TMC ମୁଖ୍ୟରୁ ହଟିବେ ମମତା? ବିଦ୍ରୋହୀ ଦଳ ଖେଳିବେ ବଡ଼ ଗେମ୍‌!

ନୂଆଦିଲ୍ଳୀ,୯।୬: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC) ଏବେ ଏକ ବଡ଼ ଧରଣର ବିଦ୍ରୋହ ଓ ବିଭାଜନର ସାମ୍ନା କରୁଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ଭବିଷ୍ୟତ ଏବେ ସଙ୍କଟରେ। ଦଳର ପ୍ରାୟ ୫୮ ଜଣ ବିଧାୟକ ଏବଂ ୨୦ ଜଣ ଏମପି ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଥିବାରୁ, ମମତାଙ୍କ ହାତରୁ ଟିଏମସିର ନିୟନ୍ତ୍ରଣ ଓ ସଭାପତି ପଦ ଚାଲିଯିବା ସହ ତାଙ୍କୁ ଦଳରୁ ବହିଷ୍କାର କରାଯିବାର ଆଶଙ୍କା ଦେଖାଦେଇଛି। ଏପରିକି ୧୦୦ରୁ ଅଧିକ କାଉନସିଲର ମଧ୍ୟ ଇସ୍ତଫା ଦେଇସାରିଛନ୍ତି। ଏହି ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ଋତବ୍ରତ ବାନାର୍ଜୀ ଏବଂ କାକୋଲି ଘୋଷ ସମ୍ଭାଳିଛନ୍ତି।

ତେବେ ଏଠାରେ ବଡ଼ ପ୍ରଶ୍ନ ଉଠୁଛି ଯେ, ବିଦ୍ରୋହୀ ଗୋଷ୍ଠୀ କଣ ଟିଏମସିକୁ ନିଜ କବ୍ଜାକୁ ନେଇପାରିବେ? ମମତା ବାନାର୍ଜୀଙ୍କୁ ସଭାପତି ପଦରୁ ହଟାଇ ଦଳରୁ ବହିଷ୍କାର କରାଯାଇପାରିବ କି? ଏଥିପାଇଁ ଆଇନଗତ ନିୟମ ଓ ସମ୍ଭାବନା କଣ ରହିଛି? ଏହି ସମଗ୍ର ପ୍ରକ୍ରିୟାରେ ର୍ନିବାଚନ କମିଶନ (ECI) ଙ୍କ ଭୂମିକା କଣ ହେବ?

ଟିଏମସିର ବିଦ୍ରୋହୀ ଗୋଷ୍ଠୀର ନେତା ଋତବ୍ରତ ବାନାର୍ଜୀଙ୍କ ସହ ସନ୍ଦୀପାନ ସାହା, ଜାଭେଦ ଅହମ୍ମଦ ଖାନ, ଶିଉଲି ସାହା, ଅଖରୁଜ୍ଜୈନ ଜୈନଙ୍କ ସମେତ ପ୍ରାୟ ୫୮ ଜଣ ବିଧାୟକ ରହିଛନ୍ତି। ସେହିପରି ଦଳର ମୋଟ ୨୮ ଜଣ ଲୋକ ସଭା ଏମପିଙ୍କ ମଧ୍ୟରୁ ୨୦ ଜଣ ଏମପି ବିଦ୍ରୋହୀ ହୋଇ କାକୋଲି ଘୋଷଙ୍କ ସହ ହାତ ମିଳାଇଛନ୍ତି। ଏହି ଏମପିମାନେ ସଂସଦରେ ସେମାନଙ୍କ ପାଇଁ ସୱତନ୍ତ୍ର ଆସନ ବ୍ୟବସ୍ଥା କରିବାକୁ ଲୋକ ସଭା ବାଚସ୍ପତି ଓମ ର୍ୱିଲାଙ୍କୁ ଚିଠି ଲେଖିଛନ୍ତି ଏବଂ ଏନଡିଏ (NDA) ରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅପରପକ୍ଷରେ, ବିଦ୍ରୋହୀ ବିଧାୟକମାନେ ଋତବ୍ରତ ବାନାର୍ଜୀଙ୍କୁ ନିଜର ବିଧାୟକ ଦଳ ନେତା ଭାବେ ଚୟନ କରି ବିଧାନସଭା ବାଚସ୍ପତିଙ୍କଠାରୁ ମଧ୍ୟ ମଞ୍ଜୁରୀ ପାଇସାରିଛନ୍ତି।

ଏଭଳି ବଡ଼ ବିଦ୍ରୋହ ସତ୍ତ୍ୱେ ଅଭିଷେକ ବାନାର୍ଜୀ, ସାୟନୀ ଘୋଷ, କୀର୍ତ୍ତି ଆଜାଦ, ମହୁଆ ମୋଇତ୍ରା, ସୌଗତ ରାୟ, ସୁଦୀପ ବନ୍ଦୋପାଧ୍ୟାୟ ଏବଂ କଲ୍ୟାଣ ବାନାର୍ଜୀଙ୍କ ଭଳି ପ୍ରମୁଖ ନେତାମାନେ ଏବେ ବି ମମତା ବାନାର୍ଜୀଙ୍କ ସହ ରହିଛନ୍ତି।

