Categories: ଜାତୀୟ

୨୦୦୭ ପରେ ସିଇସିଙ୍କ କାର୍ଯ୍ୟକାଳ କାହିଁକି କମାଯାଇଥିଲା, କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୨।୧୧ : ମଙ୍ଗଳବାର ସୁପ୍ରିମକୋର୍ଟରେ ଭାରତର ନିର୍ବାଚନ ଆୟୋଗଙ୍କର କାର୍ଯ୍ୟରେ ସ୍ବଚ୍ଛତା ସମ୍ପର୍କରେ ଏକ ଆବେଦନ ଉପରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବିଚାରପତିଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ବେଞ୍ଚ ଏହି ଆବେଦନ ସମ୍ପର୍କରେ କେନ୍ଦ୍ରକୁ ଅନେକ ପ୍ରଶ୍ନ ପଚାରିଛନ୍ତି। ୨୦୦୭ ମସିହାରୁ ସମସ୍ତ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ କାର୍ଯ୍ୟକାଳ କାହିଁକି କମାଯାଇଥିଲା ବୋଲି କୋର୍ଟ ସରକାରଙ୍କୁ ପଚାରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆମେ ଏହାକୁ ୟୁପିଏ ସରକାର ଏବଂ ବର୍ତ୍ତମାନର ସରକାରଙ୍କ ସମୟରେ ଦେଖିଛୁ।

ଏହା ସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ ଭାରତ ନିର୍ବାଚନ ଆୟୋଗଙ୍କର ସଦସ୍ୟ ନିଯୁକ୍ତିରେ ସଂସଦରେ ସଂସ୍କାର ଆଣିବା ଆବଶ୍ୟକ। ଏହା ନିର୍ବାଚନ ଆୟୋଗଙ୍କର କାର୍ଯ୍ୟକାରିତାକୁ ପ୍ରଭାବିତ କରିବ। ମୁଖ୍ୟ ନିର୍ବାଚନ କମିଶନରଙ୍କ ସ୍ବାଧୀନତା ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ ।

୧୯୯୧ ମସିହା ଅଧିନିୟମ ଅନ୍ତର୍ଗତ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ୬ ବର୍ଷ ଥିଲା। ତେବେ ୨୦୦୭ରେ ଏହାକୁ କାହିଁକି ହ୍ରାସ କରାଯାଇଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଫଳସ୍ବରୂପ,ବହୁ ସିଇସି ସେମାନଙ୍କର ଧାର୍ଯ୍ୟ କାର୍ଯ୍ୟଗୁଡିକୁ ପୂରଣ କରିବାରେ ଅସମର୍ଥ ହୋଇଛନ୍ତି।

ଜଷ୍ଟିସ କେଏମ ଜୋସେଫ, ଜଷ୍ଟିସ ଅଜୟ ରାସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଶିକେଶ ରୟ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ସିଇସି ସମେତ ଭାରତର ନିର୍ବାଚନ ଆୟୋଗର ସଦସ୍ୟ ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବାକୁ ଚାହୁଁଥିବା ଏକ ଆବେଦନ ଶୁଣାଣି କରି ସରକାରଙ୍କୁ ବହୁ ପ୍ରଶ୍ନ ପଚାରିଛନ୍ତି। ଏହି ମାମଲାରେ କୌଣସି ଆଇନର ବିଚାର କରାଯାଇଛି କି ନାହିଁ ତାହା କୋର୍ଟଙ୍କୁ ଜଣାଇବାକୁ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି।

Share