Categories: ଜାତୀୟ

‘ଚାଇନା ବିରୋଧରେ ଚୁପ୍‌ କାହିଁକି’

ନୂଆଦିଲ୍ଲୀ, ୭ା୬: ଭାଜପା ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରୁଥିବା ଇସ୍‌ଲାମୀୟ ଦେଶଗୁଡ଼ିକ ଚାଇନାରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ୍‌ କାହିଁକି ବୋଲି କେତେକ ସାମାଜିକ ସଙ୍ଗଠନ ଏବଂ ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି। ଚାଇନା ବିରୋଧରେ ମଧ୍ୟ ସେମାନେ ଏପରି ବିକ୍ଷୋଭ କରିବେ କି ବୋଲି ସେଣ୍ଟର ଫର୍‌ ପଲିସି (ସିପିଆର୍‌)ରେ ଏମିରେଟସ୍‌ ଅଫ୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିର ପ୍ରଫେସର ବ୍ରହ୍ମା ଚେଲାନି କହିଛନ୍ତି। ଚାଇନା ଲକ୍ଷାଧିକ ମୁସଲମାନଙ୍କୁ ବନ୍ଦୀ କରି ରଖିବା, କୋରାନ ଜବତ ସହ ସେମାନଙ୍କ ମାନବାଧିକାର ଉଲ୍ଲଂଘନ ଜାରି ରଖିଥିବାବେଳେ ଦୁଇ ଭାରତୀୟଙ୍କ ମନ୍ତବ୍ୟକୁ ନେଇ ଇସ୍‌ଲାମୀୟ ରାଷ୍ଟ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଫଳରେ ସେମାନଙ୍କୁ ଶାସକ ଦଳରୁ ହଟାଯାଇଛି। ଭାରତକୁ ଏକ ଉଦାର ଓ ସରଳ ରାଷ୍ଟ୍ର ଭାବି ସେମାନେ ଏପରି କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସାମାଜିକ କର୍ମୀ ତଥା ଆଇନଜୀବୀ କୌସ୍ତୁରୀ ଶଙ୍କର କହିଛନ୍ତି, ଆଫଗାନିସ୍ତାନ, ସିରିଆ, ଚାଇନା କିମ୍ବା ବର୍ମାରେ ମୁସଲମାନଙ୍କ ପାଇଁ ଇସ୍‌ଲାମୀୟ ରାଷ୍ଟ୍ର ପକ୍ଷରୁ କୌଣସି ପଦକ୍ଷେପ ନିଆଯିବା ଦେଖିବାକୁ ମିଳିନି। ଆଇଏସ୍‌ଆଇଏସ୍‌, ଚାଇନା କିମ୍ବା ତାଲିବାନ୍‌ ବିରୋଧରେ ସ୍ବର ଉତ୍ତୋଳନ କରାଯାଉନାହିଁ। କିନ୍ତୁ ଜଣେ ମହିଳା ଏକ ଟିଭି ବିତର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ଏହି ଦେଶଗୁଡ଼ିକ ଏବେ ଆଗେଇ ଆସିଛନ୍ତି। ରାଜ୍ୟ ସଭାର ପୂର୍ବତନ ସଦସ୍ୟ ବଲବୀର ପୁଞ୍ଜ କହିଛନ୍ତି, ଚାଇନାରେ ସଂଖ୍ୟାଲଘୁ ଉଇଗୁର ମୁସଲମାନ, ତିବ୍ବତୀୟ ବୌଦ୍ଧଧର୍ମାବଲମ୍ବୀଙ୍କ ମାନବାଧିକାର ଉଲ୍ଲଂଘନ ହେଉଥିବା ସାରା ବିଶ୍ୱ ଜାଣିଛି। କିନ୍ତୁ କେହି ଏହା ଉପରେ ମୁହଁ ଖୋଲୁନାହାନ୍ତି। କଂଗ୍ରେସର ମୋଦି ଓ ଦେଶ ବିରୋଧୀ ଏଜେଣ୍ଡା କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି।

Share