ସ୍ତ୍ରୀ, ପ୍ରେମିକ ଜେଲ ଗଲେ

ରାଜକନିକା,୨୯ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଭାମଣ୍ଡା ଗ୍ରାମର ନୃସିଂହନାଥ ମନ୍ଦିର ପୂଜକ ରଙ୍ଗାଧର ଦାଶଙ୍କ ମୃତଦେହ ମିଳିବାର ୬ ଦିନ ପରେ ରାଜକନିକା ଥାନା ପୋଲିସ ମୃତକଙ୍କ ସ୍ତ୍ରୀ ରତ୍ନମଣି ଓ ତାଙ୍କ ପ୍ରେମିକ ଅସିତ ଶତପଥୀଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି। ମୃତକଙ୍କ ବଡ଼ଭାଇ ଗଙ୍ଗାଧର ଦାସଙ୍କ ଅଭିଯୋଗକୁ ଭିତ୍ତିକରି ରାଜକନିକା ଥାନା ପୋଲିସ ଭାରତୀୟ ଦଣ୍ଡବିଧି ଆଇନ ଦଫା ୩୦୨/୩୪ରେ ଏକ ମାମଲା(ନଂ.୨୯୨/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉଭୟଙ୍କୁ ପୋଲିସ ଶନିବାର କଟକ ଓଏମ୍‌ପି ଅଞ୍ଚଳରୁ ଉଠାଇ ଆଣି ପଚରାଉଚରା କରିବା ପରେ ରବିବାର ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାରେ ଉଭୟଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବ ବୋଲି ରାଜକନିକା ଥାନା ଅଧିକାରୀ ବିଲ୍ବମଙ୍ଗଳ ସେଠୀ କହିଛନ୍ତି।
କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଧୀନ ସିହୋପଡ଼ା ପଞ୍ଚାୟତର ଭାମଣ୍ଡା ଗ୍ରାମରେ ଗତ ୧୭ ତାରିଖରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଅବୈଧ ସମ୍ପର୍କରୁ ପ୍ରେମିକ ସହ ମିଶି ସ୍ତ୍ରୀ ରତ୍ନମଣି ନିଜ ସ୍ବାମୀଙ୍କୁ ହତ୍ୟା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ଖୋଦ ମୃତକଙ୍କ ପରିବାର ଲୋକେ। ଏପରି କି ସ୍ବାମୀଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ରତ୍ନମଣି ନିଜର ପିଲାମାନଙ୍କୁ ଛାଡ଼ି ପ୍ରେମିକଙ୍କ ହାତଧରି ଗଁା ଛାଡ଼ି ଚାଲି ଆସିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ରତ୍ନମଣିଙ୍କ ପୁଅ, ଝିଅ ନିଜ ମା’ଙ୍କ ବିରୋଧରେ ମୁହଁ ଖୋଲିବାକୁ ପଛଘୁଞ୍ଚା ଦେଇ ନ ଥିଲେ।
ପ୍ରକାଶ ଯେ, ପୂଜକ ରଙ୍ଗାଧର(୫୦) ସବୁଦିନ ପରି ଗତ ୧୭ ତାରିଖରେ ଗାଁ ନୃସିଂହନାଥ ମନ୍ଦିରକୁ ପୂଜା କରିବାକୁ ଯାଇ ଆଉ ଫେରି ନ ଥିଲେ। ଏନେଇ ସ୍ତ୍ରୀ ରନତ୍ମଣି(୪୦)ଓ ରଙ୍ଗାଧରଙ୍କ ବଡ଼ଭାଇ ଗଙ୍ଗାଧର ରାଜକନିକା ଥାନାରେ ପୃଥକ୍‌ ପୃଥକ୍‌ ଏତଲା ଦେଇଥିଲେ। ରନତ୍ମଣିଙ୍କ ଏତଲାରେ ରଙ୍ଗାଧର କେଉଁଆଡ଼େ ଚାଲିଯାଇଥିବା ଉଲ୍ଲେଖ ଥିବା ବେଳେ, ଗଙ୍ଗାଧରଙ୍କ ଏତଲାରେ ଭାଇ ଓ ଭାଇବୋହୂଙ୍କ ମଧ୍ୟରେ କଳହ ଲାଗିଥିଲା। ଏହାକୁ କେନ୍ଦ୍ରକରି ଭାଇ କେଉଁଆଡ଼େ ଚାଲିଯାଇଥିବା କଥା ଉଲ୍ଲେଖ ଥିଲା। ଆହୁରି ମଧ୍ୟ ସେହି ଗ୍ରାମର ଅସିତ୍‌ ଶତପଥୀ (ବାଇନ)ଙ୍କ ସହିତ ଅନୈତିକ ସମ୍ପର୍କ ଥିବା କାରଣରୁ ଭାଇ ଓ ଭାଇବୋହୂଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥିବା ଉଲ୍ଲେଖ ଥିଲା। ରଙ୍ଗାଧରଙ୍କ ନିଖୋଜର ୫ ଦିନ ପରେ ଅର୍ଥାତ୍‌ ଅଗଷ୍ଟ ୨୧ ତାରିଖରେ ଗ୍ରାମ ନିକଟସ୍ଥ ଶିମିଳି ମାହାର ଯୋର ନିକଟରୁ ତାଙ୍କ କ୍ଷତାକ୍ତ ଗଳିତ ମୃତଦେହ ମିଳିଥିଲା।