ମଦ ବ୍ୟବସାୟୀଙ୍କ ମାଡ଼ରେ ଖବରଦାତା ଲହୁଲୁହାଣ

ତିଗିରିଆ, ୧୨ା୮( ଡି.ଏନ.ଏ.): ତିଗିରିଆ ବ୍ଲକ କରଡ଼ାପଲ୍ଲୀ ଗଁାର ଖବରଦାତା ପନିଆ ଖଁାଙ୍କୁ ସେହି ଗଁାର ୨ ଜଣ ଦେଶୀ ମଦ ବ୍ୟବସାୟୀ ନିସ୍ତୁକ ପିଟି ଲହୁଲୁହାଣ କରିଛନ୍ତି। ମଙ୍ଗଳବାର ରାତିରେ ଉଭୟ ମଦ ବ୍ୟବସାୟୀ ପନିଆଙ୍କୁ ଏକ ଗଣ୍ଡଗୋଳ ଘଟଣାର ସମାଧାନ କରିବାକୁ ଡାକିନେଇ ତାଙ୍କୁ ମାଡ ମାରିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ଏପରି କି ପନିଆଙ୍କ ପାଖରେ ଥିବା ୩୦ ହଜାର ଟଙ୍କା ସେମାନେ ଛଡାଇ ନେଇଥିବା ତିଗିରିଆ ଥାନାରେ ବୁଧବାର ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ମଦ ବ୍ୟବସାୟୀଦ୍ୱୟ ନିକଟସ୍ଥ ବରମାଣ ଜଙ୍ଗଲରେ ଦେଶୀ ମଦ ରାନ୍ଧି ବିକ୍ରି କରୁଥିଲେ। ଏ ସଂକ୍ରାନ୍ତରେ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ ଖବର ପାଇ ବାରମ୍ବାର ଚଢ଼ାଉ କରୁଥିଲା। ପନିଆ ଏ ସଂକ୍ରାନ୍ତରେ ଅବକାରୀ ବିଭାଗକୁ ଖବର ଦେଉଥିବା ସନ୍ଦେହରେ ମଙ୍ଗଳବାର ରାତିରେ ଗଁାର ଅନୱାର ଖଁା, ଖୋଦା ବକ୍ସ ଦଳବେହେରା ଏକ କାର(ନଂ. ଓଆର ୧୩ ଜି ୭୭୬୬)ରେ ତାଙ୍କୁ ଘରୁ ଡାକି ଆଣିଥିଲେ। ସେଠାରୁ ତାଙ୍କୁ ତିଗିରିଆ ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ନେଇଥିଲେ। ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଳିଗୁଲଜ କରି କରଡ଼ାପଲ୍ଲୀ ସ୍କୁଲ ପାଖକୁ ନେଇଥିଲେ। ସେଠାରେ କାରରୁ ଓହ୍ଲାଇ ପନିଆଙ୍କୁ ନିସ୍ତୁକ ପିଟିବାରୁ ସେ ତଳେ ପଡିଯାଇଥିଲେ। ଏହାପରେ ଜୀବନ ବିକଳରେ ପନିଆ ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ପ୍ୟାଣ୍ଟ ପକେଟରେ ଥିବା ୩୦ ହଜାର ଟଙ୍କା ସେମାନେ ଛଡେଇ ନେଇଥିଲେ। ଆମ ବିଷୟରେ କୌଣସି ଖବର ଅବକାରୀ ବିଭାଗକୁ ଦେଲେ ତତେ ଜୀବନରେ ମାରିଦେବୁ ବୋଲି କହିଥିଲେ। ଆମର କେଉଁ ଖବରଦାତା କ’ଣ କରିବେ ଆମେ ଦେଖିବୁ ବୋଲି ସେମାନେ ଧମକ ଦେଇଥିବା ପନିଆ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ପନିଆ ଥାନାରେ ଅଭିଯୋଗ କରିବା ସମୟରେ ବ୍ଲକର ସମସ୍ତ ଖବରଦାତା ଉପସ୍ଥିତ ଥିଲେ। ଅଭିଯୁକ୍ତଦ୍ୱୟଙ୍କୁ ତୁରନ୍ତ ଗିରଫ କରିବାକୁ ଆଇଆଇସି ବନବିହାରୀ ପ୍ରଧାନଙ୍କ ନିକଟରେ ଖବରଦାତାମାନେ ଦାବି କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା (ନଂ.୧୦୫/୨୧) ରୁଜୁ ହୋଇଛି।