ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନରେ ଉଦ୍ବୋଧନ ଦେବା ଅବସରରେ ଧମକ ଦେଇଛନ୍ତି। ଇରାନ ଚୁକ୍ତି ସ୍ବାକ୍ଷର କଲେ ଏହା ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ମହାନ ରାଷ୍ଟ୍ର ହେବାର ସୁଯୋଗ ପାଇବ। ତେବେ ତେହରାନ୍କୁ କଦାପି ଅଣୁଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି।
ନଭେମ୍ବରରେ ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ଠିକ୍ ପରେ ଚୁକ୍ତିନାମା ହେବା ନେଇ ତାଙ୍କର ବିଶ୍ୱାସ ରହିଛି, କାରଣ ଏହା ନ ହେବା ସେମାନଙ୍କ ପାଇଁ କୌଣସି ଅର୍ଥ ରଖେ ନାହିଁ। ନିର୍ବାଚନରେ ତାଙ୍କ ଦଳ ବିପୁଳ ଭୋଟରେ ବିଜୟୀ ହେବ ବୋଲି ଟ୍ରମ୍ପ୍ ଦୃଢ଼ୋକ୍ତି କରିଛନ୍ତି।
ଜାତିସଂଘ ସାଧାରଣ ସଭା ବାର୍ଷିକ ଅଧିବେଶନରେ ଯୋଗଦେବା ପାଇଁ ଇରାନ ରାଷ୍ଟ୍ରପତି ମାସୌଦ ପେଜେଶକିଆନ୍ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଆବ୍ବାସ ଆରାଘଚି ନ୍ୟୁୟର୍କ ଆସିଥିଲେ ମଧ୍ୟ ଟ୍ରମ୍ପ୍ଙ୍କ ଭାଷଣ ବେଳେ ସେମାନେ ଉପସ୍ଥିତ ନ ଥିଲେ। ଇରାନରୁ ଆସିଥିବା ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ମଧ୍ୟ ୧୦ ମିନିଟ୍ ପରେ ବାହାରିଯାଇଥିଲେ।
ଆମେରିକା ସାମରିକ ଚାପ କୋହଳ କରିବା ସହ ଇରାନୀୟ ବନ୍ଦରଗୁଡ଼ିକରୁ ଏହାର ଅବରୋଧ ହଟାଇଲେ, ତେହରାନ୍ ୭ ଦିନ ମଧ୍ୟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ଖୋଲିଦେଇପାରିବ ବୋଲି ଏହାର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଥିଲେ। ଯୁଦ୍ଧ ପ୍ରସଙ୍ଗକୁ କୂଟନୀତି ଜରିଆରେ ସମାଧାନ କରିବାକୁ ଚାହେଁ ବୋଲି ଆମେରିକା ଆନୁଷ୍ଠାନିକ ଭାବେ ଘୋଷଣା କରିବା ଦରକାର ବୋଲି ସେ କହିଥିଲେ।
ଜାତିସଂଘ ଅଧିବେଶନରେ ଟ୍ରମ୍ପ୍ ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ଦାବିକୁ ଦୋହରାଛନ୍ତି। ଅପରେଶନ ସିନ୍ଦୂର ବେଳେ ଯୁଦ୍ଧ ବନ୍ଦ ନ କଲେ ଟାରିଫ୍ ଲଗାଇବେ ବୋଲି ଧମକ ଦେବାରୁ ସେମାନେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ ବୋଲି ଟ୍ରମ୍ପ୍ କହିଛନ୍ତି।