ନୂଆଦିଲ୍ଲୀ,୮।୧୦: ଦକ୍ଷିଣ ଦିଲ୍ଲୀର ଅମ୍ବେଦକର ନଗର ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମଦନଗୀରରେ ରହୁଥିବା ଦିନେଶ ନାମକ ଜଣେ ବ୍ୟକ୍ତି ଶୋଇଥିବା ବେଳେ ତାଙ୍କ ପତ୍ନୀ ତାଙ୍କ ଉପରେ ଫୁଟୁଥିବା ତେଲ ଢାଳି ଦେଇଥିଲେ ଓ ଆଘାତ ସ୍ଥାନରେ ଲଙ୍କାଗୁଣ୍ଡ ଛିଞ୍ଚିଥିଲେ। ଦିନେଶଙ୍କ ଚିତ୍କାର ଶୁଣି ପଡ଼ୋଶୀ ଓ ମକାନ ମାଲିକଙ୍କ ପରିବାର ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଦକ୍ଷିଣ ଜିଲା ପୁଲିସ ଉପାୟୁକ୍ତ ଅଙ୍କିତ ଚୌହାନ କହିଛନ୍ତି, ଘରୋଇ ବିବାଦ ଯୋଗୁଁ ଏହି ଘଟଣା ଘଟିଛି ଏବଂ ଦମ୍ପତିଙ୍କ ମଧ୍ୟରେ ସିଏଡ଼ବ୍ଲୁ ସେଲ୍ରେ ବିବାଦ ଚାଲିଥିଲା। ୩ ଅକ୍ଟୋବର ସକାଳ ପ୍ରାୟ ୩ଟା ବେଳେ ଦିନେଶଙ୍କ ପତ୍ନୀ ତାଙ୍କ ଶରୀରରେ ଗରମ ତେଲ ଢାଳିଥିଲେ। ଦିନେଶଙ୍କ ଅଭିଯୋଗ ଅନୁଯାୟୀ, ସେ ଶୋଇଥିବା ବେଳେ ପତ୍ନୀ ତାଙ୍କ ଧଡ଼ ଓ ମୁହଁରେ ଗରମ ତେଲ ଢାଳି ଲଙ୍କାଗୁଣ୍ଡ ଛିଞ୍ଚିଥିଲେ। ବିରୋଧ କଲେ ପତ୍ନୀ ଆହୁରି ଗରମ ତେଲ ଢାଳିବାକୁ ଧମକ ଦେଇଥିଲେ।
ପଡ଼ୋଶୀ ଓ ଘର ମାଲିକଙ୍କ ଝିଅ ଅଞ୍ଜଳି ଦିନେଶଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ମେଡିକାଲ ରିପୋର୍ଟରେ ଦିନେଶଙ୍କ ଆଘାତକୁ ଗୁରୁତର ବୋଲି କୁହାଯାଇଛି। ଅଭିଯୁକ୍ତ ପତ୍ନୀ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୧୮, ୧୨୪ ଓ ୩୨୬ ଅନୁଯାୟୀ ମାମଲା ରୁଜୁ ହୋଇଛି, କିନ୍ତୁ ବୁଧବାର ସନ୍ଧ୍ୟା ସୁଦ୍ଧା ତାଙ୍କୁ ଗିରଫ କରାଯାଇନଥିଲା।

