ଓ୍ବାଶିଂଟନ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ସମେତ ବିଶ୍ୱର ପ୍ରାୟ ୭୦ ଦେଶ ଉଦ୍ଦେଶ୍ୟରେ ଘୋଷଣା କରିଥିବା ଉଚ୍ଚ ଟାରିଫ୍ ଗୁରୁବାର ଭାରତୀୟ ସମୟ ପୂର୍ବାହ୍ନ ୯ଟାରୁ ଲାଗୁ ହୋଇଛି। ଜୁଲାଇ ୩୧ରେ ଟ୍ରମ୍ପ୍ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୨୫% ଆମଦାନୀ ଶୁଳ୍କ ଘୋଷଣା କରିଥିବାବେଳେ ଅଗଷ୍ଟ ୬ରେ ଅତିରିକ୍ତ ୨୫% ଟାରିଫ୍ କଷିଛନ୍ତି। ନୂଆ ଏକ୍ଜିକ୍ୟୁଟିଭ୍ ଅର୍ଡର ଅନୁସାରେ ଭାରତରୁ ଆମେରିକାକୁ ଆମଦାନୀ ହେବାକୁ ଥିବା ସାମଗ୍ରୀ ଉପରେ ମୋଟ ୫୦% ଟାରିଫ୍ ଲାଗିବ। ଗୁରୁବାର ୨୫% ଟାରିଫ୍ ଲାଗୁ ହୋଇଥିବାବେଳେ ୨୧ ଦିନ ପରେ ୫୦% ଟାରିଫ୍ କାର୍ଯ୍ୟକାରୀ ହେବ। ରୁଷିଆଠାରୁ ଭାରତ ତୈଳ କିଣିବା ଜାରି ରଖିଥିବାରୁ ଏପରି ଟାରିଫ୍ କଷାଯାଇଛି ବୋଲି ଟ୍ରମ୍ପ୍ ଦର୍ଶାଇଛନ୍ତି। ବିଶ୍ୱର ବହୁ ଦେଶ ଅନେକ ବିଲିୟନ୍ ଡଲାର ଆମେରିକାଠାରୁ ଲାଭ ଉଠାଇଥିବାବେଳେ ଏଣିକି ସମ୍ପୃକ୍ତ ଦେଶଗୁଡ଼ିକରୁ ଆମେରିକାକୁ ଆର୍ଥିକ ସ୍ରୋତ ବହିବା ଆରମ୍ଭ ହୋଇଛି ବୋଲି ସେ ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ କହିଛନ୍ତି। ଅନ୍ୟପକ୍ଷେ ଏହି ପାରସ୍ପରିକ ଟିକସ ବିଶ୍ୱବ୍ୟାପୀ ଅର୍ଥନୀତିକୁ ପ୍ରଭାବିତ କରିବ ଏବଂ ଭାରତ ଏଥିଯୋଗୁ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଲେଣି।
ବିଶେଷକରି ଭାରତର ବୟନଶିଳ୍ପ, ରାସାୟନିକ ଉଦ୍ୟୋଗ, କୃଷି, ଫାର୍ମା, ଜେମ୍ସ ଆଣ୍ଡ ଜୁଏଲେରୀ, ଲେଦର ଆଦି କ୍ଷେତ୍ର ବ୍ୟାପକ କ୍ଷତି ସହିବ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି। ଅନ୍ୟପକ୍ଷେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହିର୍ବ୍ୟାପାର ଓ ଆର୍ଥିକ ନୀତିକୁ ସମାଲୋଚନା କରିଛନ୍ତି। ମୋଦି କ୍ଷମତାକୁ ଆସିବା ପରଠୁ ଭାରତକୁ ସ୍ବାବଲମ୍ବୀ କରିବା ଉପରେ ଗୁରୁତ୍ୱ ଦେଉଥିବା କହିଆସୁଛନ୍ତି। କିନ୍ତୁ ବିଗତ ୧୧ ବର୍ଷରେ ଆମତ୍ନିର୍ଭରଶୀଳତାର ଲକ୍ଷ୍ୟ ହାସଲ ହୋଇ ନ ଥିବାରୁ ବର୍ଦ୍ଧିତ ଟାରିଫ୍ ଭାରତୀୟ ଅର୍ଥନୀତିକୁ ନିମ୍ନଗାମୀ କରିବା ଆଶଙ୍କା ଉପୁଜିଛି। ଏଭଳି ସ୍ଥଳେ ମୋଦି ଚାଇନା ଗସ୍ତ କରି ଶି ଜିନ୍ପିଙ୍ଗ୍ଙ୍କୁ ଭେଟିବା ପରିବର୍ତ୍ତେ ପ୍ରଥମେ ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ମାଧ୍ୟମରେ ସ୍ଥିତିରେ ସୁଧାର ଆଣିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।


