Posted inଜାତୀୟ

ମୁଁ କାହିଁକି ନାରୀ ଓ ପୁରୁଷର ସମାନତା ବିଷୟରେ ଆଶାବାଦୀ

ମୁଁ ଗତବର୍ଷ ସମ୍ବିଧାନ ଦିବସରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଆୟୋଜିତ ଉତ୍ସବରେ ସମାପନୀ ଭାଷଣ ଦେଉଥିଲି। ନ୍ୟାୟ ପ୍ରସଙ୍ଗରେ କହିଲାବେଳେ ବିଚାରାଧୀନ କଏଦୀଙ୍କ କଥା ମୋର ମନେପଡ଼ିଗଲା ଏବଂ ସେମାନଙ୍କ ଦୁର୍ଦ୍ଦଶା ବିଷୟରେ ନ କହି ମୁଁ ରହିପାରିଲି ନାହିଁ। ମୁଁ ସେଦିନ ଯାହାସବୁ କହିଥିଲି, ସେସବୁ ଥିଲା ମୋ’ ହୃଦୟର କଥା। ତେଣୁ ସେ କଥାର ସକାରାତ୍ମକ ପ୍ରଭାବ ପଡ଼ିଛି। ସେଦିନ ପରି, ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ମୁଁ ଆପଣମାନଙ୍କୁ ମୋ’ ହୃଦୟର ଆଉ କିଛି କଥା କହିବାକୁ ଇଚ୍ଛାକରୁଛି।
ପିଲାଟି ଦିନରୁ ହିଁ ମୁଁ ସମାଜରେ ନାରୀର ସ୍ଥିତିକୁ ନେଇ ଚିନ୍ତିତ ହୋଇଆସିଛି। ଗୋଟିଏ ପକ୍ଷରେ କନ୍ୟା ସନ୍ତାନକୁ ଚାରିଆଡ଼େ ଖୁବ୍‌ ଆଦର କରାଯାଏ ଏବଂ ଶୁଭ ଦିନଗୁଡ଼ିକରେ ପୂଜା ମଧ୍ୟ କରାଯାଏ। ଅପରପକ୍ଷେ, ତା’ ବୟସର ପୁଅମାନଙ୍କ ତୁଳନାରେ ସମାଜରେ ତା’ ପାଇଁ ସୁବିଧାସୁଯୋଗ ଯେ ଊଣା, ତାହା ସେ ଖୁବ୍‌ଶୀଘ୍ର ଜାଣିପାରେ। ପୁଣି ଗୋଟିଏ ପକ୍ଷରେ ନାରୀକୁ ତା’ର ଅନ୍ତର୍ନିହିତ ପ୍ରଜ୍ଞା ପାଇଁ ସମ୍ମାନ ଦିଆଯାଏ ଏବଂ ସମସ୍ତଙ୍କର ଯତ୍ନ ନେଉଥିବାରୁ ତାକୁ ପରିବାରର କେନ୍ଦ୍ର ଭାବରେ ବିବେଚନା କରାଯାଏ। ଅପରପକ୍ଷରେ ପରିବାର କିମ୍ବା ତା’ ନିଜ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା କ୍ଷେତ୍ରରେ ତା’ର ଭୂମିକା ସୀମିତ।
ସମୟକ୍ରମେ, ଯେତେବେଳେ ଜଣେ ଛାତ୍ରୀ ଭାବରେ, ତା’ପରେ ଜଣେ ଶିକ୍ଷୟିତ୍ରୀ ଏବଂ ପରେ ପରେ ଜଣେ ସମାଜସେବୀ ଭାବରେ ଘରୁ ଗୋଡ଼ କାଢ଼ିଲି, ସମାଜରେ ଏପରି ବିରୋଧାତ୍ମକ ମନୋଭାବ ଦେଖି ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲି ନାହିଁ। ବେଳେବେଳେ ମୁଁ ଅନୁଭବ କରିଛି ଯେ ବ୍ୟକ୍ତିଗତ ସ୍ତରରେ ଆମ ମଧ୍ୟରୁ ଅନେକେ ପୁରୁଷ ଏବଂ ମହିଳାଙ୍କୁ ସମାନ ବୋଲି ବିଚାର କରନ୍ତି। କିନ୍ତୁ ସାମୂହିକ ସ୍ତରରେ ସେମାନେ ସମାଜର ଅଧା ଲୋକ, ଅର୍ଥାତ୍‌ ନାରୀମାନଙ୍କ ଉପରେ କଟକଣା ଲଦି ଦିଅନ୍ତି। ମୋ’ ଜୀବଦ୍ଦଶା ମଧ୍ୟରେ ଅଧିକାଂଶ ଲୋକ ନାରୀ-ପୁରୁଷ ସମାନତାର ଅବଧାରଣା ଆଡ଼କୁ ଅଗ୍ରସର ହେଉଥିବା ମୁଁ ଲକ୍ଷ୍ୟ କରିଛି। ତେବେ ପୁରୁଣା ଅଭ୍ୟାସ ପରି ପୁରୁଣା ରୀତିନୀତି ଓ ପରମ୍ପରା ସାମାଜିକ ସ୍ତରରେ ଚାଲୁରହିଛି।
ଏହା ପୃଥିବୀର ସବୁ ମହିଳାଙ୍କ କରୁଣ କାହାଣୀ। ବିଶ୍ୱ ଜନସଂଖ୍ୟାର ଅଧାଲୋକଙ୍କ ଅର୍ଥାତ୍‌ ନାରୀମାନଙ୍କ ଜୀବନ ବାଧାବିଘ୍ନରୁ ହିଁ ଆରମ୍ଭ ହୋଇଥାଏ। ଏକବିଂଶ ଶତାବ୍ଦୀରେ, ଆମେ କଳ୍ପନାତୀତ ଭାବରେ ସର୍ବାଙ୍ଗୀନ ପ୍ରଗତି ହାସଲ କରିଥିବାବେଳେ ଅନେକ ରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ମହିଳାମାନେ ରାଷ୍ଟ୍ରମୁଖ୍ୟ କିମ୍ବା ଶାସନମୁଖ୍ୟ ହୋଇପାରି ନାହାନ୍ତି। ଅଧିକନ୍ତୁ ପୃଥିବୀରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଦୁର୍ଭାଗ୍ୟବଶତଃ ଆଜି ବି ମହିଳାମାନଙ୍କୁ ତୁଚ୍ଛ ମନେକରାଯାଏ। ସେଠାରେ ଜଣେ ଝିଅ ପାଇଁ ସ୍କୁଲ୍‌କୁ ଯିବା ମଧ୍ୟ ଜୀବନ ମରଣର ପ୍ରଶ୍ନ!
କିନ୍ତୁ ଏମିତି ଯେ ସବୁବେଳେ ହେଉଥିଲା ତା’ ନୁହେଁ। ଅତୀତରେ ଭାରତର ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ମଧ୍ୟ ଦୃଷ୍ଟାନ୍ତ ଅଛି। ମହିଳାମାନଙ୍କର ବୀରତ୍ୱ, ପାଣ୍ଡିତ୍ୟ ଓ ପ୍ରଶାସନିକ ଦକ୍ଷତା ବିଷୟରେ ଆମ ପୁରାଣ ଓ ଇତିହାସରେ ଉଲ୍ଲେଖ ରହିଛି। ଆଜି ଅଗଣିତ ମହିଳା ନିଜ ନିଜର ରୁଚି ଅନୁଯାୟୀ ଦେଶ ଗଠନ କ୍ଷେତ୍ରରେ ଅବଶ୍ୟ ଅଂଶଗ୍ରହଣ କରୁଛନ୍ତି। ସେମାନେ କର୍ପୋରେଟ୍‌ ସଂସ୍ଥାର ନେତୃତ୍ୱ ନେଉଛନ୍ତି, ଏପରି କି ସୈନ୍ୟବାହିନୀରେ ମଧ୍ୟ କାର୍ଯ୍ୟ କରୁଛନ୍ତି। କିନ୍ତୁ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ ଏହି ଯେ ମହିଳାମାନଙ୍କୁ କର୍ମକ୍ଷେତ୍ର ଓ ପରିବାର- ଉଭୟରେ ନିଜର ପାରଦର୍ଶିତା ପ୍ରମାଣ କରିବାକୁ ପଡ଼େ। ସେଥିପାଇଁ ମହିଳାମାନେ ଅଭିଯୋଗ ନ କଲେ ବି ଆଶା କରନ୍ତି ଯେ ସମାଜ ସେମାନଙ୍କ ଉପରେ ଆସ୍ଥା ରଖୁ।
ଏହାଦ୍ୱାରା ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଆମ ଦେଶର ବିଭିନ୍ନ ପ୍ରତିନିଧିମୂଳକ ସଂସ୍ଥାର ତୃଣମୂଳ ସ୍ତରରେ ମହିଳାମାନଙ୍କର ଉତ୍ତମ ପ୍ରତିନିଧିତ୍ୱ ରହିଛି ସତ, କିନ୍ତୁ ଆମେ ଯେତେ ଉପର ସ୍ତରକୁ ଯିବା ମହିଳାମାନଙ୍କର ସଂଖ୍ୟା ସେତେ ହ୍ରାସ ପାଉଥିବା ଲକ୍ଷ୍ୟ କରିବା। ଏହା କେବଳ ରାଜନୈତିକ କ୍ଷେତ୍ରରେ ନୁହେଁ, ଅମଲାତନ୍ତ୍ର, ନ୍ୟାୟପାଳିକା ଓ କର୍ପୋରେଟ୍‌ ସଂସ୍ଥା ଆଦିରେ ମଧ୍ୟ ଦେଖିବାକୁ ମିଳୁଛି। ଏଠାରେ ଉଲ୍ଲେଖନୀୟ ଯେ, ଅଧିକ ସାକ୍ଷରତା ହାର ଥିବା ରାଜ୍ୟଗୁଡ଼ିକରେ ମଧ୍ୟ ଏହା ପରିଲକ୍ଷିତ ହେଉଛି। ଏଥିରୁ ସ୍ପଷ୍ଟ ଯେ ଶିକ୍ଷା ଏକାକୀ ମହିଳାମାନଙ୍କ ଆର୍ଥିକ ଏବଂ ରାଜନୈତିକ ସ୍ବାବଲମ୍ବନକୁ ସୁନିଶ୍ଚିତ କରେ ନାହିଁ।
ସୁତରାଂ ସମାଜର ମାନସିକତାରେ ପରିବର୍ତ୍ତନ ଆସିବା ଆବଶ୍ୟକ ବୋଲି ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ। ଏକ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସମାଜ ଗଠନ ନିମନ୍ତେ ନାରୀ ଓ ପୁରୁଷ ମଧ୍ୟରେ ଥିବା ବଦ୍ଧମୂଳ ଭେଦଭାବକୁ ଚିହ୍ନଟ କରାଯିବା ସହିତ ତା’ର ଦୂରୀକରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବା ଉଚିତ। ସାମାଜିକ ନ୍ୟାୟ ଓ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ସଚେତନ ଭାବରେ ଅବଶ୍ୟ ପ୍ରୟାସ କରାଯାଇଛି। କିନ୍ତୁ ଏସବୁ ପଦକ୍ଷେପ ନାରୀ-ପୁରୁଷ ପ୍ରତିନିଧିତ୍ୱ କ୍ଷେତ୍ରରେ ସନ୍ତୁଳନକୁ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ସାବ୍ୟସ୍ତ ହୋଇନାହିଁ। କୌଣସି ଯୋଜନାବଦ୍ଧ କାର୍ଯ୍ୟ ଯୋଗୁ ନୁହେଁ, ବରଂ ରକ୍ଷଣଶୀଳତା ହେତୁ ଉଭୟ ଶିକ୍ଷା ଓ ଚାକିରିକ୍ଷେତ୍ରରେ ମହିଳାମାନେ ପୁରୁଷଙ୍କଠାରୁ ବହୁ ପଛରେ ପଡ଼ିଛନ୍ତି।
ମୁଁ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଲକ୍ଷ୍ୟ କରିଛି, ଉପଯୁକ୍ତ ସୁଯୋଗ ପାଇଲେ ଅନେକ ସମୟରେ ମହିଳାମାନେ ଶିକ୍ଷାକ୍ଷେତ୍ରରେ ପୁରୁଷମାନଙ୍କୁ ଅତିକ୍ରମ କରିଯାଉଛନ୍ତି। ଆମ ସମାଜର ଏବଂ ବିଶେଷକରି ଭାରତୀୟ ନାରୀର ଏପରି ଅଦମ୍ୟ ଉତ୍ସାହ ଦେଖି ମୁଁ ଦୃଢ଼ନିଶ୍ଚିତ ଯେ, ଭାରତ ବିଶ୍ୱରେ ନାରୀ-ପୁରୁଷ ସମାନତାର ପଥପ୍ରଦର୍ଶକ ହେବ।
