ବାପା-ମା’-ଭାଇଙ୍କ ପରି ଫିଲ୍ମ ଜଗତକୁ କାହିଁକି ଆସିଲେ ନାହିଁ ଅମିତାଭ ବଚ୍ଚନଙ୍କ ଝିଅ

ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ବଡ଼ ପରଦାରୁ ଦୂରରେ ଥିଲେ ମଧ୍ୟ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଶ୍ୱେତା ଆଜି ତାଙ୍କ ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ହୁଏତ ଫିଲ୍ମରେ ନିଜର କ୍ୟାରିଅର୍‌ କରିନାହାଁନ୍ତି କିନ୍ତୁ ତାଙ୍କର ଲୋକପ୍ରିୟତା ଜଣେ ଅଭିନେତ୍ରୀଙ୍କ ଠାରୁ କମ ନୁହେଁ।
ଶ୍ୱେତା ବଚ୍ଚନ ମଧ୍ୟ ନିଜ ପରିବାରକୁ ଭଲ ପାଇବା ଏବଂ ଯତ୍ନ ନେବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ। ସେ ପ୍ରତ୍ୟେକ ବିଶେଷ ଉତ୍ସବ ବାପା-ମା’ଙ୍କ ସହ ଥାନ୍ତି। ଶ୍ୱେତା ନିଖିଲ ନନ୍ଦାଙ୍କୁ ବିବାହ କରିଛନ୍ତି। ତାଙ୍କ ପିଲାମାନେ ନବ୍ୟା ନଭେଲି ନନ୍ଦା ଏବଂ ଅଗସ୍ତ୍ୟ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଶ୍ୱେତାଙ୍କ ବାପା-ମା’ ଏବଂ ଭାଇ ବଲିଉଡ୍‌ର ଆଗଧାଡିକ କଳାକାର ହୋଇଥିଲେ ମଧ୍ୟ ସେ ଅଭିନୟ ପ୍ରତି ବିଶେଷ ଆଗ୍ରହ ଦେଖାଇ ନାହାଁନ୍ତି। ଏହା ପଛରେ ଏକ କାରଣ ମଧ୍ୟ ରହିଛି।
ଏନେଇ ଶ୍ୱେତା କହନ୍ତି, ସେ ଅନେକ ସମୟରେ ତାଙ୍କ ମା’ଙ୍କ ସହ ଫିଲ୍ମ ସେଟକୁ ଯାଉଥିଲେ। ସେ ବିଦ୍ୟାଳୟରେ ନାଟକରେ ମଧ୍ୟ ଭାଗ ନେଉଥିଲେ, କିନ୍ତୁ କ୍ଲାଇମାକ୍ସରେ ଥରେ ସେ ନିଜର ସଟ ଭୁଲି ଯାଇଥିଲେ। ଏହି ଘଟଣା ପରେ ତାଙ୍କ ମନରେ ଏତେ ଭୟ ସୃଷ୍ଟି ହୋଇଥିଲା ଯେ ସେ ଅଭିନୟରୁ ନିଜକୁ ଦୂରେଇ ରଖିଥିଲେ। ସେତେବେଳେ ନିଷ୍ପତ୍ତି ନେଇଥିଲେ ଯେ ସେ ଜଣେ ଅଭିନେତ୍ରୀ ହେବେ ନାହିଁ।
ଶ୍ୱେତା ମାତ୍ର ୨୨ ବର୍ଷ ବୟସରେ ନିଖିଲ ନନ୍ଦାଙ୍କୁ ବିବାହ କରିଥିଲେ। ନିଖିଲ ଏସକର୍ଟ ଗ୍ରୁପର ପରିଚାଳନା ସମ୍ପାଦକ ଅଟନ୍ତି। କିନ୍ତୁ, ଶ୍ୱେତା ବଚ୍ଚନ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି। ସେ ଜଣେ ଫ୍ୟାଶନ ଡିଜାଇନର୍‌। ସେ ନିଜର ଏକ ଲେବଲ ଏମ୍‌ଏକ୍ସଏସ୍‌ ଲଞ୍ଚ କରିଛନ୍ତି। ସେ ଏକ ପୁସ୍ତକ ‘ପାରାଡାଇଜ ଟାୱାର’ ମଧ୍ୟ ଲେଖିଛନ୍ତି।

Share