ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ ସୃଷ୍ଟି କରିଥିଲା। ବାରହାଟି ଗ୍ରାମର ଇନୋଦ ସେଠୀ ଓ ବିନୋଦ ସେଠୀଙ୍କୁ ଆକ୍ରମଣ କରି ଆହତ କରିବା ସହ ଗାଁରେ ଆତଙ୍କ ଖେଳାଇ ଦେଇଥିଲା।

ବାରହା ଆକ୍ରମଣରେ ଆହତ ଇନୋଦ ଓ ବିନୋଦଙ୍କୁ ଚିକିତ୍ସା ପାଇଁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ବନପାଳ ବିଭୂତି ଭୂଷଣ ତରାଇ ବନ କର୍ମଚାରୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ବନ ବିଭାଗ କର୍ମଚାରୀମାନେ ଦଳ ପୋଖରୀରୁ ବାରହାଟିକୁ ଉଦ୍ଧାର କରିଥିଲେ।

ରାଜନଗର ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସ୍ୱରାଜ ନାୟକ ଉଦ୍ଧାର ହୋଇଥିବା ବାରହାଟିର ଚିକିତ୍ସା କରିଥିଲେ। ଚିକିତ୍ସା ପରେ ବନ ବିଭାଗ ପକ୍ଷରୁ ବାରହାଟିକୁ ପୁଣି ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ବନପାଳ ତରାଇ ସୂଚନା ଦେଇଛନ୍ତି।

କୁମ୍ଭୀର ଆତଙ୍କ ପରେ ଏବେ ସ୍ଥଳଭାଗରେ ଜଙ୍ଗଲୀ ବାରହାର ଆତଙ୍କ ବନ୍ୟା ବିପନ୍ନ ଲୋକଙ୍କ ନିଦ ହଜାଇ ଦେଇଛି। ବନ୍ୟା ପରିସ୍ଥିତିରେ ବନ୍ୟଜନ୍ତୁମାନେ ଜନବସତି ଅଞ୍ଚଳକୁ ପଶି ଆସୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି।

Dharitri – Odisha’s No.1 Odia Daily

Share