ଏହି ଜିଲାରେ ସବୁ ଦଳରେ ବାହାରୁଛି କେଁ

ନୂଆପଡ଼ା,୯।୪(ମକାରୁ ବେମାଲ)ଛତିଶଗଡକୁ ଲାଗି ରହିଥିବା ରାଜ୍ୟର ଏକ ଉପାନ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା। ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳରୁ ଏକାଧିକ ଆଶାୟୀ ରହିଥିଲେ। ପ୍ରାର୍ଥୀ ଘୋଷଣା ପରେ ସବୁ ଦଳରେ କେଁ ବଢିବା ଏଠାକାର ରାଜନୈତିକ ମାହୋଲକୁ ସରଗରମ କରିଛି। ଏଠରେ ବିଜେଡିରୁ ପୁରୁଣା ଚେହେରା ଭାବେ ରାଜେନ୍ଦ୍ର ଢୋଲକିଆ ପ୍ରାର୍ଥୀ ହୋଇଥିବାବେଳେ ଭାଜପା ନୂଆ ଚେହେରା ଭାବେ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନଙ୍କୁ ମଇଦାନଙ୍କୁ ଓହ୍ଲାଇଛି। ସେହିପରି କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ତେଣୁ ଏଠାରେ ବିଗଫାଇଟ୍‌ ହେବ ବୋଲି ଅନୁମାନ କରାଯାଉଛି। ଅପରପକ୍ଷେ ପ୍ରାର୍ଥୀ ଘୋଷଣା ହେବା ପରେ ବିଜେଡି ଓ ଭାଜପାରେ ଅସନ୍ତୋଷ ବଢୁଥିବା ପରିଲକ୍ଷିତ ହେଉଛି। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀ ହେବା ପରେ କଂଗ୍ରେସରେ ମଧ୍ୟ ଅସନ୍ତୋଷ ବଢିବାରେ ଲାଗିଛି। ପୂର୍ବତନ ଜିଲା ସଭାପତି ଘାସିରାମ ମାଝି ଆଶାୟୀ ଥିବାରୁ ଏବେ ତାଙ୍କୁ ନେଇ କଂଗ୍ରେସ ଅଡୁଆରେ ପଡ଼ିଛି। ଯଦି ଆଦିବାସୀମାନେ ଏକ ହୁଅନ୍ତି, ଆଉ ଘାସିରାମ ନିର୍ଦ୍ଦଳୀୟ ପ୍ରାର୍ଥୀ ହୁଅନ୍ତି ତେବେ ନୂଆପଡାରେ ପୁଣି ନୂଆ ସମୀକରଣ ଦେଖିବାକୁ ମିଳିପାରେ। କାରଣ ଗତ ଥର ଜିଲାରେ ଆଦିବାସୀମାନେ ଭାଗ ଭାଗ ହୋଇ ମଧ୍ୟ ଘାସିରାମ ଏକୁଟିଆ ୪୫ ହଜାର ୩୧୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ଭାଜପା ପ୍ରାର୍ଥୀ ହୋମସିଂ ମାଝି ୨୯ ହଜାର ୪୯୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଓଡିଶାରେ ନବୀନ ହାୱା ଥାଇ ମଧ୍ୟ ରାଜେନ୍ଦ୍ର ଢୋଲକିଆ ୬୫ ହଜାର ୬୪୭ ଖଣ୍ଡ ଭୋଟ ପାଇ ୨୦ ହଜାର ୩୩୦ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ତେଣୁ ଏଥର ବିଜେଡିରୁ ରାଜେନ୍ଦ୍ର, ଭାଜପାରୁ ଅଭିନନ୍ଦନ, କଂଗ୍ରେସରୁ ଶରତ ଓ ନର୍ଦଳୀୟ ଭାବେ ଘାସିରାମ ପ୍ରାର୍ଥୀ ହେଲେ ଏଠରେ ବିଗ ଫାଇଟ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଅନ୍ୟପକ୍ଷରେ ଭାଜପା ଅସନ୍ତୋଷ କର୍ମୀଙ୍କ ମଧ୍ୟରୁ ନିର୍ବାଚନୀ ମଇଦାନକୁ ନିର୍ଦ୍ଦଳୀୟ ଭାବେ ଆସିବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି।