Categories: ଜାତୀୟ

ନିର୍ବାଚନରେ ଜୟନ୍ତ-ଅଖିଳେଶଙ୍କୁ କରିବି ସହାୟତା: ସତ୍ୟପାଲ ମଲିକ …

ବାଗପତ,୬।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ରାଜନୈତିକ ଆକ୍ରମଣକୁ ତୀବ୍ର କରି ମେଘାଳୟର ରାଜ୍ୟପାଳ ପଦରୁ ଅବସର ନେବା ପରେ ସତ୍ୟପାଲ ମଲିକ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଆଗାମୀ ନିର୍ବାଚନରେ ସମାଜବାଦୀ ପାର୍ଟି (ଏସପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) କୁ ସାହାଯ୍ୟ କରିବେ। ତେବେ ସେ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ।

ବାଗପତର ନିଜ ଗାଁ ହିସାୱାଡା ଠାରେ ପହଞ୍ଚି ବୁଧବାର ଗ୍ରାମବାସୀଙ୍କ ସହିତ ଉତ୍ସବରେ ଯୋଗ ଦେଇଥିଲେ। ପୂର୍ବ ଅପେକ୍ଷା ସରକାରଙ୍କ ଉପରେ ଅଧିକ ଆକ୍ରମଣାତ୍ମକ ହୋଇଥିବା ମଲିକ କହିଛନ୍ତି ଯେ ଏହି ସରକାର କୃଷକ ବିରୋଧୀ। ଭବିଷ୍ୟତ ଯୋଜନା ସମ୍ପର୍କରେ ମଲିକ କହିଛନ୍ତି ଯେ ମୁଁ କୌଣସି ରାଜନୈତିକ ଦଳରେ ଯୋଗଦେବି ନାହିଁ କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। କିନ୍ତୁ ମୁଁ ନିଶ୍ଚିତ ଭାବେ କୃଷକଙ୍କ ପାଇଁ ଲଢ଼େଇ କରିବି। ଏହି ସଂଗ୍ରାମରେ, ଚୌଧୁରୀ ଚରଣ ସିଂଙ୍କ ନାତି ଜୟନ୍ତ ସିଂ ଏବଂ ମୁଲାୟମ ସିଂ ଯାଦବଙ୍କ ପୁତ୍ର ଅଖିଳେଶ ଯାଦବଙ୍କୁ ସାହାଯ୍ୟ କରିବି। ରାଜ୍ୟପାଳ ଭାବରେ ତାଙ୍କର ଅଭିଜ୍ଞତା ବଖାଣିି ପୂର୍ବତନ ରାଜ୍ୟପାଳ ମଲିକ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସଚ୍ଚୋଟତା ସହ କାର୍ଯ୍ୟ କରିଛନ୍ତି। ଯେତେବେଳେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଧାରା ଉଚ୍ଛେଦ ହେଲା, ମେହବୁବା ମୁଫତି କହୁଥିଲେ ଏଠାରେ ରକ୍ତ ନଦୀ ପ୍ରବାହିତ ହେବ। କିନ୍ତୁ ଗୋଟିଏ ବି ଗୁଳି ଚଳାଇବାକୁ ପଡିଲା ନାହିଁ।

ତେବେ ଅବସର ପରେ ମୋଖି ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କାକୁ ସେ ଏଡ଼ାଇ ଦେଇନାହାଁନ୍ତି। ମଲିକ କହିଛନ୍ତି, ସେମାନେ ମୋ ବିରୋଧରେ ମଧ୍ୟ କିଛି କରିବେ। ଜମ୍ମୁ-କଶ୍ମୀରର ସମସ୍ତ ଫାଇଲ ଯାଞ୍ଚକର କିମ୍ବା ଖୋଜ, କିନ୍ତୁ ମୋ ବିରୋଧରେ କିଛି ବାହାରିବ ନାହିଁ। ମୁଁ ଜଣେ ଫକୀର ବ୍ୟକ୍ତି। ଦେଶର ସମସ୍ୟା ସମ୍ପର୍କରେ ସେ କହିଛନ୍ତି ଯେ ମୁଦ୍ରାସ୍ଫୀତି ଏବଂ ବେକାରୀ କାରଣରୁ ଲୋକମାନେ ପୂର୍ବରୁ ଅସୁବିଧାରେ ଅଛନ୍ତି। କୃଷକମାନେ ଆଖୁ ବକେୟା ପାଉନାହାଁନ୍ତି ଏବଂ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ହେଉନାହିଁ। ବର୍ତ୍ତମାନ ଅଗ୍ନିବୀର ସ୍କିମ ଅଣାଯାଇ କୃଷକଙ୍କ ପିଲାମାନଙ୍କର ଭବିଷ୍ୟତ ମଧ୍ୟ ନଷ୍ଟ କରାଯାଇଛି।

Share