ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’ (Bay Oval) ଠାରେ ଖେଳାଯିବ। ଅଭ୍ୟାସ ଅଧିବେଶନ ପରବର୍ତ୍ତୀ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ବିରାଟ କୋହଲି ପ୍ରଶଂସକମାନଙ୍କୁ ଅଟୋଗ୍ରାଫ (ଦସ୍ତଖତ) ଦେଉଥିବାର ଦେଖିବାକୁ ମିଳୁଛି। ଲୋକମାନେ ବିଭିନ୍ନ ଜିନିଷ ଯେପରିକି ବହି, ପୋଷାକ, ଟୋପି ଏବଂ କ୍ରିକେଟ ବ୍ୟାଟ ଓ ବଲ ଉପରେ ତାଙ୍କର ଦସ୍ତଖତ ନେଉଥିଲେ। ଏହି ସମୟରେ, ଜଣେ ବ୍ୟକ୍ତି ଏକ ଚତୁର ଉପାୟ ଅବଲମ୍ବନ କରି କ୍ରିକେଟରଙ୍କ ସାମ୍ନାରେ ଏକ ଜିନିଷ ଉପସ୍ଥାପନ କରିଥିଲେ, କିନ୍ତୁ କୋହଲି ସେଥିରେ ଦସ୍ତଖତ କରିବାକୁ ମନା କରିଦେଇଥିଲେ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ବିରାଟ କୋହଲି ପ୍ରଶଂସକମାନଙ୍କୁ ଅଟୋଗ୍ରାଫ ଦେଉଥିବାର ନଜର ଆସୁଛନ୍ତି। ଜଣେ ପ୍ରଶଂସକଙ୍କ ଟୋପିରେ ଦସ୍ତଖତ କରିବା ପରେ ପରେ, ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଏକ ଜିନିଷ ଦେଲେ ଯାହା ଦେଖିବାକୁ ଏକ ଖେଳନା ପରି ଲାଗୁଥିଲା। କୋହଲି ଏହାକୁ ଭଲ ଭାବରେ ନିରୀକ୍ଷଣ କଲେ ଏବଂ ତା’ପରେ ମୁହଁରେ ଏକ ହାଲୁକା ହସ ଫୁଟାଇ, ସେଥିରେ ଦସ୍ତଖତ ନକରି ସେହି ବ୍ୟକ୍ତିଙ୍କୁ ଫେରାଇ ଦେଲେ।
ସମସ୍ତଙ୍କୁ ଅଟୋଗ୍ରାଫ (ଦସ୍ତଖତ) ଦେଉଥିବା ବିରାଟ କୋହଲି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ କାହିଁକି ମନା କଲେ? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଜଣାପଡ଼େ ଯେ, କ୍ରିକେଟର ଜଣକ ସେହି ବ୍ୟକ୍ତିଙ୍କୁ କହିଥିଲେ, ‘ତୁମେ ଏଥିରେ ଦସ୍ତଖତ ନେଇ ଏହାକୁ ଅଧିକ ଦାମରେ ବିକ୍ରି କରିଦେବ।’ ସେହି ବସ୍ତୁଟି କୋହଲିଙ୍କ ଏକ ‘ଆକ୍ସନ ଫିଗର୍‌’ (ଖେଳନା ପ୍ରତିମୂର୍ତ୍ତି) ପରି ଦେଖାଯାଉଥିଲାଯାହା ବଜାରରେ ମଧ୍ୟ ବିକ୍ରି ପାଇଁ ଉପଲବ୍ଧ ଥାଏ।

ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୨-୦ରେ ଆଗରେ ରହିଛି। ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଓ ଦ୍ୱିତୀୟ ମ୍ୟାଚ ଜିତିଥିଲା। ତୃତୀୟ ଦିନିକିଆ ମ୍ୟାଚଟି ବର୍ଷା କାରଣରୁ ଗୋଟିଏ ବି ବଲ ନ ପଡ଼ି ରଦ୍ଦ ହୋଇଯାଇଥିଲା। ଗିଲ ବାକି ଥିବା ଦୁଇଟି ଦିନିକିଆ ମ୍ୟାଚ ଖେଳିବେ ନାହିଁ; ତାଙ୍କ ସ୍ଥାନରେ ଶ୍ରେୟସ ଆୟର ଦଳର ନେତୃତ୍ୱ ନେବେ। ନ୍ୟୁଜିଲ୍ୟାଣ୍ଡ ଏବେ ଆଉ ସିରିଜ ଜିତିପାରିବ ନାହିଁ; ବାକି ଥିବା ଉଭୟ ମ୍ୟାଚ ଜିତିଲେ ସେମାନେ ଅତିବେଶୀରେ ସିରିଜକୁ ଡ୍ର (ବରାବର) କରିପାରିବେ। ସିରିଜ ନିଜ ନାମରେ କରିବା ପାଇଁ ଭାରତକୁ ଆଉ ମାତ୍ର ଗୋଟିଏ ମ୍ୟାଚ ଜିତିବାକୁ ପଡ଼ିବ।

Dharitri – Odisha’s No.1, Most Trusted Odia Daily

Share