୧୯ ବଲ୍‌ରେ ୪୫ ରନ୍‌ ସତ୍ତ୍ୱେ ବୈଭବଙ୍କୁ ମିଳିବନି ସୁଯୋଗ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ପ୍ରଦର୍ଶନ କରିଛି । ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୧୯୯ ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି । ଏହି ମ୍ୟାଚ୍‌ରେ ବୈଭବ ମାତ୍ର ୧୯ଟି ବଲ୍‌ରେ ୪୫ ରନ୍‌ କରିଥିଲେ । ତାଙ୍କ ଇନିଂସ୍‌ରେ ୪ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ଏହି ପ୍ରଦର୍ଶନ ପରେ ଦଳରେ ତାଙ୍କ ସ୍ଥାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ତେବେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଦିନେଶ କାର୍ତ୍ତିକଙ୍କ ମତରେ, ଆଗାମୀ ମ୍ୟାଚ୍‌ରେ ବୈଭବଙ୍କୁ ପ୍ଲେଇଂ ଇଲେଭେନ୍‌ରୁ ବାଦ୍‌ ପଡ଼ିବାକୁ ପଡ଼ିପାରେ।

ପ୍ରଥମ ଟି-୨୦ ମ୍ୟାଚ୍‌ରେ ଈଶାନ କିଶନ ଆହତ ହୋଇଥିବାରୁ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ଖେଳିପାରି ନଥିଲେ । ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସୁଯୋଗ ମିଳିଥିଲା। କିନ୍ତୁ ଈଶାନ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ଫେରିଲେ ବୈଭବଙ୍କୁ ବାହାରେ ବସିବାକୁ ପଡ଼ିପାରେ ବୋଲି କହିଛନ୍ତି ଦିନେଶ କାର୍ତ୍ତିକ। କ୍ରିକ୍‌ବଜ୍‌ ସହ ଆଲୋଚନା ବେଳେ କାର୍ତ୍ତିକ କହିଛନ୍ତି, ସମସ୍ତ ଖେଳାଳି ଉପଲବ୍ଧ ଥିଲେ ବୈଭବଙ୍କୁ ନିଜ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ । ତିନି ଜଣ ଖେଳାଳି ଭଲ ପ୍ରଦର୍ଶନ କରୁଥିବାରୁ ଏହା ଏକ କଠିନ ପରିସ୍ଥିତି ହେଲେ ମଧ୍ୟ ଦଳ ଚୟନରେ ଏଭଳି ସ୍ଥିତି ଆସିଥାଏ।

ତେବେ ଭାରତ ଯଦି ୩-୦ରେ ସିରିଜ୍‌ ଜିତିବା ପରେ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହେଁ, ତେବେ ବୈଭବ ଦଳରେ ନିଜ ସ୍ଥାନ ବଜାୟ ରଖିପାରନ୍ତି। ଭାରତ ୩-୦ରେ ସିରିଜ୍‌ ଆଗୁଆ ଥିବାରୁ ଅବଶିଷ୍ଟ ମ୍ୟାଚ୍‌ରେ ଦଳ ପରିଚାଳନା କିଛି ପରିବର୍ତ୍ତନ କରିପାରେ ବୋଲି କାର୍ତ୍ତିକ ମତ ଦେଇଛନ୍ତି । କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ମୟଙ୍କ ଯାଦବ ଓ ଶିବମ ଦୁବେଙ୍କ ଭଳି ଖେଳାଳି ଏବେ ବାହାରେ ବସିଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ସୁଯୋଗ ଦେବା ଉଚିତ ବୋଲି ସେ ମତ ଦେଇଛନ୍ତି।

କାର୍ତ୍ତିକଙ୍କ ଅନୁସାରେ, ଜିତିବା ଏକ ଅଭ୍ୟାସ ଓ ମାନସିକତା। ତେଣୁ ଦଳରେ ପରିବର୍ତ୍ତନ କରିବା ସହ ବିଜୟ ଧାରା ଜାରି ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଯଦି ଦଳ ପରିଚାଳନା ସିରିଜ୍‌ରେ ଅନ୍ୟ ଖେଳାଳିଙ୍କୁ ପରଖିବାକୁ ଚାହେଁ, ତେବେ ଆଗାମୀ ମ୍ୟାଚ୍‌ଗୁଡ଼ିକ ଏଥିପାଇଁ ଉପଯୁକ୍ତ ସୁଯୋଗ ହୋଇପାରେ।

 

Dharitri – Odisha’s No.1 Odia Daily

Share