Categories: ଜାତୀୟ

ମହାରାଷ୍ଟ୍ରରେ ହଟିଲା ବିଧବା ପ୍ରଥା

ମୁମ୍ବାଇ, ୨୦ା୫:ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାର ରାଜ୍ୟରେ ବିଧବା ପ୍ରଥା ଉପରେ କଟକଣା ଲଗାଇଛନ୍ତି। ଏଭଳି ପ୍ରଥା ଯୋଗୁ ମହିଳାଙ୍କ ସମ୍ମାନ ଉପରେ ଆଞ୍ଚ ଆସିବା ସହ ମାନବାଧିକାର ଉଲ୍ଲଂଘନ ହେଉଛି। ତେଣୁ ବର୍ତ୍ତମାନର ଅତ୍ୟାଧୁନିକ ବୈଜ୍ଞାନିକ ଯୁଗରେ ଏହାର କୌଣସି ସ୍ଥାନ ନାହିଁ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ୍‌ ଏମ୍‌. ମୁଶ୍ରିଫ୍‌ ଗୁରୁବାର ଏ ନେଇ ସର୍କୁଲାର ଜାରି କରି ପ୍ରତ୍ୟେକ ପଞ୍ଚାୟତରେ ଲାଗୁ କରିବାକୁ କହିଛନ୍ତି। କୋହ୍ଲାପୁର ଜିଲାର ମାନ୍‌ଗାଁ ଏବଂ ହରଓ୍ବାଡ୍‌ ଦୁଇ ଛୋଟ ଗ୍ରାମ ବିଧବା ପ୍ରଥା ଭଳି ଅମାନବୀୟ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଗତ ୪ ତାରିଖରେ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ଏଥିସହ ସ୍ଥାନୀୟ ଲୋକେ ହରଓ୍ବାଡ୍‌ ପଞ୍ଚାୟତରେ ଏଭଳି ପ୍ରଥା ବନ୍ଦ ମଧ୍ୟ କରାଇଥିଲେ। ଅନ୍ୟ ପଞ୍ଚାୟତଗୁଡ଼ିକ ହରଓ୍ବାଡ୍‌କୁ ଉଦାହରଣ ଭାବେ ନିଅନ୍ତୁ ବୋଲି ରାଜ୍ୟ ସରକାର କହିଛନ୍ତି। ପ୍ରଚଳିତକ ପ୍ରଥା ଅନୁସାରେ କୌଣସି ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଲେ ସେ ସିନ୍ଦୁର, ଚୁଡ଼ି କାଢ଼ିବା ସହ ରଙ୍ଗୀନ ଶାଢ଼ୀ ପିନ୍ଧିବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ନ ଦେବା ଭଳି ରୀତିନୀତି ରହିଛି। ଏଣିକି ବିଧବା ମହିଳାମାନେ ମୁକ୍ତ ଭାବେ ସେମାନଙ୍କ ଜୀବନ ବଞ୍ଚିପାରିବେ ବୋଲି ଶିବସେନା ମୁଖପାତ୍ର ମନିଷ କାୟାନ୍ଦେ କହିଛନ୍ତି।

Share