ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି । କିନ୍ତୁ ସରକାର ଏସବୁ ମିଛ ଏବଂ ଗୁଜବ ବୋଲି ଆଶ୍ୱାସନା ଦେଉଛନ୍ତି । ଏସବୁ ଭିତରେ ଆଗକୁ ୨୦ ପ୍ରତିଶତରୁ ଅଧିକ ଇଥାନଲ ବ୍ୟବହାର ହେବା ନେଇ ପ୍ରଶ୍ନ ଉଠୁଛି । ଯାହା ଉପରେ ସରକାର ପ୍ରତିକ୍ରିୟା ରଖିଛନ୍ତି ।

ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ପରିମାଣକୁ ବର୍ତ୍ତମାନର ୨୦ ପ୍ରତିଶତ ସୀମାରୁ ଅଧିକ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ସୋମବାର ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ୨୦ ପ୍ରତିଶତରୁ ଅଧିକ ଇଥାନଲ୍ ମିଶ୍ରଣ କରିବାର କୌଣସି ବି ପ୍ରସ୍ତାବ ଉପରେ କେବଳ ବିସ୍ତୃତ ଅଧ୍ୟୟନ ଏବଂ ଆଲୋଚନା ପରେ ହିଁ ବିଚାର କରାଯିବ। “ବର୍ତ୍ତମାନ ପର୍ଯ୍ୟନ୍ତ, ପେଟ୍ରୋଲରେ ୨୦ ପ୍ରତିଶତରୁ ଅଧିକ ଇଥାନଲ୍ ମିଶ୍ରଣ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ,” ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ ଯୋଡ଼ିଛନ୍ତି ଯେ, ଭବିଷ୍ୟତରେ ଏହି ପରିମାଣ ବୃଦ୍ଧି କେବଳ “ବୈଜ୍ଞାନିକ ଓ ବୈଷୟିକ ଅଧ୍ୟୟନ ଏବଂ ଅଟୋମୋବାଇଲ ନିର୍ମାତା, ତୈଳ ବିପଣନ କମ୍ପାନୀ (OMCs) ଓ ଗବେଷଣା ସଂସ୍ଥାଗୁଡ଼ିକ ସମେତ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ପରେ ହିଁ ସମ୍ଭବ ହେବ।”

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଭାରତ ନିର୍ଦ୍ଧାରିତ ସମୟର ୫ ବର୍ଷ ପୂର୍ବରୁ ହିଁ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ହାସଲ କରିସାରିଛି। ଦୁଇ ଦଶନ୍ଧିରୁ ଅଧିକ ସମୟର ପର୍ଯ୍ୟାୟକ୍ରମେ କାର୍ଯ୍ୟକାରିତା ପରେ, ହାରାହାରି ଇଥାନଲ୍ ମିଶ୍ରଣ ୨୦୧୩-୧୪ରେ ୧.୫୩ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୫-୨୬ ଯୋଗାଣ ବର୍ଷରେ ୨୦ ପ୍ରତିଶତରେ ପହଞ୍ଚିଛି।

ସୁରେଶ ଗୋପୀ କହିଛନ୍ତି ଯେ E20 ଇନ୍ଧନ ଯୋଗୁଁ ଇଞ୍ଜିନ୍ ଖରାପ ହେବା, ଫ୍ୟୁଏଲ୍ ପମ୍ପ ସମସ୍ୟା, କଳଙ୍କି ଲାଗିବା କିମ୍ବା ଜଳ ଦୂଷିତ ହେବା ନେଇ ଗାଡ଼ି ନିର୍ମାତା, ଅଟୋମୋବାଇଲ ସଂଘ କିମ୍ବା ଗ୍ରାହକ ଗୋଷ୍ଠୀଙ୍କଠାରୁ ସରକାରଙ୍କୁ କୌଣସି “ବ୍ୟାପକ କିମ୍ବା ସତ୍ୟାପିତ ଅଭିଯୋଗ” ମିଳିନାହିଁ। ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଉଠାଯାଇଥିବା ଆଶଙ୍କାଗୁଡ଼ିକର ବୈଜ୍ଞାନିକ ଅନୁଧ୍ୟାନ କରାଯାଇଛି।

ମନ୍ତ୍ରୀଙ୍କ ଅନୁଯାୟୀ, ୨୦ କୋଟିରୁ ଅଧିକ ଦୁଇଚକିଆ ଯାନ ଏବଂ ୩ କୋଟିରୁ ଅଧିକ ପେଟ୍ରୋଲ କାର୍ (ଯେଉଁଥିରେ ଅନେକ ମୂଳରୁ E20 ଇନ୍ଧନ ପାଇଁ ପ୍ରମାଣିତ ନୁହଁନ୍ତି) ଯଥାକ୍ରମେ ସାଢ଼େ ତିନି ବର୍ଷ ଏବଂ ଢ଼ାଇ ବର୍ଷରୁ ଅଧିକ ସମୟ ଧରି E15-ପ୍ଲସ ଏବଂ E19-E20 ଇନ୍ଧନରେ ଚାଲୁଛନ୍ତି।

ସେ ଏକ ପ୍ରମୁଖ ଚାରିଚକିଆ ଯାନ ନିର୍ମାତା କମ୍ପାନୀର ତଥ୍ୟ ଦେଇ କହିଛନ୍ତି ଯେ, କମ୍ପାନୀ ୨୦୨୫-୨୬ ମଧ୍ୟରେ ୨.୮୪ କୋଟି ଗାଡ଼ିର ସର୍ଭିସିଂ ରେକର୍ଡ ଯାଞ୍ଚ କରିଥିଲା (ଯେଉଁଥିରେ ୧.୫ କୋଟି ଅଣ-E20 ପ୍ରମାଣିତ ଗାଡ଼ି ସାମିଲ ଥିଲା) ଏବଂ ଇନ୍ଧନ ଜନିତ କୌଣସି କ୍ଷତି ଦେଖିବାକୁ ପାଇନଥିଲା। ଏକ ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ମଧ୍ୟ ସମାନ ଫଳାଫଳ ଦେଖାଇଛି।

ସେ ଆହୁରି କହିଛନ୍ତି ଯେ, E10 ଇନ୍ଧନ ପାଇଁ ନିର୍ମିତ ପୁରୁଣା ଗାଡ଼ିଗୁଡ଼ିକରେ ମାଇଲେଜ୍‌ ପ୍ରାୟ ୩-୫ ପ୍ରତିଶତ ସାମାନ୍ୟ କମିପାରେ, କିନ୍ତୁ E20 ଅଧିକ ଅକ୍ଟେନ୍ ଏବଂ ସ୍ୱଚ୍ଛ ଦହନ (cleaner combustion) ପ୍ରଦାନ କରିଥାଏ। ଗାଡ଼ି ନିର୍ମାତାମାନେ E20 ଇନ୍ଧନ ବ୍ୟବହାର କରୁଥିବା ଗାଡ଼ିଗୁଡ଼ିକୁ ଗ୍ୟାରେଣ୍ଟି/ୱାରେଣ୍ଟି ସୁବିଧା ଦେବା ଜାରି ରଖିଛନ୍ତି।