୫୭ ବର୍ଷର ଅପେକ୍ଷାର ହେବ କି ଅନ୍ତ! ଚିନ୍ତାଜନକ ଭାରତୀୟ ଦଳର ଟେଷ୍ଟ ରେକର୍ଡ

ନୂଆଦିଲ୍ଲୀ,୧୮।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଦଳ। ଟି-୨୦ ଓ ଦିନିକିଆ ସିରିଜ୍‌ର ରୋମାଞ୍ଚ ଶେଷ ହେବା ପରେ ଏବେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌ର ଲଢ଼େଇ। ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନ୍‌ର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯିବ। ତେବେ ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଦଳର ଟେଷ୍ଟ ରେକର୍ଡ ଚିନ୍ତାଜନକ ରହିଛି।
ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ କ୍ରିକେଟ୍‌ରେ ଭାରତର ରେକର୍ଡ ଆଦୌ ଭଲ ନାହିଁ। ଦୀର୍ଘ ୫୭ ବର୍ଷ ଧରି ଭାରତୀୟ ଦଳ ସେଠାରେ କୌଣସି ଟେଷ୍ଟ ସିରିଜ ଜିତିପାରିନାହିଁ। ଶେଷ ଥର ପାଇଁ ୧୯୬୮ ମସିହାରେ ଭାରତ ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିଥିଲା। ସେତେବେଳେ ମନସୁର ଅଲ୍ଲୀ ଖାନ ପଟୌଦିଙ୍କ ନେତୃତ୍ୱରେ ଭାରତ ୪ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତିଥିଲା। ବିଦେଶ ମାଟିରେ ଭାରତର ଏହା ପ୍ରଥମ ଟେଷ୍ଟ ସିରିଜ ବିଜୟ ଥିଲା।
ନ୍ୟୁଜିଲାଣ୍ଡରେ ଗତ ୫୦ ବର୍ଷ ମଧ୍ୟରେ ଭାରତୀୟ ଦଳ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇଛି। ୨୦୦୯ ମସିହାରେ ହାମିଲଟନ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୧୦ ଉଇକେଟରେ ପରାସ୍ତ କରିଥିଲା। ଏହା ପୂର୍ବରୁ ୧୯୭୬ ଜାନୁଆରୀରେ ଅକଲାଣ୍ଡରେ ଭାରତ ୮ ଉଇକେଟରେ ବିଜୟୀ ହୋଇଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୬୫ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ସେଥିରୁ ଭାରତ ୨୨ଟି ମ୍ୟାଚ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୧୬ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଅନ୍ୟ ୨୭ଟି ମ୍ୟାଚ ଡ୍ର’ ରହିଛି।

ଭାରତ ଓ ନ୍ୟୁଜିଲାଣ୍ଡ ଶେଷ ଥର ପାଇଁ ୨୦୨୪ରେ ଟେଷ୍ଟ ସିରିଜ୍‌ରେ ମୁହାଁମୁହିଁ ହୋଇଥିଲେ। ଭାରତ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ଜିତି ଇତିହାସ ରଚିଥିଲା। ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ପ୍ରଥମ ଟେଷ୍ଟ ସିରିଜ ପରାଜୟ ଥିଲା। ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ମାଟିରେ ଆସନ୍ତା ଟେଷ୍ଟ ସିରିଜ ଭାରତ ପାଇଁ ଏକ ବଡ଼ ଆହ୍ବାନ ହେବ। ଦୀର୍ଘ ବର୍ଷର ସିରିଜ ବିଜୟ ମରୁଡ଼ି ଦୂର କରିବାକୁ ଭାରତୀୟ ଦଳ କେତେ ସଫଳ ହେଉଛି, ତାହା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ।

 

Dharitri – Odisha’s No.1 Odia Daily

 

Share