Categories: ଜାତୀୟ

ଭାଜପା ହାତ ଛାଡ଼ିବ କି ଜେଡିୟୁ:ଆଜି ନିଷ୍ପତ୍ତି ନେବେ ନୀତୀଶ କୁମାର

ପାଟନା,୯।୮:ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଗୈରିକ ଦଳର ନେତୃବୃନ୍ଦ କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚତ୍ଥିବାବେଳେ ରାଜ୍ୟରେ ଏନ୍‌ଡିଏ ମେଣ୍ଟ ଭାଙ୍ଗିବାକୁ ଯାଉଛି। ଜେଡିୟୁର ଅଭିଯୋଗ ହେଲା ଦଳ ଭିତରେ ନୀତିଶଙ୍କ ପତିଆରା କ୍ଷୁଣ୍ଣ କରିବାକୁ ଭାଜପା ଉଦ୍ୟମ ଚଳାଇଛି। ମଙ୍ଗଳବାର ନୀତୀଶ ଦଳୀୟ ବିଧାୟକମାନଙ୍କ ଜରୁରୀ ବୈଠକ ଡାକିଛନ୍ତି। କେତେଜଣ ବିଧାୟକଙ୍କୁ ଭାଜପା ନିଜ ପକ୍ଷକୁ ନେବା ଲାଗି ଅନୁରୋଧ କରିଛି, ସେ ନେଇ ବୈଠକରେ ଆଲୋଚନା ହେବ। ମେଣ୍ଟ ଭାଙ୍ଗିବା ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହାକୁ ନେଇ ବିହାର ରାଜନୀତିରେ ଝଡ଼ ଦେଖାଦେଇଥିବାବେଳେ ଜେଡିୟୁ ଭାଜପା ହାତ ଛାଡ଼ିଲେ ଆମେ ସମର୍ଥନ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ସୋମବାର ବିରୋଧୀ ଦଳ ଆର୍‌ଜେଡି ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଉଭୟ ଶାସକ ଦଳ ବିଧାୟକଙ୍କ ବୈଠକ ଡକାଯାଇଥିବାରୁ ଅସାଧାରଣ ସ୍ଥିତି ସୃଷ୍ଟି ହୋଇଥିବା ସ୍ପଷ୍ଟ ବୋଲି ଆର୍‌ଜେଡି ଉପାଧ୍ୟକ୍ଷ ଶିବାନନ୍ଦ ତିଓ୍ବାରୀ କହିଛନ୍ତି। ନୀତୀଶ ଏନ୍‌ଡିଏରୁ ଓହରିଯିବାକୁ ନିଷ୍ପତ୍ତି ନେଲେ ଆମେ ତାଙ୍କୁ କୋଳେଇ ନେବୁ ବୋଲି ଆର୍‌ଜେଡି ନେତା କହିଛନ୍ତି।
ଭାଜପାରୁ ଉପମୁଖ୍ୟମନ୍ତ୍ରୀ ଥିବା ତାରକିଶୋର ପ୍ରସାଦ ସୋମବାର ଏକ ବୈଠକରେ କହିଛନ୍ତି, ଶାସକ ମେଣ୍ଟରେ ଫାଟ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ, ସେପରି କିଛି ଗୁରୁତର କଥା ନ ଥିବା ନୀତୀଶ ସ୍ବୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି ରହିଛି ଓ ଆମେ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ବୋଲି ଦିଲ୍ଲୀ ଭାଜପା ସୂତ୍ରରୁ କୁହାଯାଇଛି।

Share