ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ଲାଗି ୨୩,୧୮୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଏହାକୁ ଏକ ପ୍ରମୁଖ ପ୍ରାଥମିକତା ଭାବେ ଦେଖାଯାଉଛି। ତେବେ ଚଳିତ ବର୍ଷର ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟବରାଦ ପୂର୍ବ ବର୍ଷ (୨୦୨୫-୨୬ ବଜେଟ ଆକଳନ) ତୁଳନାରେ ମାତ୍ର ୨% ବୃଦ୍ଧି ପାଇଛି, ଯାହା ୨୦୨୬-୨୭ ଆର୍ଥିକ ବର୍ଷର ସମୁଦାୟ ସରକାରୀ ଆକଳନ ୭.୫% । ଉଲ୍ଲେଖନୀୟ ଯେ, ୨୦୨୪ରେ କ୍ଷମତାକୁ ଆସିବା ପରେ ଭାଜପା ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଯେଉଁ ବୃଦ୍ଧି କରିଥିଲେ, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୨୦୨୪-୨୫ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ ୧୯,୭୨୯ କୋଟି ଟଙ୍କା ଥିବା ବେଳେ ୨୦୨୫-୨୬ ବଜେଟରେ ୨୨,୭୪୧ କୋଟି ଟଙ୍କାରେ ପହଞ୍ଚିଥିଲା, ଯାହା ମାତ୍ର ଏକ ବର୍ଷ ମଧ୍ୟରେ ୧୫% ର ଚମକପ୍ରଦ ବୃଦ୍ଧି ଥିଲା। କିନ୍ତୁ ଚଳିତ ଥର ପରିସ୍ଥିତି ଟିକେ ଭିନ୍ନ। ଗତ ବର୍ଷର ବୃହତ୍ତର ବୃଦ୍ଧି ତୁଳନାରେ ଚଳିତ ବର୍ଷର ୨% ବୃଦ୍ଧି ଅତ୍ୟନ୍ତ ସାମାନ୍ୟ। ଆଉ ଯଦି ମୁଦ୍ରାସ୍ଫୀତି ହିସାବକୁ ନିଆଯାଏ, ଚଳିତ ବର୍ଷର ବ୍ୟୟବରାଦର ବୃଦ୍ଧି ପୂର୍ବ ବର୍ଷ ତୁଳନାରେ କମ୍‌।
ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସଂସ୍ଥାଗତ ପ୍ରସବ ହାର ବୃଦ୍ଧି, ସମ୍ପୂର୍ଣ୍ଣ ଟିକାକରଣ, ଶିଶୁ ମୃତ୍ୟୁ ହାର ହ୍ରାସ, ଯକ୍ଷ୍ମା ଓ ମ୍ୟାଲେରିଆ ନିୟନ୍ତ୍ରଣରେ ରାଜ୍ୟ ଯେଉଁ ପ୍ରଗତି କରିଛି, ତାହା ସରକାରଙ୍କ ନୀତିଗତ ହସ୍ତକ୍ଷେପର ସଫଳତା ବୋଲି କୁହାଯାଇପାରେ। ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଭାରତ ଏବଂ ଓଡ଼ିଶା ଉଭୟ କ୍ଷେତ୍ରରେ ଶିଶୁ ମୃତ୍ୟୁ ହାର (ଆଇଏମ୍‌ଆର୍‌)ରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି। ଭାରତର ଶିଶୁ ମୃତ୍ୟୁ ହାର ପ୍ରତି ୧,୦୦୦ ଶିଶୁରେ ୩୦ରୁ ୨୫କୁ ହ୍ରାସ ପାଇଥିବା ବେଳେ, ଓଡ଼ିଶାରେ ଏହା ୩୮ରୁ ୩୦କୁ ଖସି ଆସିଛି, ଯାହାକି ଅପେକ୍ଷାକୃତ ଅଧିକ ହ୍ରାସ ପାଇଛି । ତଥାପି ମାତୃ ମୃତ୍ୟୁ ହାର (ଏମ୍‌ଏମ୍‌ଆର୍‌) ଏବେ ବି ଏକ ଗୁରୁତର ସମସ୍ୟା ଭାବେ ରହିଛି। ଜାତୀୟ ସ୍ତରରେ ମାତୃ ମୃତ୍ୟୁ ହାର ହ୍ରାସ ପାଉଥିବା ବେଳେ ଓଡ଼ିଶାରେ ଏହା ଅପେକ୍ଷାକୃତ ଭାବେ ଅଧିକ ରହିଛି। ସାମ୍ପ୍ରତିକ ତଥ୍ୟାନୁସାରେ ଓଡ଼ିଶାର ମାତୃ ମୃତ୍ୟୁ ହାର (ପ୍ରତି ଲକ୍ଷେ ଜୀବିତ ଜନ୍ମ ୧୧୮) ଜାତୀୟ ହାର (ପ୍ରତି ଲକ୍ଷେ ଜୀବିତ ଜନ୍ମ ୮୮) ଠାରୁ ଅଧିକ। ଏହା ସହିତ ଅପପୁଷ୍ଟିଜନିତ ରୋଗଭାର ମଧ୍ୟ ଏବେ ବି ବଡ଼ ଆହ୍ବାନ ହୋଇ ରହିଛି। ଅନ୍ୟପକ୍ଷରେ, ଅଣସଂକ୍ରାମକ ରୋଗ (ଏନ୍‌ସିଡି) ଆଜି ଓଡ଼ିଶା ପାଇଁ ଏକ ନୂତନ ଓ ଗୁରୁତର ସମସ୍ୟା ଭାବେ ଉଭା ହାଇଛି। ୨୦୩୬ ସୁଦ୍ଧା ରାଜ୍ୟର ମୋଟ ଜନସଂଖ୍ୟାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସଂଖ୍ୟା ପ୍ରାୟ ୧୨% କୁ ବୃଦ୍ଧି ପାଇବ, ଯାହା ବାର୍ଦ୍ଧକ୍ୟ ଜନିତ ଚିକିତ୍ସା କ୍ଷେତ୍ରରେ ଅଧିକ ନିବେଶର ଆବଶ୍ୟକତା ଅଛି। ଏଇ ବର୍ଷର ବଜେଟ ଆକଳନ ଉପରୋକ୍ତ ସମସ୍ୟାର ସମାଧାନ ଦିଗରେ କେତେଦୂର ସହାୟକ ହୋଇପାରିବ ତାହାକୁ ତର୍ଜମା କରିବାର ଆବଶ୍ୟକ ଅଛି।
ଚଳିତ ବଜେଟ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ଼ କେନ୍ଦ୍ର (ସିଏଚ୍‌ସି)ରୁ ଆରମ୍ଭ କରି ମେଡିକାଲ କଲେଜ ହସ୍ପିଟାଲ ପର୍ଯ୍ୟନ୍ତ ଶଯ୍ୟା ବୃଦ୍ଧି ଏବଂ ଡାକ୍ତର, ପାରାମେଡିକ୍ସ ଭଳି ମାନବ ସମ୍ବଳ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ମିଶନ ପାଇଁ ୨୦୨୬-୨୭ ବଜେଟରେ ୫୦୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହା ଗତ ବର୍ଷ (୨୦୨୫-୨୬ ବଜେଟ ଅନୁମାନ) ଥିବା ୩୮୮୧ କୋଟି ତୁଳନାରେ ୨୯% ଅଧିକ। କିନ୍ତୁ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପାଇଁ ୨୦୨୬-୨୭ ବଜେଟରେ ୧୯୫୮ କୋଟି ବ୍ୟୟବରାଦ କରାଯାଇଛି, ଯାହା ୨୦୨୫-୨୬ ବଜେଟ ଅନୁମାନ (୨୦୫୧ କୋଟି) ତୁଳନାରେ କମ୍‌ । ଜାତୀୟ ସ୍ବାସ୍ଥ୍ୟ ମିଶନରେ ଯାହା ଖର୍ଚ୍ଚ କରାଯାଏ ତାହା ପ୍ରାଥମିକ ଓ ମାଧ୍ୟମିକ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ। ଏହି କ୍ଷେତ୍ରରେ ବ୍ୟୟବରାଦକୁ ବୃଦ୍ଧି କିପରି କରାଯିବ ସେ ଦିଗରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ଅଛି।
ଚଳିତ ବଜେଟରେ ନିରାମୟ ଯୋଜନା (ଫ୍ରି ମେଡିସିନ) ପାଇଁ ୭୮୬ କୋଟି ବ୍ୟୟବରାଦ କରାଯାଇଛି, ଯାହାକି ୨୦୨୫-୨୬ ବଜେଟ ଅନୁମାନରେ ୯୪୦ କୋଟି ଥିଲା। ସେହିପରି ଜରୁରିକାଳୀନ ଆମ୍ବୁଲାନ୍ସ ସ୍କିମ୍‌ ପାଇଁ ୧୯୮ କୋଟି ବ୍ୟୟବରାଦ ହୋଇଛି (୨୦୨୫-୨୬ ବଜେଟରେ ୨୨୨ କୋଟି)। ଅପରପକ୍ଷେ, ନିଦାନ ଯୋଜନା ଅଧୀନରେ ମାଗଣା ରୋଗ ନିର୍ଣ୍ଣୟ ଓ ଡାଏଲିସିସ୍‌ ସେବା ପାଇଁ ବ୍ୟୟବରାଦ ୨୨୯ କୋଟିରୁ (୨୦୨୫-୨୬ ବିଇ) ୩୭୧ କୋଟି (୨୦୨୬-୨୭ ବିଇ) ଟଙ୍କାକୁ ବୃଦ୍ଧି ପାଇଛି।
ଓଡ଼ିଶା ସେହି କେତେକ ରାଜ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁଠାରେ ଚିକିତ୍ସା ପାଇଁ ସରକାରୀ ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ ଉପରେ ନିର୍ଭରଶୀଳତା ସର୍ବାଧିକ। ତଥାପି ନିଜସ୍ବ ସ୍ବାସ୍ଥ୍ୟ ବ୍ୟୟ(ଓଓପିଇ) ମୋଟ ସ୍ବାସ୍ଥ୍ୟ ବ୍ୟୟର ୩୮ % ରହିଛି, ଯାହା ଏକ ଗମ୍ଭୀର ଚିନ୍ତାର ବିଷୟ। ଗୋପବନ୍ଧୁ ଜନ ଆରୋଗ୍ୟ଼ ଯୋଜନା (ଜିଜେଏଓ୍ବାଇ) ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ଼ ଯୋଜନା (ପିଏମ୍‌ଜେଏଓ୍ବାଇ) ଭଳି ମିଳିତ ସ୍ବାସ୍ଥ୍ୟ ବୀମା ଯୋଜନା ପାଇଁ ୨୦୨୬-୨୭ ବଜେଟରେ ୪୨୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହାର ଉଦ୍ଦେଶ୍ୟ ଚିକିତ୍ସାଜନିତ ଖର୍ଚ୍ଚ ହ୍ରାସ କରିବା। ସେହିପରି ଆୟୁଷ ଶିକ୍ଷାର ପ୍ରସାର ଏବଂ ଭାରତୀୟ ଚିକିତ୍ସା ପଦ୍ଧତିକୁ ପ୍ରାଥମିକ ସ୍ବାସ୍ଥ୍ୟସେବାରେ ଏକକୀକରଣ କରିବା ପାଇଁ ଚଳିତ ବଜେଟରେ ୧୨୪ କୋଟି ଟଙ୍କା ବ୍ୟୟବରାଦ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସେହିପରି ଚଳିତ ବଜେଟରେ ୧୮୦୭ଟି ସବ୍‌ ସେଣ୍ଟର ସ୍ଥାପନ ପାଇଁ ୧୭୬ କୋଟି ଟଙ୍କାର ପ୍ରସ୍ତାବ ଏକ ସକାରାତ୍ମକ ପଦକ୍ଷେପ। ଏତଦ୍‌ବ୍ୟତୀତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ଆୟୁଷ ଔଷଧ ଉପଲବ୍ଧ କରିବାର ପ୍ରସ୍ତାବ ପ୍ରାଥମିକ ସ୍ବାସ୍ଥ୍ୟକୁ ସୁଦୃଢ଼ କରିବା ପାଇଁ ସହାୟକ ହେବ।
ଓଡ଼ିଶାରେ ୬୦% କର୍କଟ ରୋଗୀ ବିଳମ୍ବରେ ଚିହ୍ନଟ ହେବା ଯୋଗୁ ମୃତ୍ୟୁମୁଖରେ ପଡୁଛନ୍ତି। ଚଳିତ ବଜେଟରେ କର୍କଟ ରୋଗର ନିରାକରଣ ଏବଂ ଚିକିତ୍ସା ନିମନ୍ତେ ୩୧୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କର୍କଟ ରୋଗ ଚିକିତ୍ସା ପ୍ରତି ଧ୍ୟାନ ଦିଆଯାଇଥିଲେ ମଧ୍ୟ ସମୟୋପଯୋଗୀ ଚିହ୍ନଟ ଓ ରୋଗ ନିର୍ଣ୍ଣୟ ପାଇଁ ସ୍କ୍ରିନିଂ ଓ ସଚେତନତା କାର୍ଯ୍ୟକ୍ରମଗୁଡ଼ିକୁ ପ୍ରାଥମିକ ସ୍ବାସ୍ଥ୍ୟସେବା ସହିତ ସଂଯୁକ୍ତ କରିବା ଆବଶ୍ୟକ।
ସାମ୍ପ୍ରତିକ ବଜେଟ ଘୋଷଣାରୁ ଜଣାପଡ଼ୁଛି ଯେ, ତୃତୀୟସ୍ତରୀୟ (Tertiary care) ସ୍ବାସ୍ଥ୍ୟ ଭିତ୍ତିଭୂମି ବିସ୍ତାର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ତିନୋଟି ପୁରୁଣା ମେଡିକାଲ (ଏସ୍‌ସିବି,ଭିଏସ୍‌ଏସ୍‌,ଏମ୍‌କେସିଜି) କଲେଜର ଉନ୍ନତୀକରଣ ପାଇଁ ୧୬୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କିନ୍ତୁ ଏହାର ବିପରୀତରେ, ଗ୍ରାମୀଣ ଓ ସହରାଞ୍ଚଳରେ ବ୍ୟାପକ ପ୍ରାଥମିକ ସ୍ବାସ୍ଥ୍ୟସେବାର ଲକ୍ଷ୍ୟ ଉପେକ୍ଷିତ ହୋଇଛି। ରାଜ୍ୟରେ ସାର୍ବଜନୀନ ସ୍ବାସ୍ଥ୍ୟ ସୁରକ୍ଷା (ୟୁଏଚ୍‌ସି) ହାସଲ କରିବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟସେବାରେ ନିରନ୍ତର ନିବେଶ ସହିତ ତୃତୀୟ ସ୍ତରୀୟ ସ୍ବାସ୍ଥ୍ୟସେବାର ବିସ୍ତାର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବା ଜରୁରୀ।
ଶେଷରେ କହିବାକୁ ହେଲେ, ୨୦୨୬-୨୭ ବଜେଟ ସ୍ବାସ୍ଥ୍ୟ କ୍ଷେତ୍ରର କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲେ ମଧ୍ୟ, ଉଭୟ ଉଚ୍ଚସ୍ତରୀୟ ଓ ପ୍ରାଥମିକସ୍ତରୀୟ ଚିକିତ୍ସା ମଧ୍ୟରେ ଠିକ୍‌ ସନ୍ତୁଳନ ରକ୍ଷା କରାଯାଇପାରିଲେ ଓଡ଼ିଶାରେ ‘ସାର୍ବଜନୀନ ସ୍ବାସ୍ଥ୍ୟ ସେବା’ ସଫଳ ହୋଇପାରିବ।
ପ୍ରାଧ୍ୟାପକ, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ୍‌ ହେଲ୍‌ଥ, ଭୁବନେଶ୍ୱର
ମୋ:୯୯୩୭୧୬୨୪୫୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସମୟ ଖେଳିବାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଆଣ୍ଠେଇଦେଲେ ନବମ ଶ୍ରେଣୀ ଛାତ୍ର, ଭିଡିଓ ଭାଇରାଲ ପରେ…

ଉଦଳା ,୨୮।୨(ସନ୍ତୋଷ କୁମାର ବାଛିନୀ), ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍‌ । ଖେଳ ସମୟରେ ହଷ୍ଟେଲର ୩…

ଏତେ କୋଟି ଟଙ୍କାର ସୁନା ପିନ୍ଧିଥିଲେ ରଶ୍ମିକା-ବିଜୟ , ମୂଲ୍ୟ ଶୁଣିଲେ ଉଡିଜିବ ହୋସ୍‌

ମୁମ୍ବାଇ: ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଅଭିନନ୍ଦନ…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

କେରଳ ଷ୍ଟୋରି ୨ ମୁକ୍ତିଲାଭ ପାଇଁ ହାଇକୋର୍ଟଙ୍କ ଅନୁମତି

କୋଚି,୨୮ା୨: ‘ଦି କେରଳ ଷ୍ଟୋରି ୨-ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗୁରୁବାର ୧୫ ଦିନ ପାଇଁ ସ୍ଥଗିତାଦେଶ ଲଗାଇଥିଲେ। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri