ନିର୍ବାଚନ ହାରିବା ପରେ ପରିହାସ ଉଜାଡି ଦେଲା ସଂସାର

ପଦ୍ମପୁର,୨୨।୩(ଡି.ଏନ.ଏ.): ସ୍ତ୍ରୀଙ୍କ ପରାଜୟ ପରେ ପରିହାସ ସହି ନପାରି ଜୀବନ ହାରିଥିଲେ ସ୍ବାମୀ। ୧୦ ଦିନ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ସ୍ବାମୀଙ୍କ ଦଶାହରେ ଆଖି ବୁଜିଲେ ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ଗାଁରେ ।
ସୂଚନାଯୋଗ୍ୟ, ପଦ୍ମପୁର ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ରମାକାନ୍ତ ପରିଙ୍କ ସ୍ତ୍ରୀ ସୁମତୀ ଲଢ଼ିଥିଲେ। ହେଲେ ସେ ହାରି ଯାଇଥିଲେ। ଏ ନେଇ ସ୍ବାମୀ-ସ୍ତ୍ରୀ ଅସନ୍ତୋଷ ଥିଲେ। ବିଜୟୀ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ବିଜୟ ଶୋଭାଯାତ୍ରା ହେଉଥିଲା। ସେହି ସମୟରେ କିଛି କର୍ମୀ ରମାକାନ୍ତଙ୍କୁ ପରିହାସ କରିଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ପାଟିତୁଣ୍ଡ ହୋଇଥିଲା। ପରେ ରମାକାନ୍ତ ଘରକୁ ଫେରି ସ୍ତ୍ରୀ ସୁମତୀ ସହ ଏହି କଥାକୁ ନେଇ ବଚସା ହୋଇଥିଲା। ନିର୍ବାଚନରେ ହାରି ଯାଇଥିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି ରମାକାନ୍ତ କହିଥିଲେ। ପରେ ରମାକାନ୍ତ ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ। ଏହା ଦେଖି ସୁମତୀ ମଧ୍ୟ ବିଷ ପିଇ ଦେଇଥିଲେ। ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରମାକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସୁମତୀ ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁମତୀ ଆଖି ବୁଜିଛନ୍ତି।