ସୈନ୍ୟବାହିନୀକୁ ‘ଗ୍ରେଟ୍‌ ଓ୍ବାଲ୍‌ ଅଫ୍‌ ଷ୍ଟିଲ୍‌’ରେ ପରିଣତ କରିବି: ଜିନ୍‌ପିଙ୍ଗ

ବେଜିଂ,୧୪ା୩ : ଚାଇନାର ସାର୍ବଭୌମତ୍ୱ ରକ୍ଷା ଲାଗି ସୈନ୍ୟବାହିନୀକୁ ‘ଗ୍ରେଟ୍‌ ଓ୍ବାଲ୍‌ ଅଫ୍‌ ଷ୍ଟିଲ୍‌’ରେ ପରିଣତ କରିବେ ବୋଲି ଏହାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ସୋମବାର ସଂକଳ୍ପ କରିଛନ୍ତି। ଆମେରିକା ଏବଂ କେତେକ ପଡୋଶୀ ଦେଶ ସହ ଚାଇନାର ଉତ୍ତେଜନା ବଢ଼ୁଥିବାବେଳେ ୬୯ ବର୍ଷୀୟ ଜିନ୍‌ପିଙ୍ଗ ଏଭଳି ଶପଥ ନେଇଛନ୍ତି। ସାଉଦି ଆରବ ଏବଂ ଇରାନ ମଧ୍ୟରେ କୂଟନୈତିକ ଡିଲ୍‌ ପରେ ବିଶ୍ୱ ବ୍ୟାପାରରେ ବେଜିଂର ବୃହତ୍‌ ଭୂମିକା ପାଇଁ ଜିନ୍‌ପିଙ୍ଗ ଆହ୍ବାନ ଦେଇଛନ୍ତି। ତୃତୀୟ ଥର ପାଇଁ ଚାଇନାର ରାଷ୍ଟ୍ରପତି ହେବା ପରେ ଜିନ୍‌ପିଙ୍ଗ ତାଙ୍କର ପ୍ରଥମ ଥର ପାଇଁ ଉଦ୍‌ବୋଧନ ଦେଇ ତାଙ୍କ ନେତୃତ୍ୱରେ ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ନେତୃତ୍ୱକୁ କାଏମ ରଖିବା ଲାଗି ରାଷ୍ଟ୍ରକୁ ଆହ୍ବାନ ଦେଇଛନ୍ତି। ସିପିସିର ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ଭଳି ଜିନ୍‌ପିଙ୍ଗ ଦଳର ମୁଖ୍ୟ ନେତା। ତୃତୀୟ ଥର ରାଷ୍ଟ୍ରପତି ଏବଂ ସେଣ୍ଟ୍ରାଲ ମିଲିଟାରୀ କମିଶନ (ସିଏମ୍‌ସି) ମୁଖ୍ୟ ଭାବେ ଜିନ୍‌ପିଙ୍ଗଙ୍କ ନିଯୁକ୍ତିକୁ ଗତ ସପ୍ତାହରେ ପାର୍ଲାମେଣ୍ଟ ସମର୍ଥନ ଜଣାଇଥିଲା। ସେ ଗତବର୍ଷ ଅକ୍ଟୋବରରେ ତୃତୀୟ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ସିପିସି ମୁଖ୍ୟ ନିର୍ବାଚିତ ହୋଇଥିଲେ।

Share