ ବି ନିର୍ଯାତନା: ଅଭିଯୁକ୍ତଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

ମୁମ୍ବାଇ,୧୧।୪: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ମୁମ୍ବାଇର ଏକ ଟ୍ରାଏଲ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆଖିରେ ଇଙ୍ଗିତ କରିବା ଅବା ଫ୍ଲାଇଙ୍ଗ କିସ୍‌ ବି ନିର୍ଯାତନା ବୋଲି କୋର୍ଟ କହିଛନ୍ତି। ତେଣୁ କୋର୍ଟ ଜଣେ ଅଭିଯୁକ୍ତ ୨୦ ବର୍ଷ ବୟସ୍କ ଯୁବକଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ କରିଛନ୍ତି। ୨୦୨୦ ଫେବୃୟାରୀ ୨୯ରେ ଯୁବକ ଜଣକ ଜଣେ ୧୪ ବର୍ଷ ନାବାଳିକାଙ୍କୁ ଆଖିରେ ଇଙ୍ଗିତ କରିବା ସହିତ ଫ୍ଳାଇଙ୍ଗ୍‌ କିସ୍‌ ଦେଇଥିଲେ। ଏନେଇ ନାବାଳିକା ଜଣକ ତାଙ୍କ ମାଙ୍କୁ କହିଥିଲେ। ପରେ ନାବାଳିକାଙ୍କ ମା ଯୁବକଙ୍କ ବିରୋଧରେ ଏଲ୍‌ଟି ମାର୍ଗ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏତଲା ଆଧାରରେ ଯୁବକଙ୍କୁ ଗିରଫ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଟ୍ରାଏଲ୍‌ କୋର୍ଟ ବିଚାର ସମୟରେ ଯୁବକ କହିଥିଲେ ଯେ, ସେ ଏବଂ ନାବାଳିକା ଜଣକ ଦୁଇ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମା ଏଭଳି ଅଭିଯୋଗ ଆଣିଛନ୍ତି। ନାବାଳିକାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ବାଜି ଲଗାଇ ସେ ଏଭଳି କରିଥିଲେ ବୋଲି ଯୁବକ ଜଣକ କୋର୍ଟରେ ପ୍ରକାଶ କରିଥିଲେ। ସାକ୍ଷ୍ୟ ବୟାନ ଆଧାରରେ କୋର୍ଟ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଦଣ୍ଡାଦେଶ କରିଛନ୍ତି।

Share