ଲାହୋରରେ ହେବ କୃତ୍ରିମ ବର୍ଷା, ଖର୍ଚ୍ଚ ହେବ ୩୫ କୋଟି…

ଇସଲାମାବାଦ,୨୫।୧୧ : ଦୀର୍ଘ ଦିନ ଧରି ପାକିସ୍ତାନ ଏକ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସତ୍ତ୍ୱେ ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ କରି ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଲାହୋରରେ କୃତ୍ରିମ ବର୍ଷା ପାଇଁ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ପାକିସ୍ତାନ ସରକାର ଚାଇନାଠାରୁ ସାହାଯ୍ୟ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଦେଶର ପଞ୍ଜାବ ପ୍ରଦେଶର ରାଜଧାନୀ ବର୍ତ୍ତମାନ ଦୁନିଆର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ଅନ୍ୟତମ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ପାକିସ୍ତାନର ଲାହୋର ଏବଂ ଭାରତର ଦିଲ୍ଲୀ ଗତ କିଛି ବର୍ଷ ଧରି ଶୀତ ଋତୁରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ହେବାରେ ଲାଗିଛନ୍ତି। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ କୃତ୍ରିମ ବର୍ଷା ହେବାର ସମ୍ଭାବନା ମଧ୍ୟ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।

ଲାହୋରରେ ଧୂଆଁର ମୁକାବିଲା ପାଇଁ ଏହାର ପ୍ରୟାସର ଏକ ଅଂଶ ଭାବରେ ପଞ୍ଜାବ ସରକାର ପ୍ରାଦେଶିକ ରାଜଧାନୀରେ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୩୫ କୋଟି ଟଙ୍କା।
ପୂର୍ବରୁ ମୁଖ୍ୟ ପାଣିପାଗ ବିଜ୍ଞାନୀ ଚୌଧୁରୀ ଅସ୍ଲାମ କହିଥିଲେ ଆସନ୍ତା ମାସରେ ଲାହୋରରେ କୃତ୍ରିମ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏଥିପାଇଁ ପ୍ରସ୍ତୁତି ଚାଲିଛି। କୁହୁଡି ରୋକିବା ପାଇଁ ସରକାର ଉଦ୍ୟମକୁ ଜୋରଦାର କରୁଛନ୍ତି ବୋଲି ସେ କହିଥିଲେ।

ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି କୁହୁଡ଼ିର ମୁକାବିଲା ପାଇଁ କୃତ୍ରିମ ବର୍ଷାର ଏକ ବିସ୍ତୃତ ଯୋଜନା ଚୂଡ଼ାନ୍ତ କରିବାକୁ ପଞ୍ଜାବ ସରକାର ବିଶେଷଜ୍ଞଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଚାଇନାର ବିଶେଷଜ୍ଞଙ୍କ ସହ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଛି, କାରଣ କ୍ଲାଉଡ ସେଡିଂ ହେଉଛି ସବୁଠାରୁ ପ୍ରଭାବଶାଳୀ ପଦ୍ଧତି।

Share