ଭୁବନେଶ୍ୱର, ୧୫।୫: ତେଲ ପାଇଁ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଲାଗିଛି। ଏପଟେ ଚାହିଁଲେ ଆଖି ପାଉନି, ସେପଟେ ଚାହିଁଲେ କିଛି ଦିଶୁନି। ମାଳମାଳ ଗାଡ଼ି ସହ ଲୋକଙ୍କ ଭିଡ଼ ଯୋଗୁଁ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି। ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ମଧ୍ୟ ସୂଚନା ମିଳିଛି। ଏହାରି ମଧ୍ୟରେ ଏକ ବଡ଼ କାରଣ ସାମ୍ନାକୁ ଆସିଛି।
ଏପରି ପରିସ୍ଥିତି କାହିଁକି ଉପୁଜିଛି, ସେନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ଡିପୋଗୁଡ଼ିକରେ ପର୍ଯ୍ୟାପ୍ତ ତେଲ ମହଜୁଦ ରହିଛି। କିନ୍ତୁ ମାର୍କେଟର ଚାହିଦା ଅନୁସାରେ ତେଲ ସମୟରେ ପହଞ୍ଚିପାରୁନଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।
ସେ ଆହୁରି କହିଛନ୍ତି, ଲୋକେ ଆବଶ୍ୟକତାଠାରୁ ଅଧିକ ତେଲ କିଣିବା ଆରମ୍ଭ କରିଦେଇଥିବାରୁ ପେଟ୍ରୋଲ ପମ୍ପଗୁଡ଼ିକରେ ଅସ୍ୱାଭାବିକ ଭାବରେ ବିକ୍ରି ବଢ଼ିଯାଇଛି। ଗତ ଚାରିଦିନ ଧରି ସାଧାରଣ ଦିନଠାରୁ ଅଧିକ ତେଲ ବିକ୍ରି ହୋଇଛି। ଫଳରେ ଷ୍ଟକ୍ ଶୀଘ୍ର ସରିଯାଉଛି ଏବଂ ଲୋକଙ୍କ ଭୟ ଆହୁରି ବଢ଼ୁଛି।
ସବୁଠୁ ବଡ଼ କଥା ହେଲା, ଯେତେ ତେଲ ବିକ୍ରି ହେଉଛି ସେହି ଅନୁପାତରେ ତେଲ ପୁନର୍ବାର ପହଞ୍ଚିପାରୁନାହିଁ। ତେଲ ସରିଯିବା ଓ ନୂଆ ଷ୍ଟକ୍ ପହଞ୍ଚିବା ମଧ୍ୟରେ ଥିବା ବ୍ୟବଧାନ ଏହି ସମସ୍ୟାକୁ ଆହୁରି ଗୁରୁତର କରିଛି।
ତଥାପି ସେ ଆଶା ପ୍ରକାଶ କରିଛନ୍ତି ଯେ, ସନ୍ଧ୍ୟା ସୁଦ୍ଧା ସମସ୍ତ ପେଟ୍ରୋଲ ପମ୍ପରେ ତେଲ ପହଞ୍ଚିଯିବ ଏବଂ ପରିସ୍ଥିତିରେ ସୁଧାର ଆସିବ। ଯେହେତୁ ଡିପୋରୁ ତେଲ ଆସୁଛି, ତେଣୁ କୌଣସି ମନ୍ଦ ଉଦ୍ଦେଶ୍ୟ ଥିବା କଥା ଭାବିବାର କାରଣ ନାହିଁ। ସେ କହିଛନ୍ତି, ଯଦି ମୂଳରୁ ତେଲ ଆସୁନଥାନ୍ତା, ତେବେ ଅନ୍ୟ କିଛି ସନ୍ଦେହ ହୋଇପାରୁଥାନ୍ତା। ଯଦି ତୈଳ କମ୍ପାନୀମାନେ ନିୟନ୍ତ୍ରିତ ଭାବରେ ସପ୍ଲାଏ କରୁଛନ୍ତି, ସେଥିରେ ସ୍ପଷ୍ଟୀକରଣ ସେମାନେ ଦେଇପାରିବେ।