୨୦୦୦ ଟଙ୍କିଆ ପ୍ରତ୍ୟାହାର କାହିଁକି

ଶକ୍ତି ରଞ୍ଜନ ଦାଶ

 

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୨୦୦୦ ଟଙ୍କା ମୂଲ୍ୟର ନୋଟ୍‌କୁ ସଞ୍ଚରଣରୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ଜନମାନସରେ ଅନେକ କଳ୍ପନାଜଳ୍ପନା ସୃଷ୍ଟି କରିଛି। କିନ୍ତୁ ବିଦ୍ୟମାନ ନୋଟ୍‌ଗୁଡ଼ିକ ଆଇନଗତ ଟେଣ୍ଡର ଜାରି ରହିବ ବୋଲି ଆର୍‌ବିଆଇ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଜନସାଧାରଣଙ୍କୁ ୨୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କରେ ଜମା କରିବାକୁ ପରାମର୍ଶ ଦେଇଛନ୍ତି, ଯାହା ଛଅ ବର୍ଷ ପୂର୍ବେ ପ୍ରଚଳନ କରାଯାଇଥିଲା। ୨୦୦୦ ଟଙ୍କିଆ ନୋଟ୍‌ ନଭେମ୍ବର ୮, ୨୦୧୬ରେ ଆର୍‌ବିଆଇ ଅଧିନିୟମ ୧୯୩୪ର ଧାରା ୨୪(୧) ଅନୁଯାୟୀ ପ୍ରଚଳିତ ହୋଇଥିଲା। ମୁଖ୍ୟତଃ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ର ଆଇନଗତ ଟେଣ୍ଡର ସ୍ଥିତି ପ୍ରତ୍ୟାହାର ପରେ ଅର୍ଥନୀତିର ମୁଦ୍ରା ଆବଶ୍ୟକତାକୁ ଶୀଘ୍ର ପୂରଣ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିଲା। ପରେ ପରେ ଅନ୍ୟ ମୂଲ୍ୟର ନୋଟ୍‌ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବା ଦେଖି ୨୦୧୮-୧୯ ମସିହାରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ୨୦୦୦ ଟଙ୍କିଆ ନୋଟ୍‌ ଛାପିବା ବନ୍ଦ କରିବା ନିଷ୍ପତ୍ତି ନିଆଗଲା। ସୂତ୍ର ଅନୁଯାୟୀ, ମାର୍ଚ୍ଚ ୨୦୧୭ ପୂର୍ବରୁ ଆର୍‌ବିଆଇ ଦ୍ୱାରା ୨୦୦୦ ଟଙ୍କା ମୂଲ୍ୟର ଅଧିକାଂଶ ନୋଟ୍‌ ଜାରି କରାଯାଇଥିଲା; ଏହି ନୋଟ୍‌ଗୁଡ଼ିକ ବର୍ତ୍ତମାନ ସେମାନଙ୍କର ଆନୁମାନିକ ଜୀବନକାଳ ୪-୫ ବର୍ଷର ଶେଷରେ ଅଛି। ସାଧାରଣତଃ ଗୋଟିଏ ନୋଟ୍‌କୁ ତା’ର ୫ ବର୍ଷ ଅବଧି ପରେ ଆଉ କାରବାରରେ ବ୍ୟବହାର କରାଯାଏନାହିଁ; ଏହା ବ୍ୟତୀତ ମୁଦ୍ରା ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ନୋଟ୍‌ଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଅଛି। ତେଣୁ ଉପରୋକ୍ତ କାରଣକୁ ଦୃଷ୍ଟିରେ ରଖି ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ‘କ୍ଲିନ୍‌ ନୋଟ୍‌ ପଲିସି’ ଅନୁଯାୟୀ ୨୦୦୦ ଟଙ୍କା ମୂଲ୍ୟର ନୋଟ୍‌କୁ ପ୍ରଚାରରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମନରେ ପ୍ରଶ୍ନ ଉଠେ, ଏହି ”କ୍ଲିନ୍‌ ନୋଟ୍‌ ପଲିସି“ କ’ଣ? ଏହା କିପରି ଏକ ନୋଟ୍‌ର କାରବାରକୁ ନିର୍ଦ୍ଧାରିତ କରୁଛି? ଚାଲନ୍ତୁ ଏହା ଉପରେ ଟିକେ ଦୃଷ୍ଟି ନିକ୍ଷେପ କରିବା। ‘କ୍ଲିନ୍‌ ନୋଟ୍‌ ପଲିସି’ ଏକ ନୀତି, ଯାହା ଜନସାଧାରଣଙ୍କୁ ଉତ୍ତମ ସୁରକ୍ଷା ବୈଶିଷ୍ଟ୍ୟ ସହିତ ଭଲ-ଗୁଣାତ୍ମକ ମୁଦ୍ରା ନୋଟ୍‌ ଦେବାରେ ସହାୟତା କରିଥାଏ। ପୂର୍ବରୁ ମଧ୍ୟ ଆର୍‌ବିଆଇ ଏଭଳି ପଦକ୍ଷେପ ନେଇଛନ୍ତି। ୨୦୦୫ ମସିହା ପୂର୍ବରୁ ମୁଦ୍ରିତ ନୋଟ୍‌ ତୁଳନାରେ କମ୍‌ ସୁରକ୍ଷା ବୈଶିଷ୍ଟ୍ୟ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାନୁୟାରୀ ୨୦୧୪ରେ ତତ୍କାଳୀନ ୟୁପିଏ ସରକାରଙ୍କ ଅଧୀନରେ, ଆର୍‌ବିଆଇ ୨୦୦୫ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ନୋଟ୍‌ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପୁରୁଣା ନୋଟ୍‌ ବ୍ୟବହାର ପାଇଁ ମାର୍ଚ୍ଚ ୩୧, ୨୦୧୪ ପର୍ଯ୍ୟନ୍ତ ଏକ ସୀମାରେଖା ସ୍ଥିର କରାଯାଇଥିଲା ଏବଂ ଜନସାଧାରଣଙ୍କୁ ଏପ୍ରିଲ ୧ରୁ ବ୍ୟାଙ୍କ ନିକଟକୁ ଯାଇ ସେହି ନୋଟ୍‌ଗୁଡିକୁ ବିନିମୟ କରିବାକୁ ପରାମର୍ଶ ଦିଆଯାଇଥିଲା। ତଥାପି, ୨୦୦୫ ପୂର୍ବରୁ ଦିଆଯାଇଥିବା ନୋଟ୍‌ଗୁଡ଼ିକର ଆଇନଗତ ଟେଣ୍ଡର ଜାରି ରହିଛି। ତେଣୁ ଏହି ନୋଟ୍‌ ପ୍ରତ୍ୟାହାର କିଛି ନୂଆକଥା ନୁହେଁ, ଏହା ଆର୍ଥିକ ନୀତିର ଏକ ଅଂଶ। ସମୟର ଆବଶ୍ୟକ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କଙ୍କୁ ଏପରି ନିଷ୍ପତ୍ତି ନେବାକୁ ପଡ଼େ।
ଯଦି ଆମେ ବର୍ତ୍ତମାନ ସଞ୍ଚରଣରେ ୨୦୦୦ ଟଙ୍କିଆ ନୋଟ୍‌ର ମୂଲ୍ୟ ଜାଣିବାକୁ ଚାହିଁବା ତେବେ ତଥ୍ୟକୁ ଦେଖିଲେ ବୁଝିପାରିବା ଯେ ଏହି ୨୦୦୦ ଟଙ୍କିଆ ନୋଟ୍‌ ମୂଲ୍ୟର ପ୍ରାୟ ୮୯% ମାର୍ଚ୍ଚ ୨୦୧୭ ପୂର୍ବରୁ ଜାରି କରାଯାଇଥିଲା। ସଞ୍ଚରଣରେ ଏହି ନୋଟ୍‌ଗୁଡ଼ିକର ମୋଟ୍‌ ମୂଲ୍ୟ ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ୬.୭୩ ଲକ୍ଷ କୋଟି(୩୭.୩% ନୋଟ୍‌ର ସଞ୍ଚରଣ)ରୁ ୩.୬୨ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି, ଯାହା ମାର୍ଚ୍ଚ ୩୧, ୨୦୧୩ରେ କେବଳ ୧୦.୮% ନୋଟ୍‌ ଅଟେ। ଆର୍‌ବିଆଇଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ୨୦୦୦ ଟଙ୍କାିଆ ନୋଟ୍‌ ଜାରି କରିବା ବନ୍ଦ କରିଛନ୍ତି ଏବଂ ଏଟିଏମ୍‌ରୁ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍‌ କଢ଼ାଯାଇଛି। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଜନସାଧାରଣ ସେମାନଙ୍କ କାରବାର ପାଇଁ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍‌ ବ୍ୟବହାର ଜାରି ରଖିପାରିବେ ଏବଂ ନେଣଦେଣ ମଧ୍ୟ କରିପାରିବେ। ଆର୍‌ବିଆଇଙ୍କ ସରକାରୀ ବିଜ୍ଞପ୍ତି ଅନୁସାରେ ଜନସାଧାରଣଙ୍କୁ ସେପ୍ଟେମ୍ବର ୩୦, ୨୦୨୩ କିମ୍ବା ଏହା ପୂର୍ବରୁ ଏହି ନୋଟ୍‌ଗୁଡ଼ିକୁ ବ୍ୟାଙ୍କରେ ଜମା କିମ୍ବା ବିନିମୟ କରିବାକୁ ଉତ୍ସାହିତ କରାଯାଇଛି। ତେବେ ପ୍ରଶ୍ନ ଉଠେ, କ’ଣ ସେପ୍ଟେମ୍ବର ୩୦ ଭିତରେ ବ୍ୟାଙ୍କରେ ଜମା କରିବା ବାଧ୍ୟତାମୂଳକ? ଯଦି ଜଣେ ଜମା କରି ନ ପାରେ ତେବେ ଏହା କ’ଣ ଦଣ୍ଡନୀୟ? ସେପ୍ଟେମ୍ବର ୩୦ ପରେ କ’ଣ ହେବ? କିନ୍ତୁ ଆର୍‌ବିଆଇ ଏହାର ବିଜ୍ଞପ୍ତିରେ ସେପ୍ଟେମ୍ବର ୩୦ ପରେ ଏହି ନୋଟ୍‌ଗୁଡ଼ିକର ସ୍ଥିତି ସମ୍ବନ୍ଧରେ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ପୁନଶ୍ଚ ପ୍ରଶ୍ନ ଉଠେ, ଜଣେ କେତେ ଟଙ୍କା ବିନିମୟ କିମ୍ବା ଜମା କରିପାରିବେ ତାହାର ଏକ ସୀମା ଅଛି କି? ବିଜ୍ଞପ୍ତି ଅନୁଯାୟୀ ଜଣେ ଏକ ସମୟରେ ୨୦,୦୦୦ ଟଙ୍କା ସୀମା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍‌ ବିନିମୟ କରିପାରିବେ। ଏହାପାଇଁ ନିଜର ଖାତା ଥିବା ବ୍ୟାଙ୍କକୁ ଯିବା ବାଧ୍ୟତାମୂଳକ ନୁହେଁ, ଜଣେ ଅଣଖାତାଧାରୀ ମଧ୍ୟ ଯେକୌଣସି ବ୍ୟାଙ୍କ ଶାଖାରେ ଏକ ସମୟରେ ୨୦,୦୦୦ ଟଙ୍କା ସୀମା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍‌ ବିନିମୟ କରିପାରିବେ। ଜଣେ ବ୍ୟାଙ୍କ ଖାତାଧାରୀ ଚାହିଁଲେ ମଧ୍ୟ ପ୍ରତିଦିନ ୪୦୦୦ ଟଙ୍କା ସୀମା ପର୍ଯ୍ୟନ୍ତ ବ୍ୟବସାୟୀଙ୍କ ମାଧ୍ୟମରେ ୨୦୦୦ ଟଙ୍କିଆ ନୋଟ୍‌ ବିନିମୟ କରିପାରିବେ। ଯଦି କୌଣସି ବ୍ୟକ୍ତି ପାଖରେ ବହୁତ ସଂଖ୍ୟାରେ ୨୦୦୦ ଟଙ୍କିଆ ନୋଟ୍‌ ଥାଏ ତେବେ କ’ଣ ହେବ? ବାସ୍ତବରେ, ଜଣେ ବ୍ୟକ୍ତଙ୍କ ନିକଟରେ ଅଧିକ ପରିମାଣରେ ୨୦୦୦ ଟଙ୍କିଆ ନୋଟ ଥିଲେ ସେ ଏହି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ୨୦,୦୦୦ ଟଙ୍କା ପ୍ୟାକେଟରେ ଏକାଧିକ ବ୍ୟାଙ୍କରେ ବିନିମୟ ଖୋଜିପାରେ। ତେବେ ଏହା କାର୍ଯ୍ୟକାରୀ ଏଜେନ୍ସି ଏବଂ ଆୟକର ବିଭାଗର ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଛି। ୨୦୦୦ ନୋଟ୍‌ରେ ବିପୁଳ ପରିମାଣର ଟଙ୍କା ଧରିଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଟଙ୍କା ବିନିମୟ କରିବା କଷ୍ଟକର ହୋଇପାରେ । ତେବେ କିଛି ଲୋକ ଭାବିପାରନ୍ତି, ଏହି ପରିସ୍ଥିତି କ’ଣ ୨୦୧୬ର ବିମୁଦ୍ରୀକରଣ ବିଶୃଙ୍ଖଳାକୁ ପୁନରାବୃତ୍ତି କରିବ କି? ଅର୍ଥନୀତିଜ୍ଞଙ୍କ ମତ ଅନୁସାରେ ବ୍ୟାଙ୍କ ଶାଖାଗୁଡ଼ିକରେ ଏଥର ୨୦୧୬ ପରି ବିଶୃଙ୍ଖଳା ଏବଂ ଲମ୍ବାଧାଡ଼ି ଦେଖିବାର ସମ୍ଭାବନା ନାହିଁ।
ଯଦି ଆମେ ସାମ୍ପ୍ରତିକ ପରିସ୍ଥିତିରେ ବଜାରରେ ୨୦୦୦ ଟଙ୍କିଆ ନୋଟ୍‌ର କାରବାରକୁ ଦେଖିବା ତେବେ ଅନୁଭବ କରିପାରିବା ଗୋଟିଏ ସାଧାରଣ ବ୍ୟକ୍ତିଙ୍କୁ ବା ଖୁଚୁରା ବ୍ୟବସାୟୀଙ୍କୁ ଏହି ୨୦୦୦ ଟଙ୍କିଆ ନୋଟ୍‌ର ବିନିମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ଏବଂ ଅନେକଙ୍କ ମତରେ ଏହି ନୋଟ୍‌ ମଧ୍ୟ କଳାଧନକୁ ପ୍ରୋତ୍ସାହିତ କରୁଥିଲା।
ସହକାରୀ ପ୍ରଫେସର,
ବାଣିଜ୍ୟ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
dsakti534@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri