ଜନ୍ମଦିନରେ କୋଟିଏ ଟିକା,ଅନ୍ୟଦିନ ନୁହେଁ କାହିଁକି ? ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ମହାମାରୀ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କରୋନା ମହାମାରୀ ନୀତିକୁ ଟାର୍ଗେଟ କରିଛନ୍ତି ।

ଏକ ଖବର କାଗଜରେ ପ୍ରକାଶିତ ଲେଖା ମଧ୍ୟମରେ ସେ କୋଭିଡ -୧୯ ମୁକାବିଲା ନେଇ ମୋଦି ସରକାର ଗ୍ରହଣ କରିଥିବା ନୀତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଯଦି ଏକ କୋଟି ଟିକା ଦିଆଯାଇପାରୁଛି, ତେବେ ଏହା କାହିଁକି ପ୍ରତିଦିନ କରାଯାଇପାରୁ ନାହିଁ। ଏହା ସହିତ ସୋନିଆ କହିଛନ୍ତି ଯେ, କରୋନାର ପ୍ରଥମ ଲହର ପରେ ସରକାର ଦ୍ୱିତୀୟ ଲହର ପାଇଁ ପ୍ରସ୍ତୁତ ନ ଥିଲେ।

ଅମ୍ଳଜାନ ଅଭାବ ଯୋଗୁ ଛଟପଟ ହେଉଥିବା ଲୋକଙ୍କ ଅବସ୍ଥ। ଏବଂ ଅସହାୟ ପରିବାରଙ୍କ କଷ୍ଟକୁ ସରକାର ହୃଦୟଙ୍ଗମ କରି ପାରି ନାହାନ୍ତି। ଏହାକୁ ଦେଶ କେବେ ବି ଭୁଲି ପାରିବ ନାହିଁ। ମୋଦି ସରକାର କରୋନା ବିରୋଧୀ ଲଢ଼େଇକୁ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ସୁଯୋଗ ଭାବେ ବିଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ନିଜ ରାଜନୈତିକ ସ୍ବାର୍ଥ ପାଇଁ ମୋଦି ସରକାର ଲୋକଙ୍କ ଦୁଃଖ କଷ୍ଟ ନ ବୁଝି ଏଭଳି କରୁଛନ୍ତି।

ସୋନିଆ ଗାନ୍ଧୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଜନସଂଖ୍ୟାର ଏକ ତୃତୀୟାଂଶରୁ କମ ଉଭୟ ଟିକା ଗ୍ରହଣ କରିଛନ୍ତି। ପିଲାମାନଙ୍କର ଟିକାକରଣ ସମ୍ପର୍କରେ ସୋନିଆ କହିଛନ୍ତି, ବର୍ତ୍ତମାନ ସରକାରଙ୍କ ତରଫରୁ କୌଣସି ଯୋଜନା ଦୃଶ୍ୟମାନ ହେଉନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ପରିଚାଳନା ସଂପର୍କରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଛିି। ତେବେ କରୋନା ମହାମାରୀକୁ ସମାପ୍ତ କରିବାକୁ ସରକାରଙ୍କ ଅଭିଯାନ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଚାଲିଛି ଏବଂ ଲୋକଙ୍କୁ ଟିକାକରଣ କରାଯାଉଛି।

ଦେଶରେ କରୋନା ସଂକ୍ରମଣର ନୂଆ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। କିନ୍ତୁ ମୃତ୍ୟୁ ସଂଖ୍ୟା ବଢ଼ିବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୯୦୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ୩୧୧ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୯ ହଜାର ୧୯୧କୁ ବୃଦ୍ଧି ପାଇଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୧୫୯ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ହେଉଛି ଏକ ଲକ୍ଷ ୫୧ ହଜାର ୨୦୯। ୨୫୨ ଦିନ ପରେ, ସକ୍ରିୟ ମାମଲା ସଂଖ୍ୟା ସର୍ବନିମ୍ନ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୩୬ ଲକ୍ଷ ୯୭ ହଜାର ୭୪୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Share