Categories: ଫୁରସତ

ଏମିତି ଗାଁ, ଯେଉଁଠି ବିବାହ ପରେ ଶାଶୁଘର ଯାଏନି ଝିଅ ବରଂ ଜ୍ୱାଇଁ ଆସି ରହିଥାନ୍ତି ଶ୍ୱଶୁର ଘରେ

ସାଧାରଣତଃ ଝିଅମାନେ ବିବାହ ପରେ ଶାଶୁଘର ଚାଲିଯାଆନ୍ତି। ସେଠାରେ ଜୀବନର ବାକି ଜୀବନ କଟାଇବାକୁ। ମାତ୍ର ଆମ ଦେଶରେ ଏମିତି ଏକ ଗାଁ ଅଛି, ଯେଉଁଠି ବିବାହ ପରେ ଝିଅ ଶାଶୁଘରକୁ ଯାଇ ନ ଥାଏ ବରଂ ଜ୍ୱାଇଁ ଆସି ରହିଥାନ୍ତି ଶ୍ୱଶୁର ଘରେ। ଉତ୍ତରପ୍ରଦେଶର କୌଶାବୀ ଜିଲାସ୍ଥିତ ଏକ ଗାଁର ନାଁ ହେଉଛି ହିଙ୍ଗୁଳପୁର। ଏଠାରେ ଜ୍ୱାଇଁମାନେ ଆସି ଶ୍ୱଶୁର ଘରେ ରହୁଥିବାରୁ ଏହା ‘ଜ୍ୱାଇଁ ଗାଁ’ନାମରେ ମଧ୍ୟ ପରିଚିତ।


ଏମିତି ବି ସମୟ ଥିଲା ଯେତେବେଳେ ହିଙ୍ଗୁଳପୁର ଗାଁ କନ୍ୟାଭ୍ରୁଣ ଏବଂ ଯୌତୁକ ଜନିତ ବଧୂହତ୍ୟାରେ ସର୍ବାଗ୍ରେ ଥିଲା। ମାତ୍ର ବର୍ତ୍ତମାନ ସମୟ ବଦଳିଯାଇଛି। ଏହି ଗାଁରେ କନ୍ୟାଙ୍କୁ ରତ୍ନ ବୋଲି କୁହାଯାଉଛି। ବିଗତ କିଛି ବର୍ଷ ତଳେ ଗ୍ରାମବାସୀ ସ୍ଥିର କଲେ ଝିଅମାନେ ଶାଶୁଘର ନ ଯାଇ ନିଜ ଗାଁରେ ରହିବେ। ଏହି ଗାଁର ମୁସ୍‌ଲିମ୍‌ ସମ୍ପ୍ରଦାୟ ମଧ୍ୟ ଏହି ନିୟମ ମାନୁଛନ୍ତି। ଜ୍ୱାଇଁମାନେ ଶ୍ୱଶୁର ଘରେ ରହିଲେ ରୋଜଗାରରେ ଯେମିତି ଅସୁବିଧା ନ ହେବ ସେଥିପ୍ରତି ମଧ୍ୟ ଗ୍ରାମବାସୀ ଧ୍ୟାନ ଦେଇଥାନ୍ତି। ଏଥିପାଇଁ ଗ୍ରାମବାସୀ ବନ୍ଦୋବସ୍ତ ମଧ୍ୟ କରିଛନ୍ତି। ଗାଁ ନିକଟ ଜିଲା ଯଥା କାନପୁର, ଫତେପୁର, ପ୍ରତାପଗଡ଼, ଆହ୍ଲାବାଦ ଏବଂ ବାନ୍ଦ୍ରାରେ ଜ୍ୱାଇଁମାନେ ରହିଥାନ୍ତି। ଏହି ଗାଁର ବିବାହିତ ଝିଅମାନେ ସ୍ବାମୀଙ୍କ ସହ ଏଠାରେ ଘରକରି ରହୁଛନ୍ତି।


ବିବାହ ପରେ ଜ୍ୱାଇଁ ଆସି ଶ୍ୱଶୁର ଘରେ ରହିବା ପଛରେ ଏକ ବଡ଼ କାରଣ ରହିଛି। ଜଣେ ଝିଅ ବିବାହ କରିବା ପରେ ଶାଶୁଘର ଲୋକଙ୍କୁ ଭଲ ଭାବେ ଜାଣି ନ ଥାଏ। ଏହି କାରଣରୁ ଉଭୟ ପକ୍ଷ ଅସୁବିଧାରେ ପଡ଼ିଥାନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ଏହି ଅଞ୍ଚଳରେ ଜ୍ୱାଇଁମାନେ ଆସି ଶ୍ୱଶୁର ଘରେ ରହିଥାନ୍ତି। ଏହି ପରମ୍ପରା ଆଜିଯାଏ ଚଳିଆସୁଛି।

Share