ଛତ୍ରପତି ସମ୍ଭାଜୀନଗର,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ତାଙ୍କ ଶିକ୍ଷାଗତ ଡିଗ୍ରୀକୁ ସର୍ବସାଧାରଣରେ ଦେଖାନ୍ତି ତେବେ ଆମେରିକାରେ ପଢ଼ିବା ପାଇଁ କକ୍ରୋଚ ଜନତା ପାର୍ଟି (ସିଜେପି) ନେତା ଅଭିଜିତ୍ ଦୀପ୍କେ ପାଇଥିବା ମେଧାବୃତ୍ତି ଓ ଋଣ ମଞ୍ଜୁରୀ ଚିଠି ଦେଖାଇବେ ବୋଲି କହିଛନ୍ତି। ଦୀପ୍କେଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବାବେଳେ ପୁଅଙ୍କୁ ଆମେରିକାରେ ପାଠ ପଢ଼ାଇବା ପାଇଁ କେଉଁଠୁ ଏତେ ଟଙ୍କା ପାଇଲେ, ତାହାର ତଦନ୍ତ ନିମନ୍ତେ ସୁରଟର ଜଣେ ଆର୍ଟିଆଇ କର୍ମୀ ଆବେଦନ କରିଥିଲେ।
ଏହାର ଜବାବ ଦେଇ ଦୀପ୍କେ କହିଛନ୍ତି ସେ ସ୍କଲାରଶିପ୍ ପାଇ ଓ ଶିକ୍ଷାଋଣ କରି ବୋଷ୍ଟନ ୟୁନିଭର୍ସିଟିରେ ପଢ଼ୁଥିଲେ। ଏ ସମ୍ପର୍କିତ ଚିଠି ଦେଖାଇବାକୁ ସେ ପ୍ରସ୍ତୁତ ଅଛନ୍ତି। ତେବେ ପ୍ରଧାନମନ୍ତ୍ରୀ ତାଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଦେଖାଇବେ କି ବୋଲି ଦୀପ୍କେ ଛତ୍ରପତି ସମ୍ଭାଜୀନଗରଠାରେ ଖବରଦାତାମାନଙ୍କୁ କହିଛନ୍ତି। ମୋଦିଙ୍କ ଶିକ୍ଷାଗତ ଡିଗ୍ରୀର ଆନୁଷ୍ଠାନିକ ଯାଞ୍ଚ କରାଯିବା ସହ ଏହା କେତେଦୂର ସତ୍ୟ ବିଶ୍ୱବିଦ୍ୟାଳୟ ରେଜିଷ୍ଟର ଅନୁଧ୍ୟାନ କରାଯିବାକୁ ଆକ୍ଟିଭିଷ୍ଟ ଓ ରାଜନୈତିକ ବିରୋଧୀମାନେ ଦାବି କରିଆସୁଥିବାବେଳେ ଦୀପ୍କେ ଏଭଳି ମନ୍ତବ୍ୟ ଦେଇଛନ୍ତି।