ହାତୀ ଆକ୍ରମଣରେ ବିଧବା ମହିଳାଙ୍କ ମୃତ୍ୟୁ

କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ରେଞ୍ଜ ଅନ୍ତର୍ଗତ ଉପର ଡିହା ଚତିରି ସାହିର ଜଣେ ମହିଳା ପାଖ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣକ ହେଲେ ବେଲ ମୁଣ୍ଡା। ସେ ମଙ୍ଗଳବାର ମଧ୍ୟାହ୍ନରେ ଜଙ୍ଗଲକୁ ଯାଇ ଫେରି ନ ଥିଲେ। ବୁଧବାର ସକାଳୁ ପରିବାର ଲୋକ ଖୋଜାଖୋଜି କରି ମୃତ ଦେହ ଜଙ୍ଗଲରୁ ପାଇ ବନ ବିଭାଗକୁ ଜଣାଇଥିଲେ। ବିଧବା ମହିଳା ଜଣଙ୍କ ତାଙ୍କ ଝିଅ ଘରେ ରହୁଥିଲେ। ପରେ ମୃତକଙ୍କ ପରିବାରକୁ ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ବୋଲି ରେଞ୍ଜ ଦାୟିତ୍ୱରେ ଥିବା ଏ ସି ଏଫ ପ୍ରଭାତ କୁଅଁର କହିଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ଯୋଗୁଁ ହାତୀମାନେ ଗ୍ରାମ ମୁହାଁ ହୋଇ ଧାନ ଫସଲ ଖାଇବା ସହ ରାତିରେ ଗାଁ ସୀମା ଜଙ୍ଗଲରେ ଆଶ୍ରୟ ନେଉଛନ୍ତି। ଫଳରେ ଏଭଳି ଅଘଟଣ ଘଟିଛି ବୋଲି ଚର୍ଚ୍ଚା ହେଉଛି।