ଓଡ଼ିଶାକୁ କେନ୍ଦ୍ରୀୟ ପାଣ୍ଠି ଯୋଗାଣ କମୁଛି କାହିଁକି? ମୋଦିଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ

ନୂଆଦିଲ୍ଲୀ,୭ା୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାକୁ ନିର୍ବାଚନୀ ପ୍ରଚାରରେ ଆସିଥିବାବେଳେ ତାଙ୍କ ଗସ୍ତକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୋଦି ସରକାରରେ ଓଡ଼ିଶା କ୍ରମାଗତ ଭାବେ ଅବହେଳିତ ହୋଇଆସୁଛି। ରାଜ୍ୟକୁ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ଦ୍ରୁତ ଗତିରେ କମିବାରେ ଲାଗିଛି। ସିଏଜି ରିପୋର୍ଟ ଅନୁଯାୟୀ, ୨୦୧୭-୧୮ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ରାଜସ୍ବ ପ୍ରାପ୍ତିର ୫୭ ପ୍ରତିଶତ ଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୩୮ ପ୍ରତିଶତକୁ ହ୍ରାସ ପାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ଓଡ଼ିଶାକୁ ଅନୁଦାନ ମଧ୍ୟ ନିକଟ ଅତୀତରେ ହ୍ରାସ ପାଇଛି। ସବ୍‌ କା ସାଥ୍‌ ସବ୍‌କା ବିକାଶ ସ୍ଲୋଗାନ ଦେଉଥିବା ମୋଦି ଓଡ଼ିଶା ଜନସାଧାରଣଙ୍କୁ କାହିଁକି ଅବହେଳା କରୁଛନ୍ତି ବୋଲି ଜୟରାମ ପ୍ରଶ୍ନ କରିଛନ୍ତି।
ଆଦିବାସୀ କଲ୍ୟାଣ ପ୍ରସଙ୍ଗରେ ଭାଜପାର ରେକର୍ଡ ନୈରାଶ୍ୟଜନକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ସଦ୍ୟତମ ତଥ୍ୟ ଅନୁଯାୟୀ ଆଦିବାସୀଙ୍କ ବିରୋଧରେ ଅପରାଧ ବଢ଼ିଛି। ୨୦୧୭ରେ ନୀତି ଆୟୋଗ ଆଦିବାସୀଙ୍କ ପାଇଁ ୮.୨ ପ୍ରତିଶତ ବଜେଟ ବ୍ୟବସ୍ଥା ଧାର୍ଯ୍ୟ କରିଥିବାବେଳେ କେନ୍ଦ୍ରୀୟ ବଜେଟରେ ଭାଜପା ସେମାନଙ୍କ ପାଇଁ ବ୍ୟୟବରାଦ ହ୍ରାସ କରିଛି। ପ୍ରଧାନମନ୍ତ୍ରୀ ଓ ଭାଜପା ଭାରତର ଆଦିବାସୀ ସମ୍ପ୍ରଦାୟଙ୍କୁ କାହିଁକି ଅଣଦେଖା କରୁଛନ୍ତି ବୋଲି ଜୟରାମ ପ୍ରଶ୍ନ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଉପଯୋଜନାକୁ କଂଗ୍ରେସ ଆଇନଗତ ମାନ୍ୟତାର ଗ୍ୟାରେଣ୍ଟି ଦେଇଛି। ପ୍ରଧାନମନ୍ତ୍ରୀ ଏଭଳି ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଇପାରିବେ କି ବୋଲି ଜୟରାମ ପ୍ରଶ୍ନ କହିଛନ୍ତି। ସେହିପରି ୨୦୧୩ରେ ଉପା ସରକାର ଶୀତଳାପଲ୍ଲୀ ରେଳ ଓ୍ବାଗନ କାରଖାନାକୁ ମଞ୍ଜୁରୀ ଦେଇଥିବାବେଳେ ସେବେଠାରୁ ତାହା ଶୀତଳ ଭଣ୍ଡାରରେ ପଡ଼ିରହିଥିଲା। ୨୦୧୮ରେ ଏନ୍‌ଡିଏ ସରକାର ଏହି ପ୍ରସ୍ତାବକୁ ବାଦ୍‌ ଦେଇଥିଲେ। ଓଡ଼ିଶାରୁ ରାଜ୍ୟ ସଭାକୁ ଯାଇଥିବା ରେଳମନ୍ତ୍ରୀ ଉକ୍ତ ପ୍ରକଳ୍ପ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସରକାରୀ ଘରୋଇ ଭାଗିଦାରୀ (ପିପିପି) ମଡେଲରେ କାର୍ଯ୍ୟକାରୀ ହେବ ବୋଲି ୨୦୨୧ ସେପ୍ଟେମ୍ବରରେ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ। ସେହିପରି ଗୋପାଳପୁର-ରାୟଗଡ଼ା ରେଳଲାଇନ ଏବଂ ରେଢ଼ାଖୋଲ-ଗୋପାଳପୁର ରେଳଲାଇନ ମଧ୍ୟ ସମଦଶା ଭୋଗୁଛି। ଭାଜପା କ’ଣ ପାଇଁ ଓଡ଼ିଶା ଜନସାଧାରଣଙ୍କୁ ଧୋକା ଦେଉଛି? ଶୀତଳାପଲ୍ଲୀ ଓ୍ବାଗନ ଫ୍ୟାକ୍ଟ୍ରି ପାଇଁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି।

Share