ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ ପାର କଲେ ବ୍ୟାଟିଂ ଦଳକୁ ବିନା କୌଣସି ବଲ୍‌ରେ ୫ ରନ ମିଳିଥାଏ। କିନ୍ତୁ କାନାଡା ସୁପର୍‌ ୬୦ ଲିଗ୍‌୍‌ରେ ଏବେ ଏମିତି ଏକ ଅଜବ ଘଟଣା ଘଟିଛି, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଚକିତ କରିଦେଇଛି। ଏଥର ୱାଇଡ ବଲ କେବଳ ଚୌକା ନୁହେଁ, ବରଂ ସିଧା ଛକା ହୋଇଛି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କାନାଡା ସୁପର୍‌ ୬୦ ଲିଗ୍‌ର ସେମିଫାଇନାଲରେ ଟୋରଣ୍ଟୋ ସିକ୍ସର୍ସ ଏବଂ ମିସିସାଗା ମାଷ୍ଟର୍ସ ମୁହାଁମୁହିଁ ହୋଇଥିଲେ। ମିସିସାଗା ପକ୍ଷରୁ ଆମେରିକାର ଦ୍ରୁତ ବୋଲର ଅଲି ଖାନ ବୋଲିଂ କରୁଥିଲେ। ପ୍ରଥମ ଇନିଂସର ୯ମ ଓଭରରେ ଅଲି ଖାନ କିରନ ପୋଲାର୍ଡଙ୍କୁ ଏକ ବାଉନ୍ସର୍‌ ଫିଙ୍ଗିଥିଲେ। କିନ୍ତୁ ବଲ୍‌ଟିରେ ଏତେ ଅଧିକ ଉଚ୍ଚ ଥିଲା ଯେ, ଏହା ଉଇକେଟକିପରଙ୍କ ମୁଣ୍ଡ ଉପର ଦେଇ ସିଧା ବାଉଣ୍ଡାରୀ ବାହାରକୁ ଚାଲିଯାଇଥିଲା।

ସାଧାରଣତଃ ଏଭଳି ବଲ ଉଇକେଟକିପରଙ୍କ ହାତ ଛାଡ଼ି ବାଉଣ୍ଡାରୀ ପାର କଲେ ୫ ରନ ମିଳିଥାଏ। ତେବେ ଏହି ଘଟଣାର ବିଶେଷତା ହେଉଛି ବଲ୍‌ଟି ପଡିଆରେ ବାଜି ଏତେ ଉଚ୍ଚକୁ ଉଠିଥିଲା ଯେ, ଦେଖିବାକୁ ଏହା ଏକ ୱାଇଡ୍‌ରେ ହୋଇଥିବା ଛକା ଭଳି ଲାଗିଥିଲା।ନିୟମ ଅନୁଯାୟୀ ଏହି ବଲ୍‌ରେ ୭ ରନ ମିଳିବା କଥା ଥିବା ଦାବି କରାଯାଉଥିଲେ ମଧ୍ୟ, ଶେଷରେ ଟୋରଣ୍ଟୋ ସିକ୍ସର୍ସକୁ ୫ ରନ ହିଁ ଦିଆଯାଇଥିଲା। ଘଟଣାଟି ଏବେ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

ଟୋରଣ୍ଟୋ ସିକ୍ସର୍ସ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୪ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ କିରନ ପୋଲାର୍ଡ ସର୍ବାଧିକ ରନ କରିଥିଲେ। ସେ ମାତ୍ର ୧୬ ବଲ୍‌ରେ ୩ଟି ଚୌକା ଓ ୪ଟି ଛକା ସହ ୪୦ ରନ୍‌ର ଧମାକାଦାର ଇନିଂସ ଖେଳିଥିଲେ। ସେହିପରି ଆଣ୍ଡ୍ରିସ ଗୌସ ଅପରାଜିତ ୩୩ ରନ କରିଥିଲେ। ତାଙ୍କ ଇନିଂସରେ ୧ଟି ଚୌକା ଓ ୪ଟି ଛକା ସାମିଲ ଥିଲା।
୧୩୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ମିସିସାଗା ମାଷ୍ଟର୍ସ ୧୦ ଓଭରରେ ୭ ଉଇକେଟ ହରାଇ ୧୨୧ ରନ ହିଁ କରିପାରିଥିଲା। ଫଳରେ ଟୋରଣ୍ଟୋ ସିକ୍ସର୍ସ ୯ ରନ୍‌ରେ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିଲା। ମିସିସାଗା ପକ୍ଷରୁ ଏଲେକ୍ସ ଲିଜ ମାତ୍ର ୧୧ ବଲ୍‌ରେ ୨ଟି ଚୌକା ଓ ୫ଟି ଛକା ସହ ୩୯ ରନ୍‌ର ଦ୍ରୁତ ଇନିଂସ ଖେଳିଥିଲେ। ତେବେ ତାଙ୍କ ଏହି ଧମାକାଦାର ପାଳି ଦଳକୁ ବିଜୟ ଦେବା ପାଇଁ ଯଥେଷ୍ଟ ହୋଇ ନ ଥିଲା।

Dharitri – Odisha’s No.1 Odia Daily

 

Share