Categories: ଖେଳ

ଭାରତ ବିପକ୍ଷ ଟି-୨୦ ସିରିଜ୍‌ରୁ ଖେଳିବେ ନାହିଁ ୱିଲିୟମସନ

ନୂଆଦିଲ୍ଲୀ,୧୬।୧୧: ଭାରତ ବିପକ୍ଷ ୩ ଟି -୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ତାର ଦଳ ଘୋଷଣା କରିଛି। ଅଧିନାୟକ କେନ ୱିଲିୟମସନ ଏହି ସିରିଜ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଟିମ ସାଉଥିଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଟେଷ୍ଟ ପ୍ରସ୍ତୁତି ଦୃଷ୍ଟିରୁ ୱିଲିୟମସନ ଟି-୨୦ ସିରିଜରୁ ନିଜକୁ ଦୂରେଇ ରଖିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟି -୨୦ସିରିଜ ପରେ ୨ ଟି ଟେଷ୍ଟ ମଧ୍ୟ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୨୫ ରୁ କାନପୁରରେ ଅନୁଷ୍ଠିତ ହେବ। ଦ୍ୱିତୀୟଟି ଡିସେମ୍ବର ୩ରୁ ମୁମ୍ବାଇରେ ଖେଳାଯିବ। ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଏକ ଅଂଶ ହେବ। ସେଥିପାଇଁ ୱିଲିୟମସନ ଏହା ଉପରେ ଧ୍ୟାନ ଦେବା ଉଦ୍ଦେଶ୍ୟରେ ଟି -୨୦ ସିରିଜ ନ ଖେଳିବାକୁ ସ୍ଥିର କରିଛନ୍ତି।
ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୪ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ବ୍ୟାଟିଂ ଦାୟିତ୍ୱ ଡାରିଲ ମିଚେଲ, ମାର୍ଟିନ ଗୁପ୍ତିଲ, ଗ୍ଲେନ ଫିଲିପ୍ସଙ୍କ କାନ୍ଧରେ ରହିବ। ଟିମ ସାଉଥି ଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ। ଇଶ ସୋଢି ଏବଂ ମିଚେଲ ସାଣ୍ଟନର୍‌ ସ୍ପିନ ବୋଲର ଭାବରେ ଦଳକୁ ମଜଭୁତ କରିବେ।
ଟି -୨୦ ବିଶ୍ୱକପ ଫାଇନାଲ ହାରିବାର ୨୪ ଘଣ୍ଟା ପରେ ୱିଲିୟମସନ ୧୫ ସଦସ୍ୟ ବିଶିଷ୍ଟ ନ୍ୟୁଜିଲାଣ୍ଡ ଦଳ ସହିତ ସୋମବାର ସାରେ ଜୟପୁରରେ ପହଞ୍ଚିଥିଲେ। ବୁଧବାର ଏଠାରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ। ଦ୍ୱିତୀୟ ଟି-୨୦ ଶୁକ୍ରବାର ଏବଂ ଶେଷ ମ୍ୟାଚ ରବିବାର ହେବ।

Share