କାହିଁକି ଜୀବନ ନେଲା ଦୀର୍ଘତମ ସେତୁ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ସେତୁର ମଧ୍ୟଭାଗରୁ ବାବା ସିଂହନାଥ ପୀଠକୁ ସଂଯୋଗ ରହିଛି। ୩.୪ କିଲୋମିଟର ବିଶିଷ୍ଟ ଏହି ସେତୁ ଓଡ଼ିଶାର ଦୀର୍ଘତମ ହୋଇଥିବାବେଳେ ଏହାର ଆକାର ଇଂଲିଶ ଅକ୍ଷର ‘ଟି’ ସଦୃଶ ହୋଇଛି। ତେଣୁ ଏହାକୁ ଟି-ବ୍ରିଜ୍‌ କୁହାଯାଉଛି। ୨୦୨୧ ଡିସେମ୍ବର ୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟି-ବ୍ରିଜ୍‌କୁ ଉଦ୍‌ଘାଟନ କରିଥିଲେ। ଏହାର ନିର୍ମାଣ ୨୦୧୪ରୁ ଆରମ୍ଭ ହୋଇଥିବାବେଳେ ଖର୍ଚ୍ଚ ହୋଇଛି ୧୧୧ କୋଟି ଟଙ୍କା। ମୁଖ୍ୟ ସେତୁର ଓସାର ୭.୩ ମିଟର ରହିଥିବାବେଳେ ଉଭୟ ପାର୍ଶ୍ୱରେ ୧.୫ ମିଟର ଓସାରର ଫୁଟ୍‌ପାଥ୍‌ ରହିଛି। କିନ୍ତୁ ବାବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ସେତୁର ଅଂଶ ଅଣଓସାରିଆ ଏବଂ ସେଥିରେ ଫୁଟ୍‌ପାଥ୍‌ ନାହିଁ। ଶନିବାର ସେତୁର ଉଭୟ ପାର୍ଶ୍ୱରୁ ଶ୍ରଦ୍ଧାଳୁମାନେ ଆସୁଥିଲେ ମଧ୍ୟ ନୃସିଂହନାଥ ପୀଠକୁ ଯାଇଥିବା ଅଣଓସାରିଆ ସେତୁରେ ଏକାସଙ୍ଗରେ ପ୍ରବେଶ କରୁଥିଲେ। ପୁଣି ସେହି ବାଟ ଦେଇ ଶ୍ରଦ୍ଧାଳୁମାନେ ଫେରୁଥିଲେ। ସେତୁ ଉପରେ ଲୋକଙ୍କ ସୁରକ୍ଷିତ ତଥା ଶୃଙ୍ଖଳିତ ଯାତାୟାତ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସେହି ଅନୁସାରେ ବ୍ୟବସ୍ଥା ନ ଥିଲା। ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ଜୀବନ ଯିବାଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।