ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ ବଢ଼ିସାରିଛନ୍ତି ବୋଲି ଆଲୋଚନା ହେଉଛି। ଯଦିଓ ରୋହିତ ଶର୍ମା ଦିନିକିଆ ଟିମ୍‌ର ଅଂଶ ଅଛନ୍ତି ଏବଂ ଲର୍ଡସ ଦିନିକିଆରେ ଶାନଦାର ଶତକ ବି ହାସଲ କରିଛନ୍ତି, ତଥାପି ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ସେମାନଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ୍‌ ପାଇଁ ଚୟନ କରିବାକୁ ଚାହୁଁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଖେଳାଳିମାନେ ଏବେ ବି ହାର୍ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ନା ରୋହିତ ସଂନ୍ୟାସ ନେବା ମୁଡ୍‌ରେ ଅଛନ୍ତି, ନା ଶାମି ଓ ଭୁବନେଶ୍ୱର ଦୌଡ଼ରୁ ଓହରିଛନ୍ତି। ଏହି ତିନି ଖେଳାଳି ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦମଦାର ପ୍ରଦର୍ଶନ କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର ଏବଂ ଇଶାନ୍ତ ଶର୍ମାଙ୍କ ଭଳି ଖେଳାଳିମାନେ ସଂନ୍ୟାସ ନେବାକୁ ଚାହୁଁନାହାନ୍ତି, କାରଣ ଏପରି କଲେ ସେମାନଙ୍କର ଆଇପିଏଲ୍ (IPL) ଚୁକ୍ତି, ବ୍ରାଣ୍ଡ୍ ଡିଲ୍ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ସୁଯୋଗ ବିପଦରେ ପଡ଼ିଯିବ। କାରଣ ଯାହା ବି ହେଉନା କାହିଁକି, ଏହି ଖେଳାଳିମାନଙ୍କ ବର୍ତ୍ତମାନର ଫର୍ମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରୋହିତ ଶର୍ମାଙ୍କ ଉପରେ କ୍ରମାଗତ ଭାବେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଫଳ ହେବା ପରେ ଲର୍ଡସ ଦିନିକିଆ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଲର୍ଡସରେ ଶତକ ହାସଲ କରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ସେହି ଦିନିକିଆ ସିରିଜ୍‌ରେ ସେ ୫୮.୩୩ ହାରରେ ୧୭୫ ରନ୍ ସଂଗ୍ରହ କରିଥିଲେ। ସେହିପରି ବିସିସିଆଇ (BCCI) ମଧ୍ୟ ସ୍ପଷ୍ଟ କରିଛି ଯେ ରୋହିତ ଏବେ ସଂନ୍ୟାସ ନେଉନାହାନ୍ତି।

ଭୁବନେଶ୍ୱର କୁମାର ଆଇପିଏଲ୍‌ ୨୦୨୬ରେ ଆରସିବି (RCB) ପକ୍ଷରୁ ଚମତ୍କାର ପ୍ରଦର୍ଶନ କରି ଦଳକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ୨୮ଟି ୱିକେଟ୍ ହାସଲ କରିଥିଲେ। ବର୍ତ୍ତମାନ ସେ UP T20 ଲିଗ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଅନ୍ୟପଟେ, ମହମ୍ମଦ ଶମି ଦୁଲେପ ଟ୍ରଫି ସେମିଫାଇନାଲ୍‌ରେ ସେଣ୍ଟ୍ରାଲ ଜୋନ୍ ବିପକ୍ଷରେ ୫ଟି ୱିକେଟ୍ ଅଖତିଆର କରି ନିଜ ଦଳକୁ ଫାଇନାଲ୍‌କୁ ନେଇଛନ୍ତି।

ବୟସ ଅଧିକ ହୋଇଥିଲେ ବି ଏହି ସମସ୍ତ ଖେଳାଳିଙ୍କ ଫର୍ମ ଜବରଦସ୍ତ ରହିଛି ଏବଂ ସେମାନେ ଆଗକୁ ମଧ୍ୟ ନିଜର ଜଲୱା ଦେଖାଇବାକୁ ପ୍ରସ୍ତୁତ।

Share