ସମାଜର ଅଧାଲୋକଙ୍କୁ ଅର୍ଥାତ୍‌ ନାରୀମାନଙ୍କୁ ପଛରେ ରଖି ଆରଅଧକ ଅର୍ଥାତ୍‌ ପୁରୁଷମାନେ ଯେ ଆଗକୁ ବଢ଼ିପାରିଛନ୍ତି, ତା’ ନୁହେଁ। ପ୍ରକୃତ କଥା ହେଉଛି ମଣିଷଜାତିର ଚଳମାନ ଶଗଡ଼ର ଦୁଇ ଚକ ସମାନ ନ ଥିବାରୁ ଏପରି ଅସାମଞ୍ଜସ୍ୟ ସମସ୍ତଙ୍କର କ୍ଷତି କରୁଛି। ମହିଳାମାନଙ୍କୁ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସାମିଲ କରାଗଲେ କେବଳ ଯେ ଅର୍ଥନୈତିକ ପ୍ରଗତି ହେବ ତା’ ନୁହେଁ, ଜଳବାୟୁ ସଂକ୍ରାନ୍ତୀୟ କାର୍ଯ୍ୟ ମଧ୍ୟ ତ୍ୱରାନ୍ବିତ ହୋଇପାରିବ। ମୁଁ ନିଶ୍ଚିତ ଯେ ମଣିଷଜାତିର ପ୍ରଗତିରେ ମହିଳାମାନଙ୍କୁ ସମାନ ଅଂଶୀଦାର କରାଗଲେ ପୃଥିବୀ ଆହୁରି ସୁନ୍ଦର ହୋଇପାରିବ।
ଆମର ଭବିଷ୍ୟତ ଯେ ଉଜ୍ଜ୍ୱଳ, ଏଥିରେ ମୁଁ ବେଶ୍‌ ଆଶାବାଦୀ। ମୋ’ ଜୀବନର ଅନୁଭୂତିରୁ ମୁଁ ଜାଣିଛି ଯେ, ସମୟକ୍ରମେ ଲୋକେ ବଦଳନ୍ତି ଏବଂ ମନୋଭାବ ବଦଳେ। ଏହା ହିଁ ମଣିଷଜାତିର କାହାଣୀ; ଅନ୍ୟଥା ଆମେ ଏବେ ମଧ୍ୟ ଗୁମ୍ଫାରେ ରହିଥା’ନ୍ତେ। ନାରୀ-ମୁକ୍ତିର କାହାଣୀ ମନ୍ଥର ଗତିରେ ଆଗକୁ ଚାଲିଛି। ଅନେକ ସମୟରେ ଏହାର ଶିଥିଳତା ଯନ୍ତ୍ରଣାଦାୟକ। କିନ୍ତୁ ସନ୍ତୋଷର କଥା, ଏହା ତା’ର ନିର୍ଦ୍ଦିଷ୍ଟ ଗତିପଥରେ ସର୍ବଦା ଆଗେଇ ଚାଲିଛି, କେବେ ବି ବିପରୀତ ଦିଗରେ ଗତି କରିନାହିଁ। ଏହା ମୋର ବିଶ୍ୱାସକୁ ଦୃଢ଼ କରିଛି ଏବଂ ସେଥିପାଇଁ ମୁଁ ବାରମ୍ବାର କହିଆସିଛି ଯେ, ଭାରତର ସ୍ବାଧୀନତାର ଶତବାର୍ଷିକୀ ପର୍ଯ୍ୟନ୍ତ ଲମ୍ବିଥିବା ଏହି ଅମୃତ କାଳ ହେଉଛି ଆମ ଝିଅମାନଙ୍କର।
ନାରୀ-ପୁରୁଷ ସମାନତା ଭାବର ସୁଦୃଢ଼ ମୂଳଦୁଆରୁ ଆମେ ଏକ ଜାତି ଭାବରେ ଯାତ୍ରା ଆରମ୍ଭ କରିଛନ୍ତି- ଏହା ମୋତେ ବେଶ୍‌ ଆଶାବାଦୀ କରିଛି। ପ୍ରାୟ ଏକ ଶତାବ୍ଦୀ ପୂର୍ବେ ସ୍ବାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀଙ୍କ ଜନଆନ୍ଦୋଳନ ମହିଳାମାନଙ୍କୁ ଏରୁଣ୍ଡି ଡେଇଁ ବାହାର ଦୁନିଆରେ ପାଦ ରଖିବାକୁ ଅନୁପ୍ରାଣିତ କରିଥିଲା। ସେହି ଦିନଠାରୁ ଆମ ସମାଜ ଏବଂ ବିଶେଷକରି ଆମ ମହିଳାମାନେ ଏକ ଉନ୍ନତ ଭବିଷ୍ୟତ ଗଠନ କରିବା ପାଇଁ ସ୍ବପ୍ନ ଦେଖିଆସୁଛନ୍ତି। ମହିଳାଙ୍କ ଲାଗି ଅନୁକୂଳ ହେଉ ନ ଥିବା କୁସଂସ୍କାର ଓ କୁପ୍ରଥାଗୁଡ଼ିକୁ ଆଇନ କିମ୍ବା ସଚେତନତା ମାଧ୍ୟମରେ ଦୂର କରାଯାଉଛି। ଆମ ସମାଜ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ଉଦାହରଣ ସ୍ବରୂପ, ଆଜିର ସଂସଦରେ ମହିଳାମାନଙ୍କ ପ୍ରତିନିଧିତ୍ୱ ସର୍ବାଧିକ ରହିଛି। କହିବା ବାହୁଲ୍ୟ ଯେ, ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ରାଷ୍ଟ୍ରପତି ଭାବରେ ମୁଁ ନିର୍ବାଚିତ ହେବା ମହିଳା ସଶକ୍ତୀକରଣ ମହାଗାଥାର ଏକ ଅଂଶବିଶେଷ। ମୁଁ ବିଶ୍ୱାସ କରେ ଯେ ନାରୀ-ପୁରୁଷ ସମାନତାର ବିଚାରକୁ ପ୍ରୋତ୍ସାହିତ କରିବା ପାଇଁ ‘ମାତୃତ୍ୱରେ ନେତୃତ୍ୱ ନିହିତ’ ଭାବନାକୁ ଉଜାଗର କରାଯିବା ଆବଶ୍ୟକ। ‘ବେଟି ବଚାଓ, ବେଟି ପଢ଼ାଓ’ ଭଳି ଅନେକ ସରକାରୀ କାର୍ଯ୍ୟକ୍ରମ ସିଧାସଳଖ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଗୋଟିଏ ଗୋଟିଏ ଉପଯୁକ୍ତ ପଦକ୍ଷେପ।
ଯେକୌଣସି ସମାଜ ଶ୍ରେଷ୍ଠ ପ୍ରଗତିଶୀଳ ଚିନ୍ତାଧାରା ସହିତ ତାଳ ଦେଇ ଆଗକୁ ଚାଲିବା ନିଶ୍ଚୟ ସମୟସାପେକ୍ଷ। ଏହାକୁ ଆମେ ହୃଦୟଙ୍ଗମ କରିବା ଉଚିତ। ପ୍ରତି ସମାଜ ମଣିଷକୁ ନେଇ ଗଠିତ, ଯାହାର ଅଧା ହେଉଛନ୍ତି ନାରୀ। ଏହି ସମାଜର ପ୍ରଗତିକୁ ତ୍ୱରାନ୍ବିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ମୁଁ ଆଜି ଅନୁରୋଧ କରିବାକୁ ଚାହେଁ ଯେ ଆପଣମାନେ ନିଜ ପରିବାର, ପଡ଼ୋଶୀ ଏବଂ କର୍ମକ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବାକୁ ସଂକଳ୍ପ କରନ୍ତୁ; ଯଦ୍ଦ୍ବାରା ଗୋଟିଏ ଝିଅ ମୁହଁରେ ହସ ଫୁଟିବ ଏବଂ ତା’ ଜୀବନରେ ଆଗକୁ ଯିବାର ଅବସର ବୃଦ୍ଧି ପାଇବ। ମୁଁ ଆଗରୁ କହିଛି ଏବଂ ଏବେ ମଧ୍ୟ କହୁଛି ଯେ ଏହା ମୋ’ ହୃଦୟର କଥା।

ଦ୍ରୌପଦୀ ମୁର୍ମୁ
– ଭାରତର ରାଷ୍ଚ୍ରପତି, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri