ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା, ସ୍ବାମୀ ଗିରଫ

ନୀଳଗିରି, ୧୯।୩(ସ୍ବ.ପ୍ର.): ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ଏନେଇ ମହିଳାଙ୍କ ବାପଘର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ପୋଲିସ ବରହମ୍‌ପୁର ଥାନାରେ ହତ୍ୟା ମାମଲା (ନଂ. ୨୯/୨୩) ରୁଜୁ କରି ସ୍ବାମୀ ଦୀପ୍ତି କିଶୋର ବେହେରାଙ୍କୁ ଗିରଫ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
କପ୍ତିପଦା ଥାନା ଅଞ୍ଚଳର ପ୍ରଶାନ୍ତ ମଣ୍ଡଳଙ୍କ ଝିଅ ସବିତାଙ୍କୁ ବରହମପୁର ଥାନା ଅଧୀନ ଗରଡ଼ିହି ଗାଁର ଦୀପ୍ତିକିଶୋର ବେହେରା ୩ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ବାହାଘର ୬ମାସ ପରେ ଦୀପ୍ତିଙ୍କ ମା’ ବାପାଙ୍କ ସମେତ ପରିବାର ଲୋକେ ଅଧିକ ଯୌତୁକ ଦାବି କରି ମାର୍‌ପିଟ୍‌ କରିଆସୁଥିଲେ। ସବିତାଙ୍କ ଘର ଲୋକେ ଏହା ଜାଣିବା ପରେ ବହୁବାର ବୈଠକ କରି ବୁଝାଶୁଝା କରିଥିଲେ। ଉକ୍ତ ଘଟଣା ବାରମ୍ବାର ହେବା ପରେ ଏନେଇ ଗତ ୨୦୨୦ ଜୁଲାଇ ୧୬ରେ ବରହମପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଝିଅର ଭବିଷ୍ୟତକୁ ଲକ୍ଷ୍ୟ କରି ଉଭୟଙ୍କ ମଧ୍ୟରେ ଥାନାରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା। ପରେ ଦୀପ୍ତିଙ୍କ ସହ ଗାଁର ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯାହାକୁ ବିରୋଧ କରିଥିଲେ ସବିତା। ଶୁକ୍ରବାର ଦୀପ୍ତିଙ୍କ ପ୍ରେମିକା ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ୍‌ ହୋଇଥିଲା। ଏଥିରେ ସବିତା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାରପିଟ୍‌ ଯୋଗୁ ସବିତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପା ପ୍ରଶାନ୍ତ ମଣ୍ଡଳ ଶନିବାର ବରହମ୍‌ପୁର ଥାନାରେ ସ୍ବାମୀ ଦୀପ୍ତି କିଶୋର ବେହେରା, ଶାଶୁ କମଳା ବେହେରା, ମମତା ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି।