ନୂଆଦିଲ୍ଲୀ,୨୪।୨: ବରିଷ୍ଠ କଂଗ୍ରେସ ନେତା ତଥା ତିରୁଭାନନ୍ତପୁରମ ଏମ୍ପି ଶଶି ଥରୁରଙ୍କ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (LDF) ସରକାରର ପ୍ରଶଂସା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିଛି। ନିକଟରେ ଏକ ସ୍ତମ୍ଭରେ ସେ କେରଳରେ ବ୍ୟବସାୟ ଏବଂ ଉଦ୍ୟୋଗକୁ ସହଜ କରିବା ପାଇଁ ପିନାରାଇ ବିଜୟନ ସରକାରଙ୍କୁ ପ୍ରଶଂସା କରିଥିଲେ।
ଏହା ବ୍ୟତୀତ ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନାର ଫଳାଫଳକୁ ସକାରାତ୍ମକ ବୋଲି ମଧ୍ୟ ବର୍ଣ୍ଣନା କରିଥିଲେ, ଯାହା ଦଳରେ ଆହୁରି ବିଶୃଙ୍ଖଳା ସୃଷ୍ଟି କରିଛି। ଶଶି ଥରୁର ବଢ଼ୁଥିବା ବିବାଦ ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ସେ କେବେ ବି ବିକାଶ ସହିତ ରାଜନୀତିକୁ ମିଶ୍ରଣ କରିନାହାଁନ୍ତି। ଏବେ ଦଳର ମୁଖପତ୍ର ତାଙ୍କର ସାମ୍ପ୍ରତିକ କାର୍ଯ୍ୟକଳାପକୁ ସମାଲୋଚନା କରିଛି।
କଂଗ୍ରେସ ମୁଖପତ୍ର ‘ବୀକ୍ଷଣମ ଡେଲି’ ଥରୁରଙ୍କ ବକ୍ତବ୍ୟକୁ ସମାଲୋଚନା କରିଛି। ତାଙ୍କର ନାମ ନ ନେଇ, ସମ୍ପାଦକୀୟରେ ତାଙ୍କ ବକ୍ତବ୍ୟ ଉପରେ କଡ଼ା ଆପତ୍ତି ଉଠିଥିଲା। ଏଥିରେ LDF ସରକାର ଏବଂ ମୋଦିଙ୍କ ପ୍ରଶଂସା ଉପରେ ଅସନ୍ତୋଷ ପ୍ରକାଶ କରାଯାଇଥିଲା।
ନୂଆଦିଲ୍ଲୀରେ, AICC ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳଙ୍କ ଉପସ୍ଥିତିରେ ଥରୁର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟି ତାଙ୍କ ମତାମତ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଯଦି କଂଗ୍ରେସକୁ ମୋ ସେବାର ଆବଶ୍ୟକତା ନାହିଁ, ତେବେ ମୋ ପାଖରେ ବିକଳ୍ପ ଅଛି।
କଂଗ୍ରେସ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛି। LDF ସରକାରଙ୍କୁ ହଟାଇବା ପାଇଁ UDF (କଂଗ୍ରେସ ମେଣ୍ଟ) ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରୁଛି। ୧୪୦ ସଦସ୍ୟ ବିଶିଷ୍ଟ କେରଳ ବିଧାନସଭାରେ, LDFର ୯୯ଟି ଆସନ ଏବଂ UDFର ୪୧ଟି ଆସନ ଅଛି। ତ୍ରିସୁର ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଥିବା ଭାଜପା ମଧ୍ୟ ଦ୍ରୁତ ଗତିରେ ନିଜର ସ୍ଥିତିକୁ ମଜଭୁତ କରୁଛି। ୨୦୨୬ ନିର୍ବାଚନ କଂଗ୍ରେସ ପାଇଁ ଏକ ବଡ଼ ସୁଯୋଗ ହୋଇପାରେ, କିନ୍ତୁ ଦଳ ଆଭ୍ୟନ୍ତରୀଣ ମତଭେଦ ତୀବ୍ର ହୋଇଛି।
ଥରୁର କହିଚନ୍ତି, ମୁଁ କେବେବି ବିକାଶ ସହିତ ରାଜନୀତିକୁ ମିଶ୍ରଣ କରିନାହିଁ। ମୁଁ ଚାହୁଁଛି କେରଳ ଏକ ବିକଶିତ ରାଜ୍ୟ ହେଉ ଏବଂ ମୁଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଭଲ ପଦକ୍ଷେପକୁ ସମର୍ଥନ କରେ। ଅନେକ କଂଗ୍ରେସ ନେତା ଭାବନ୍ତି ଯେ LDF ସରକାର ବ୍ୟବସାୟ ଏବଂ ଶିଳ୍ପ ବିକାଶ ପାଇଁ ଅନୁକୂଳ ନୁହେଁ, କିନ୍ତୁ ଥରୁର ବିଶ୍ୱାସ କରନ୍ତି ଯେ ବିଜୟନ ସରକାରଙ୍କ ଅଧୀନରେ କେରଳର ଉନ୍ନତି ହୋଇଛି।