ଆଇନଗତ ଏବଂ ସମ୍ୱିଧାନିକ ଦୃଷ୍ଟିକୋଣରୁ ମମତା ବାନାର୍ଜୀଙ୍କୁ ସର୍ୱଭାରତୀୟ ତୃଣମୂଳ କଂଗ୍ରେସ (TMC) ରୁ ବହିଷ୍କାର କରିବା ଏତେ ସହଜ ନୁହେଁ, ବରଂ ଏକପ୍ରକାର ଅସମ୍ଭବ। କାରଣ ଦଳର ସାଂଗଠନିକ ଢାଞ୍ଚା ଏବଂ ଜାତୀୟ କାର୍ଯ୍ୟକାରିଣୀ ଉପରେ ଏବେ ବି ମମତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଯଦିଓ ଏମପି ଓ ବିଧାୟକମାନଙ୍କ ବିଦ୍ରୋହ ପରେ ବାଗୀ ଗୋଷ୍ଠୀ ନିଜକୁ ଅସଲି ଟିଏମସି ବୋଲି ଦାବି କରୁଛନ୍ତି ଏବଂ ମମତାଙ୍କଠାରୁ ଦଳର ନାମ ଓ ଚିହ୍ନ (ସିମ୍ୱଲ) ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏଥିପାଇଁ ସେମାନଙ୍କୁ ଦଳୀୟ ସଂଗଠନରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ହେବ। ଯେପର୍ଯ୍ୟନ୍ତ ସେମାନେ ଜାତୀୟ କାର୍ଯ୍ୟକାରିଣୀରେ ମମତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରିନାହାନ୍ତି, ସେପର୍ଯ୍ୟନ୍ତ ମମତାଙ୍କୁ ଟିଏମସିରୁ ବାହାର କରାଯାଇପାରିବ ନାହିଁ କିମ୍ୱା ର୍ନିବାଚନ କମିଶନ ଦଳର ଚିହ୍ନ ବିଦ୍ରୋହୀ ଗୋଷ୍ଠୀକୁ ଦେବେ ନାହିଁ।

ଟିଏମସିର ବିଦ୍ରୋହୀ ଗୋଷ୍ଠୀ ଏପର୍ଯ୍ୟନ୍ତ ମମତା ବାନାର୍ଜୀଙ୍କୁ ସଭାପତି ପଦରୁ ହଟାଇବା ନେଇ କୌଣସି ଆନୁଷ୍ଠାନିକ ଦାବି କରିନାହାନ୍ତି। କିନ୍ତୁ ଯଦି ସେମାନେ ଏଭଳି କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ନିମ୍ନଲିଖିତ ପ୍ରକ୍ରିୟା ଦେଇ ଗତି କରିବାକୁ ହେବ:

ବିଧାନସଭା ଏବଂ ସଂସଦରେ ବିଦ୍ରୋହୀ ଗୋଷ୍ଠୀକୁ ନିଜ ପକ୍ଷରେ ଦୁଇ-ତୃତୀୟାଂଶ ବହୁମତ ପ୍ରମାଣ କରିବାକୁ ହେବ, ଯଦ୍ୱାରା ସେମାନେ ସମ୍ୱିଧାନର ଦଶମ ଅନୁସୂଚୀ (ଦଳବଦଳ ବିରୋଧୀ ଆଇନ) ରୁ ବର୍ତ୍ତିପାରିବେ। ବିଦ୍ରୋହୀ ଗୋଷ୍ଠୀକୁ ଟିଏମସିର ଜାତୀୟ କାର୍ଯ୍ୟକାରିଣୀ ଏବଂ ଜାତୀୟ ପରିଷଦର ବୈଠକ ଡକାଇ ଦଳର ଆଭ୍ୟନ୍ତରୀଣ ସମ୍ୱିଧାନ ବଦଳାଇବାକୁ ପଡ଼ିବ। ମମତା ବାନାର୍ଜୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ କରି ତାଙ୍କୁ ଜାତୀୟ ସଭାପତି ପଦରୁ ହଟାଇବାକୁ ହେବ ଏବଂ ସର୍ୱସମ୍ମତି କ୍ରମେ ଅନ୍ୟ କାହାକୁ ନୂଆ ସଭାପତି ଭାବେ ଚୟନ କରିବାକୁ ପଡ଼ିବ।

ଯଦି ବିଦ୍ରୋହୀ ଗୋଷ୍ଠୀ ମମତା ବାନାର୍ଜୀଙ୍କୁ ହଟାଇ ନିଜକୁ ଅସଲି ଟିଏମସି ବୋଲି ଦାବି କରନ୍ତି, ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଭାରତୀୟ ର୍ନିବାଚନ କମିଶନ (ECI) ଙ୍କ ହାତରେ ରହିବ।

 

Share