ଡିଲ୍‌ ନ କଲେ ପାଓ୍ବାର ପ୍ଲାଣ୍ଟ ଉଡ଼ାଇଦେବୁ: ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ ଇସ୍‌ଲାମାବାଦ,୨୦ା୪ (ଏ.ପି./ରଏଟର୍ସ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧିମାନେ ଇରାନ୍‌ ସହ ଶାନ୍ତି ଆଲୋଚନାରେ ଯୋଗଦେବା ପାଇଁ ସୋମବାର ଇସ୍‌ଲାମାବାଦ ଯିବେ। ସେମାନେ ସନ୍ଧ୍ୟା ସୁଦ୍ଧା ପହଞ୍ଚିବେ ବୋଲି ଟ୍ରମ୍ପ୍‌ ଟ୍ରୁଥ୍‌ ସୋସିଆଲରେ ସୂଚନା ଦେଇଛନ୍ତି। ତେବେ ଏଥର ଯେପରି ଆଲୋଚନା ସଫଳ ହେବ ସେଥିଲାଗି ଇରାନ୍‌ ଉପରେ ଚାପ ସୃଷ୍ଟି ପାଇଁ ଟ୍ରମ୍ପ୍‌ ପୁନର୍ବାର ଚେତାବନୀ ଦେବାକୁ ପଛାଇନାହାନ୍ତି। ଟ୍ରମ୍ପ୍‌ କହିଛନ୍ତି, ଆମେ ଏକ ଉତ୍ତମ ଓ ଅତ୍ୟନ୍ତ ଯୁକ୍ତିଯୁକ୍ତ ଡିଲ୍‌ ପାଇଁ ପ୍ରସ୍ତାବ ଦେଇଛୁ। ଇରାନୀୟ ପ୍ରତିନିଧି ଦଳ ଏହାକୁ ଗ୍ରହଣ କରିବେ ବୋଲି ଆଶା। ଯଦି ସେମାନେ ଗ୍ରହଣ ନ କରନ୍ତି, ତେବେ ଆମେରିକା ଇରାନ୍‌ର ପ୍ରତ୍ୟେକ ପାଓ୍ବାର ପ୍ଲାଣ୍ଟ ଓ ବ୍ରିଜ୍‌କୁ ଟାର୍ଗେଟ କରିବ। ଆଉ ଦୟା କରାଯିବ ନାହିଁ। ଏପରି ଆକ୍ରମଣ କରାଯିବ ଯାହାକୁ ସେମାନେ ଗତ ୪୭ ବର୍ଷ ମଧ୍ୟରେ କେବେ ଦେଖି ନ ଥିବେ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ସାମିଲ ହେବାକୁ ଇରାନ୍‌ ମନାକରିଦେଇଛି। ହର୍ମୁଜ୍‌ ଜଳପଥରେ ଜାହାଜ ଚଳାଚଳ ଓ ଆଣବିକ କାର୍ଯ୍ୟକ୍ରମ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମେରିକା ସହିତ ଏଯାଏ ସହମତି ପ୍ରକାଶ ପାଇ ନ ଥିବା ଇରାନ୍‌ କହିଛି।
ପ୍ରକାଶ ଯେ, ଗତ ୧୦ରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନେତୃତ୍ୱରେ ସ୍ବତନ୍ତ୍ର ପ୍ରତିନିଧି ଷ୍ଟିଭ୍‌ ଓ୍ବିଟ୍‌କୋଫ୍‌ ଓ ବ୍ୟବସାୟୀ ତଥା ରାଷ୍ଟ୍ରପତିଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଜାରେଡ୍‌ କୁଶନେର (ଟ୍ରମ୍ପ୍‌ଙ୍କ ଜ୍ୱାଇଁ)ଙ୍କୁ ନେଇ ଏକ ପ୍ରତିନିଧି ଦଳ ଇସ୍‌ଲାମାବାଦ ଗସ୍ତ କରିଥିଲା। ସେହିପରି ଟିମ୍‌ ଇରାନ୍‌ରେ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ୍‌ ଆରାଘଚି ଏବଂ ପାର୍ଲାମେଣ୍ଟ ସ୍ପିକର ମହମ୍ମଦ ବଘେର ଘଲିବାଫ୍‌ଙ୍କ ସମେତ ଅନ୍ୟମାନେ ସାମିଲ ହୋଇ ଆଲୋଚନା କରିଥିଲେ। କିନ୍ତୁ ୨୧ ଘଣ୍ଟାର ଆଲୋଚନା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ତେଣୁ ଅସ୍ତ୍ରବିରତି ଅବଧି ଆସନ୍ତା ୨୨ରେ ଶେଷ ହେବା ପୂର୍ବରୁ କୂଟନୈତିକ ଉପାୟରେ ସମାଧାନର ପନ୍ଥା ବାହାର କରିବାକୁ ପାକିସ୍ତାନ ଲାଗିପଡ଼ିଛି।
ପୂର୍ବ ଆଲୋଚନା ବିଫଳ ହୋଇଥିବାରୁ ବର୍ତ୍ତମାନ ମଧ୍ୟ ଉତ୍ତେଜନା ଲାଗି ରହିଛି। ଇରାନୀୟ ବନ୍ଦରଗୁଡ଼ିକରୁ ତୈଳ ପରିବହନକାରୀ ଜାହାଜଗୁଡ଼ିକର ପଥକୁ ଆମେରିକା ନୌସେନା ଅବରୋଧ କରି ରଖିଛି। ଏହାର ଜବାବରେ ଇରାନ୍‌ କହିଛି, ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଆଂଶିକ ହେଉ କି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଆମେରିକା ବ୍ଲକେଡ୍‌ ନ ହଟାଇବା ପର୍ଯ୍ୟନ୍ତ ଅଚଳାବସ୍ଥା ଜାରି ରହିବ। ଏନେଇ ଟ୍ରମ୍ପ୍‌ କହିଛନ୍ତି, ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଇରାନ୍‌ ସିଜ୍‌ଫାୟାର ଉଲ୍ଲଂଘନ କରିଛି। ରବିବାର ଇରାନ୍‌ ଏହି ଜଳପଥରେ ଜାହାଜଗୁଡ଼ିକ ଉପରକୁ ଗୁଳି ଚଳାଇଥିଲା, ଯାହାକି ଅସ୍ତ୍ରବିରତିର ଉଲ୍ଲଂଘନ। ଇରାନ୍‌ର ସରକାରୀ ନ୍ୟୁଜ୍‌ ଏଜେନ୍ସି ଆଇଆର୍‌ଏନ୍‌ଏ ପ୍ରକାଶିତ ରିପୋର୍ଟ ଅନୁସାରେ ଓ୍ବାଶିଂଟନ୍‌ର ଅତ୍ୟଧିକ ଦାବି, ଅବାସ୍ତବ ଆଶା, ଆଭିମୁଖ୍ୟରେ ବାରମ୍ବାର ପରିବର୍ତ୍ତନ, ମନ୍ତବ୍ୟରେ ବିରୋଧାଭାସ ଯୋଗୁ ତେହରାନ୍‌ରୁ କୌଣସି ପ୍ରତିନିଧି ଇସ୍‌ଲାମାବାଦ ଯିବେ ନାହିଁ। ତେବେ ଏହା ଉପରେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।
ପ୍ରକାଶ ଯେ, ଇରାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିବା ପରେ ହର୍ମୁଜ୍‌ରୁ ଶନିବାର ୨ଟି ଭାରତୀୟ ପତାକା ଲାଗିଥିବା ଜାହାଜ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ଦୁଇ ଜାହାଜକୁ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ପକ୍ଷରୁ ଗୁଳି କରାଯାଇଥିଲା। ଏପରି କି ଫ୍ରାନ୍ସ ଓ ବ୍ରିଟେନ୍‌ର ଜାହାଜକୁ ମଧ୍ୟ ଟାର୍ଗେଟ୍‌ କରାଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily