ବିଧବା, ବୃଦ୍ଧାଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ

ଲାଠୋର,୧୭ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ସଦର ଗ୍ରାମ ଆଦର୍ଶ ପଡ଼ାର କେତେକ ବିଧବା ଏବଂ ବୃଦ୍ଧାଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ। ଏ ନେଇ ସେମାନେ ବିଭିନ୍ନ ସମୟରେ ଆବେଦନ କରି ଆସୁଥିଲେ ହେଁ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି। ବିଧବା ମଧୁ ଛତ୍ରିଆ ଦୁଇ ପୁଅ ଅନିକେତ ଏବଂ ଅଙ୍କିତଙ୍କୁ ନେଇ ଏକ ମାଟି ଛପର ଘରେ ରହଛନ୍ତି। ଆଉ ଜଣେ ବିଧବା ମଞ୍ଜୁ ଛତ୍ରିଆ ମଧ୍ୟ ନିଜ ତିନି ପୁଅ କ୍ରିଷ୍ଣା, ଶିବା ଏବଂ ବାଲାଜିଙ୍କୁ ନେଇ ମାଟି ଛପର ଘରେ ରହୁଛନ୍ତି। ପଡ଼ାର ଶାନ୍ତି ତାଣ୍ଡି ସ୍ବାମୀଙ୍କ ମୃତ୍ୟୁ ପରଠାରୁ ଏକୁଟିଆ ଏକ ମାଟି ଛପର ଘରେ ବାସ କରୁଛନ୍ତି। ସେହିପର ବୃଦ୍ଧା ଭାଜି ଛତ୍ରିଆ ସ୍ବାମୀ ଗୌରାଙ୍ଗ ଛତ୍ରିଆଙ୍କୁ ସାଙ୍ଗରେ ନେଇ ଏକ ମାଟି ଛପର ଘରେ ପଲିଥିନ ଢାଙ୍କି ରହୁଛନ୍ତି। ଦାଦନ ଶ୍ରମିକ ଭଗବାନ ଛତ୍ରିଆ ସ୍ତ୍ରୀ ବାସନ୍ତିଙ୍କୁ ନେଇ ସେମିତି ଭଙ୍ଗା କୁଡ଼ିଆରେ ଅନ୍ୟନୋପାୟ ହୋଇ ରହୁଛନ୍ତି। ବର୍ତ୍ତମାନ ବର୍ଷା ଦିନ ଆସି ଯାଇଥିବାରୁ ଛୋଟ ପିଲାଙ୍କୁ ନେଇ ସେମାନେ କିପରି ମାଟି ଝାଟିମାଟି ଘରେ ରହିବେ ଚିନ୍ତାରେ ପଡିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇ ଏହି ପରିବାରଗୁଡ଼ିକ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଥିଲେ ମଧ୍ୟ ଆଜିଯାଏ ବାସଗୃହ ଯୋଗାଇ ଦିଆଯାଇନାହଁି। ତୃଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ ଯୋଗୁଁ ପ୍ରକୃତ ହିାଧିକାରୀ ବାସଗୃହ ପାଇବାରୁ ବଞ୍ଚତ୍ତ ହୋଇଥିବା ବେଳେ ସ୍ବଚ୍ଛଳ ବର୍ଗର ଲୋକ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇ ବାସଗୃହ ପାଉଛନ୍ତି। ହିତାଧିକାରୀମାନେ ସରକାରୀ ବାବୁମାନଙ୍କୁ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କଲେ ଯେଉଁ ମାନଙ୍କର ନାମ ତାଲିକାରେ ଅଛି ସେମାନେ ବାସ ଗୃହ ପାଇବେ କହି ଫେରାଇ ଦେଉଛନ୍ତି। ଲାଠୋର ସରପଞ୍ଚ ଜୟଶ୍ରୀ ଭଇଁଷାଲଙ୍କୁ ପଚାରିବାରେ ପ୍ରଶାସନ ସହ ଯୋଗାଯୋଗ କରି ଉପରୋକ୍ତ ବ୍ୟକ୍ତିମାନଙ୍କ ନାମ ୱେଟିଙ୍ଗ ଲିଷ୍ଟରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁରୋଧ କରିବି ବୋଲି କହିଥିଲେ।