ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଖାଦ୍ୟ ସମସ୍ୟା

କୋଣାର୍କ,୨୪।୬(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବନ ବିଭାଗ ଅଧୀନ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଖାଦ୍ୟ ଅଭାବଜନିତ ସମସ୍ୟା ଯୋଗୁ ଗାଁମୁହାଁ ହୋଇଥିବା ଏକ ହରିଣର କୋଣାର୍କ- କାକଟପୁର ମୁଖ୍ୟରାସ୍ତାର ବଢେଇ ଛକରେ ଶୁକ୍ରବାର ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ହରିଣର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ହରିଣଙ୍କ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ନିମନ୍ତେ ଏମ୍‌ଜିଏନ୍‌ଆରଇଜିଏସ୍‌ ଓ କାମ୍ଫା ଯୋଜନା ମାଧ୍ୟମରେ ଜଙ୍ଗଲ ମଧ୍ୟରେ ଘାସ ଚାଷ ଓ ପୋଖରୀ ଖନନ ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବା ବେଳେ ନାମକୁ ମାତ୍ର କାର୍ଯ୍ୟ କରାଯାଇ କେବଳ କାଗଜ କଲମରେ କାର୍ଯ୍ୟ ହେଉଥିବାରୁ ପରିବେଶ ପ୍ରେମୀ ଓ ପଶୁ ପ୍ରେମୀ ଅସନ୍ତୋଷ ପ୍ରକାଶ କରି ଏହାର ସତ୍ୟତା ଅନୁସନ୍ଧାନ ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି। ଅନ୍ୟପଟେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଥିବା ବିଭିନ୍ନ ଇକୋ ଡେଭେଲପମେଣ୍ଟ କମିଟି ଦ୍ବାରା ପରିଚାଳିତ ବନ୍ୟଜନ୍ତୁଙ୍କ ଖାଦ୍ୟାଭାବ ଜନିତ ସମସ୍ୟା ଯୋଗୁ ହରିଣ ସମେତ ବିଭିନ୍ନ ବନ୍ୟଜନ୍ତୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇ ବିଭିନ୍ନ ସମୟରେ ବୁଲା କୁକୁର, ମାଂସ ଲୋଲୁପ ଶିକାରୀ ଓ ଗାଡି ଧକ୍କାରେ ମୃତ୍ୟୁ କରୁଥିବା ନଜିର ରହିଛି।
ଶୁକ୍ରବାର ପୂର୍ବାହ୍ନରେ ଖାଦ୍ୟ ଅନ୍ବେଷଣରେ ଆସି କୋଣାର୍କ ଥାନା ଅଧୀନ କୋଣାର୍କ – କାକଟପୁର ରାସ୍ତାର ବଢେଇ ଛକରେ ଏକ ଅଜଣା ଗାଡି ଧକ୍କାରେ ଏକ ବାଲି ହରିଣର ମୃତ୍ୟୁ ଘଟିଛି। ଖବରପାଇ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଟିମ୍‌ ଆସି ମୃତ ହରିଣଟିକୁ ଜବତ କରି କୋଣାର୍କ ପଶୁ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ କାର୍ଯ୍ୟାଳୟ ପରିସରରେ ପୋତା ଯାଇଥିବା କୋଣାର୍କ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା କହିଛନ୍ତି। ଆଗାମୀ ଦିନରେ ବନ୍ୟପ୍ରାଣୀଙ୍କ ନିମନ୍ତେ ବିଭାଗ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳର ସୁବନ୍ଦୋବସ୍ତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କୋଣାର୍କ ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି।