ବିଭୋର କରୁଛି ବନ୍ୟଜୀବନ

ଢେଙ୍କାନାଳ ଅଫିସ,୧୮।୧: ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ଜଙ୍ଗଲ ସଫାରି। ପର୍ଯ୍ୟଟକଙ୍କୁ ପ୍ରକୃତି ଏବଂ ବନ୍ୟଜୀବନ ସହିତ ଯୋଡ଼ିବା ଲାଗି ୩ଦିନ ହେଲା ପରୀକ୍ଷାମୂଳକ ଭାବେ ଏହାର ଶୁଭାରମ୍ଭ ହୋଇଥିବାବେଳେ ଆସନ୍ତା ୭ଦିନ ମଧ୍ୟରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବ। ତେବେ ଆରମ୍ଭରୁ ଜଙ୍ଗଲ ଇଲାକାର ଶାନ୍ତ ପରିବେଶ ପ୍ରକୃତିପ୍ରେମୀଙ୍କୁ ବିଭୋର କରୁଥିବାବେଳେ ଏହା ଜିଲା ପର୍ଯ୍ୟଟନକୁ ସମୃଦ୍ଧ କରିବ ବୋଲି ମତପ୍ରକାଶ ପାଇଛି।
କପିଳାସ ଅଭୟାରଣ୍ୟରେ ଜଙ୍ଗଲ ସଫାରି କରିବା ଲାଗି ଦୀର୍ଘଦିନରୁ ବନ ବିଭାଗ ଯୋଜନା କରିଥିଲା। ନିକଟରେ ଏହା ଚୂଡ଼ାନ୍ତ ରୂପ ନେଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ୧୦ ଜଣ ପର୍ଯ୍ୟଟକ ବସିବା ଭଳି ୧୨ ଲକ୍ଷ ଟଙ୍କା ବ୍ୟୟରେ ଏକ ସ୍ବତନ୍ତ୍ର ଗାଡ଼ି ପ୍ରସ୍ତୁତ କରାଯାଇଛି। ଜିଲାକୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧୁର ଅନୁଭୂତି ଦେବା ଲାଗି ପରୀକ୍ଷାମୂଳକ ଭାବେ ଜଙ୍ଗଲ ସଫାରି ଆରମ୍ଭ କରାଯାଇଛି। ଦୁଇଦିନ ତଳେ ବିଦେଶୀ ପର୍ଯ୍ୟଟକ ଏହାର ମଜା ନେଇଛନ୍ତି।
କପିଳାସ ରେଞ୍ଜ କାର୍ଯ୍ୟାଳୟରୁ ପର୍ଯ୍ୟଟକଙ୍କୁ ଧରି ଏହି ସଫାରି ଯାନ ଅଭୟାରଣ୍ୟ ଅଭିମୁଖେ ଯାତ୍ରା କରୁଛି। ଦେଓଗାଁ-ଟାଙ୍ଗୀ ରାସ୍ତାର ବାଇଁଶିଆ ବିଟ୍‌ଠାରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ପରେ ଢେଙ୍କାନାଳ-କଟକ ସୀମାନ୍ତ କପିଳାସ ଅଭୟାରଣ୍ୟରେ ପ୍ରାୟ ୩୧ କିଲୋମିଟର ପଥ ପରିକ୍ରମା କରୁଛି। ବନ କର୍ମଚାରୀ, ହାତୀ ସ୍କ୍ବାଡ୍‌ କର୍ମଚାରୀ ସୁରକ୍ଷା ଉପକରଣ ସହ ଗାଡ଼ି ସହିତ ଯାଉଛନ୍ତି। ଗାଡ଼ିରେ ପର୍ଯ୍ୟଟକଙ୍କୁ ସ୍ନାକ୍ସ ଓ କଫି ଦିଆଯିବା ବ୍ୟବସ୍ଥା କରାଯାଇଛି। ଜଙ୍ଗଲ ମଝିରେ ଥିବା ଚିକିଟା ବିଟ୍‌ ହାଉସଠାରେ ସବୁଜିମାମୟ ଜଙ୍ଗଲ ଦୃଶ୍ୟ, ପାହାଡ଼ ଏବଂ ବନ୍ୟଜନ୍ତୁଙ୍କୁ ଦେଖିବା ଲାଗି ବଡ଼ ଓ୍ବାଚ୍‌ଟାଓ୍ବାର କରାଯାଇଛି। ଅଭୟାରଣ୍ୟରେ ହାତୀ, ଗୟଳ, ଅଜଗର, ଅହିରାଜ, ଭାଲୁ, ହରିଣ, ବାର୍‌ହା, ଝିଙ୍କ ଆଦି ବହୁ ପ୍ରଜାତିର ବନ୍ୟଜନ୍ତୁ ରହୁଥିବାବେଳେ ପର୍ଯ୍ୟଟକମାନେ ଦୂରରୁ ସେମାନଙ୍କୁ ଦେଖିବାର ସୁଯୋଗ ହାତଛଡ଼ା କରୁନାହାନ୍ତି।
ଏ ସଂକ୍ରାନ୍ତରେ ହାତୀ ସ୍କ୍ବାଡ୍‌ କର୍ମଚାରୀ ହରିଶ ଚନ୍ଦ୍ର ପତି, ଲାଣ୍ଡୁ କାଲୁଣ୍ଡିଆ କୁହନ୍ତି, ପର୍ଯ୍ୟଟକମାନେ ସଫାରି ଗାଡିରେ ବସି ଘନଜଙ୍ଗଲ ପରିବେଶର ଆନନ୍ଦ ଉଠାଉଛନ୍ତି। ହାତୀ, ହରିଣ, କୁଟୁରା, ଶାଲିଆପତନି ଭଳି ବନ୍ୟଜନ୍ତୁଙ୍କୁ ପାଖରୁ ଦେଖୁଛନ୍ତି। ଓ୍ବାଚ୍‌ଟାଓ୍ବାର ଉପରୁ ଦିନରାତି ବନ୍ୟଜନ୍ତୁଙ୍କ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରାଯାଉଛି। ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ପରୀକ୍ଷାମୂଳକ ଭାବେ ଜଙ୍ଗଲ ସଫାରି ଆରମ୍ଭ ହୋଇଛି। ୭ଦିନ ମଧ୍ୟରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ। ଏଥିଲାଗି ଦେୟ ମଧ୍ୟ ନିର୍ଦ୍ଧାରିତ ହେବ। ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ।